ବଲାଙ୍ଗୀର, ୯।୫(ସୁନୀଲ କୁମାର ମହାନ୍ତି): ଭାଣିଜୀର ବାହାଘର ଖୁସି ଏବେ ଶୋକରେ ପରିଣତ ହୋଇଛି। ଭାଣିଜୀ ବାହାଘରରେ ଯୋଗ ଦେବାକୁ ଆସି ଏକ ବାଇକ ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଭୁତିଆର୍ ବାହାଲ ରାସ୍ତାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଦେଓଗାଁ ବ୍ଲକ ଶିଆଲଜୋରୀ ଗ୍ରାମର ସୁରଥ ନାଗ (୫୦), ଅର୍ଡ଼ା ଗ୍ରାମର ହୁର୍ସି ସୁନା (୪୦) ଏବଂ ଲଖନ୍ପୁର ଗ୍ରାମର ମାଲ ଛତ୍ରିଆ (୪୮) ସେମାନଙ୍କ ଭାଣିଜୀ ବାହାଘର ପାଇଁ ବ୍ରାହ୍ମଣୀଜୋର ଗ୍ରାମକୁ ଆସିଥିଲେ। ବାହାଘର ଚାଲିଥିବା ବେଳେ କୌଣସି ଜରୁରୀ କାମରେ ଏହି ତିନିଜଣ ଏକ ମଟରସାଇକେଲ ଯୋଗେ ଭୁତିଆର୍ ବାହାଲ ଅଭିମୁଖେ ବାହାରିଥିଲେ। ମାତ୍ର ଭୁତିଆର୍ ବାହାଲ ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଖୁଣ୍ଟରେ ପିଟି ହୋଇଯାଇଥିଲା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍ରେ ଥିବା ତିନି ଜଣ ଯାକ ରାସ୍ତାରେ ଛିଟିକି ପଡ଼ି ରକ୍ତାକ୍ତ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଜଣଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।
ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ଆହତଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ଦୁର୍ଘଟଣା ସମ୍ପର୍କରେ ପଚରାଉଚୁରା ଜାରି ରଖିଛି। ବାଇକଟି ଦ୍ରୁତ ଗତିରେ ଥିବା ଯୋଗୁ ଚାଳକ ନିୟନ୍ତ୍ରଣ ହରାଇ ଖୁଣ୍ଟରେ ପିଟି ଦେଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ଏହି ଘଟଣା ପରେ ବ୍ରାହ୍ମଣୀଜୋର ଗ୍ରାମରେ ଚାଲିଥିବା ବାହାଘର ଉତ୍ସବରେ ବିଷାଦର ଛାୟା ଖେଳିଯାଇଛି।