ନିର୍ଲିପ୍ତ ନିର୍ଲଜ୍ଜତା

କେଇ ଦିନ ପୂର୍ବରୁ ଯାଇଛି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଜନ୍ମ ଜାତକର ତିଥି ‘ଉତ୍କଳ ଦିବସ’। ଏହି ଅମୃତ ଲଗ୍ନର ଉତ୍ସବକୁ ସରକାରୀ ଓ ବେସରକାରୀ ସ୍ତରରେ ଯିଏ ଯାହାମତେ ପାଳନ କରିଥିବା ବେଳେ ରାଜ୍ୟର ଏକ ଆଞ୍ଚଳିକ ଟିଭି ଚାନେଲ ତରଫରୁ ଏହି ଦିବସଟିର ତତ୍ତ୍ୱ ଓ ତାତ୍ପର୍ଯ୍ୟ ସମ୍ପର୍କରେ ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନିଆଯାଇଥିଲା। ଏହି ପ୍ରକ୍ରିୟାରେ ବିଶେଷତଃ ତରୁଣ ବିଦ୍ୟାର୍ଥୀ ଓ ଅନ୍ୟ ଯୁବାବର୍ଗଙ୍କଠୁଁ ଯେଉଁ ଉତ୍ତର ମିଳିଲା, ତାହା ଥିଲା ଓଡ଼ିଶାର ଉତ୍ତର ଦାୟାଦମାନଙ୍କ ଓଡ଼ିଆ ଅସ୍ମିତାର ଏକ ସମ୍ବେଦ୍ୟ ସଙ୍କେତ। ଯେମିତି ରୋଚକ ଓ ଉପଭୋଗ୍ୟ, ସେମିତି ଚିନ୍ତାଉଦ୍ରେକକାରୀ। ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନଟି ଥିଲା ବେଶ୍‌ ସ୍ପଷ୍ଟ ଓ ସରଳ- ”ଓଡ଼ିଶା ପାଇଁ ଅପ୍ରେଲ ପହିଲା କାହିଁକି ମହତ୍ତ୍ୱପୂର୍ଣ୍ଣ?“ ଅଧିକାଂଶ ଉତ୍ତରଦାତାଙ୍କଠାରୁ ଯାହା ଉତ୍ତର ମିଳିଲା, ତାହା ଥିଲା ପ୍ରାୟତଃ ଏହିପରି। କିଏ କହିଲେ, ”ଏହି ଦିନ ଓଡ଼ିଶା ସ୍ବାଧୀନତା ପାଇଥିଲା“ ତ ଆଉ କିଏ କହିଲେ, ”ନାଅଁା ମନେପଡ଼ୁନି, ମାତ୍ର ଏହିଦିନ ଓଡ଼ିଶାର ଜଣେ ମହାପୁରୁଷ ଜନ୍ମ ନେଇଥିଲେ।“ ଜଣେ କଲେଜ ଛାତ୍ରର ଉତ୍ତର ଥିଲା ଆହୁରି ବିଚିତ୍ର- ”ଏଇ ଦିନ ଓଡ଼ିଆମାନେ ପରସ୍ପରକୁ ମିଛ କହି ଠକିଥା’ନ୍ତି।“
ଲକ୍ଷ୍ୟ କରିବାର କଥା, ସ୍ବତନ୍ତ୍ର ଉତ୍କଳ ସଂକ୍ରାନ୍ତୀୟ ପ୍ରଶ୍ନଟି ବଙ୍ଗଳା ଅବା ବିହାର ପ୍ରଦେଶର ତରୁଣମାନଙ୍କୁ ପଚରାଯାଇ ନ ଥିଲା। ପଚରା ଯାଇଥିଲା ସେଇମାନଙ୍କୁ, ଯେଉଁମାନଙ୍କ ପରିଚୟ ଥିଲା ଓଡ଼ିଆ। ଅଥଚ ସ୍ବତନ୍ତ୍ର ଉତ୍କଳୀୟତାର ମୁଗ୍ଧ ଅନୁଭବରେ ଜଡ଼ସଡ଼ ହେବା ଦୂରେ ଥାଉ, ମୁହଁରେ ନିର୍ଲଜ୍ଜତାର ହସ ଫୁଟାଇ ନିଜ ଜନ୍ମଭୂମିର ଇତିହାସ ସମ୍ପର୍କିତ ପ୍ରଶ୍ନର ଜବାବରେ ଦେଉଥିଲେ କିମ୍ଭୂତକିମାକାର ଉତ୍ତର! ଓଡ଼ିଶା ପାଇଁ ଏହି ଗୌରବମୟ ଦିନଟିକୁ ଆଣିବା ପାଇଁ କେତେ କଷ୍ଟ ସ୍ବୀକାର କରିଥିବା ମଧୁସୂଦନ, ଫକୀର ମୋହନ, ରାଧାନାଥ ଆଜି ବଞ୍ଚତ୍ଥିଲେ ସେମାନଙ୍କ ଉତ୍ତରଦାୟାଦମାନଙ୍କ ଏଭଳି ଉତ୍ତର ଶୁଣି ନିଜ କପାଳରେ କର ମାରୁଥା’ନ୍ତେ ଅବା ମୁହଁ ଲୁଚାଇବାକୁ ଜାଗା ଖୋଜୁଥାନ୍ତେ!
ସ୍ବତନ୍ତ୍ରତା ଅର୍ଜିତ ହୋଇଥିବା ଓଡ଼ିଶାର ସେଇ ସ୍ମରଣୀୟ ଦିନଟିକୁ ବିସ୍ମରି ଯାଇଥିବା ଓଡ଼ିଆ ତରୁଣଙ୍କ ସଂଖ୍ୟା କେତେ କେଜାଣି, ମାତ୍ର ନିମ୍ନତମ ସଂସ୍କାରଠୁଁ ମୁହଁ ମୋଡ଼ି ନେଉଥିବା ମା’ବାପାମାନଙ୍କ ସଂଖ୍ୟା ବେଶ୍‌ ବଢ଼ି ବଢ଼ି ଚାଲିଛି। ଓଡ଼ିଆ ଘରର ପାରମ୍ପରିକ ‘ବାପା’ ‘ବୋଉ’ ଡାକ ଆଉ ପ୍ରାୟ ଶୁଣିବାକୁ ମିଳୁନାହିଁ ଅତ୍ୟାଧୁନିକ ସନ୍ତାନମାନଙ୍କ ମୁହଁରୁ। ଡାଡି ମମିର ମଧୁର ସମ୍ଭାଷଣ ପୁଲକିତ କରୁଛି ମା’ବାପାମାନଙ୍କୁ। ସେମିତି ମା’ବାପାଙ୍କର ଟିକି ସନ୍ତାନଟିଏ। କଅଁଳ ବୟସରୁ ସେ ବହୁକଥା ଜାଣିଛି, ଏହା ଜଣା ପଡ଼ୁଥିଲା ଯେତେବେଳେ ସେ ବହୁ ବିଶିଷ୍ଟ ଲୋକଙ୍କ ବଂଶବୁନିଆଦି ଅତି ନିର୍ଭୁଲ ଭାବେ ପ୍ରକାଶ କରୁଥିଲା। ଇନ୍ଦିରା ଗାନ୍ଧୀଙ୍କ ଜେଜେ ମୋତିଲାଲ ନେହେରୁ, ରାହୁଲ ଗାନ୍ଧୀଙ୍କ ଜେଜେ ଫିରୋଜ ଗାନ୍ଧୀ, କରିନା କପୁରଙ୍କ ଜେଜେ ରାଜ କପୁର; ଏମିତି କେତେ ହିସାବ। ଟିକି ପିଲାଟି ମୁହଁରୁ ଜେଜେଙ୍କ ଲମ୍ବା ତାଲିକା ଶୁଣି ତା’ ବାପାଙ୍କର ଜଣେ ସମ୍ପର୍କୀୟ କୌତୂହଳରେ ପଚାରିଲେ, ”ଏତେ ଜେଜେଙ୍କ ନାମ ମନେରଖିଛ। କହିଲ ଦେଖି, ତୁମ ଜେଜେଙ୍କ ନାମ କ’ଣ?“ ପିଲାଟି ନୀରବିଗଲା ଅତୀତରେ କେବେ ବି ତାକୁ ପଚରା ଯାଇ ନ ଥିବା ଏମିତି ଏକ ପ୍ରଶ୍ନ ଶୁଣିି। ପୁଅର ବିକଳଭାବ ଦେଖି ତା’ ବାପା ନିର୍ଲଜ୍ଜ ଭାବେ ସଫେଇ ଦେଇ କହିଲେ, ”ତା’ର ଜନ୍ମ ପୂର୍ବରୁ ମୋ ବାପା ଚାଲି ଯାଇଥିଲେ ତ। ତେଣୁ ସେ ତା’ ଜେଜେଙ୍କ ନାମ ଜାଣିନାହିଁ।“
ଇତିହାସ ପରୀକ୍ଷାରେ ବା ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପଡ଼ିଲା ଭଳି ପ୍ରଶ୍ନଟିଏ ନ ଥିଲେ ବି ନିଜ ଜେଜେଙ୍କ ନାମ ଯେକୌଣସି ନାତିଙ୍କ ପାଇଁ ଜୀବନ ଇତିହାସର ଏକ ଉଜ୍ଜ୍ୱଳ ଅଧ୍ୟାୟ। ଆମ ଶାସ୍ତ୍ର ମତରେ ପ୍ରତ୍ୟେକ ନାତି ପରା ନିଜ ଜେଜେଙ୍କ ପରଲୋକକୁ ଆଲୋକିତ କରିବାର ଗୋଟିଏ ଅମ୍ଳାନ କୁଳପ୍ରଦୀପ! ଅଥଚ ସେମାନେ ଫିରୋଜ ଗାନ୍ଧୀ ବା ରାଜ କପୁରଙ୍କ ତୁଳନାରେ ଏତେ ଅବାଞ୍ଛିତ! ଏତେ ବୈଶିଷ୍ଟ୍ୟହୀନ!
ଆଧୁନିକ ଜୀବନଚର୍ଯ୍ୟାକୁ ଆପଣେଇ ନେଇଥିବା ଏବଂ ଆତ୍ମଘୋଷିତ ଭାବେ ନିଜକୁ ସମ୍ଭ୍ରାନ୍ତ ବୋଲାଉଥିବା ଲୋକଙ୍କ ହାତରେ କେବଳ ଯେ ପରଲୋକଗତ ଜେଜେମାନେ କଲବଲ ହେଉଛନ୍ତି, ତାହା ନୁହେଁ; ଜୀବିତ ଜେଜେଙ୍କଠୁଁ ଆରମ୍ଭ କରି ନାନା ବାରଣ ମାରଣ ମଧ୍ୟରେ ତଥାପି ବଞ୍ଚତ୍ ରହିଥିବା ଆମ ଭାଷା ଓ ସଂସ୍କୃତି ମଧ୍ୟ ଧୀରେ ଧୀରେ ଅଲୋଡ଼ା ହୋଇ ଆସୁଛନ୍ତି। ଏକଦା ଜଣେ ପ୍ରତିଷ୍ଠିତ ଓଡ଼ିଆ ଲେଖକଙ୍କ ଘରକୁ ସପରିବାର ବୁଲି ଆସିଥା’ନ୍ତି ତାଙ୍କର ଜଣେ ସମ୍ପର୍କୀୟ। ଉଚ୍ଚ ପଦଧାରୀ ସମ୍ପର୍କୀୟ କିଛି ସମୟ ବିତାଇ ଫେରିଯିବା ବେଳେ ତାଙ୍କ କିଶୋର ପୁଅଟି ହାତରେ ତାଙ୍କର ଏକ ସଦ୍ୟ ପ୍ରକାଶିତ ଶିଶୁପୁସ୍ତକ ଭେଟିଦେଲେ କଥିତ ଲେଖକ। ଅନାଗ୍ରହରେ କିଶୋରଟି ବହିଖଣ୍ଡକ ଗ୍ରହଣ କରୁଥିଲା ବେଳେ ତା’ର ବାପା ଗର୍ବର ସହ ହସି ହସି କହୁଥିଲେ, ”ସେଇ ବହିଟି ତା’ର କିଛି କାମରେ ଆସିବନି। ସେ ତ ଓଡ଼ଆ ପଢ଼ି ଜାଣିନାହିଁ। ଇଂଲିଶ ସ୍କୁଲରେ ପଢୁଛି କି ନା! ଅବସର ସମୟରେ ବହିଟି ଆମେ ପଢ଼ିବୁ।“
ଜଣେ ଓଡ଼ିଆ ବାପାଙ୍କର ବିଚିତ୍ର ଓଡ଼ିଆ ପ୍ରୀତି ଅବଲୋକନ କରି ସେଦିନ ଧନ୍ୟ ହୋଇଥିଲା ସେଇ ଲେଖକଙ୍କ ଲେଖକପଣ। ଯେଉଁ ମାଟିରେ ଭୂମିଷ୍ଠ ହୋଇ, ଯାହାର ପାଣି ପବନ ଆଘ୍ରାଣ କରି ସୁରଭିତ ହୋଇଥାଏ ସୁକୁମାର ଶିଶୁର ଶୈଶବ, ଯେଉଁ ମାଟି ଉପରେ ସ୍ଥାପିତ ହୋଇଥାଏ ଜୀବନର ଶେଷଶଯ୍ୟା, ସେଇ ମାଟିର ଭାଷା ପାଇଁ କି ବିଚିତ୍ର ବିଦ୍ୱେଷ! ସେଇ ଭାଷାକୁ ଦୁଃସ୍ଥ ବିଚାରି ଦୂରେଇଯିବାର କି ଗୁପ୍ତ ଘୋଷଣା! ନିର୍ଲଜ୍ଜତା ଆଉ କାହାକୁ କହନ୍ତି କି! ଅଥଚ ସମୟର ଦୁର୍ଭାଗ୍ୟ, ଏଭଳି ନିଲ୍ଲର୍ଜଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି।
କିଏ ଜଣେ କହିଥିଲେ ପରା ‘ଜୀବନ ଆଗକୁ ବଞ୍ଚାଯାଏ ସିନା, ପଛକୁ ଫେରି ଚାହିଁଲେ ଜୀବନକୁ ବୁଝିହୁଏ।’ ମାତ୍ର ବିଡ଼ମ୍ବନାର ବିଷୟ, ଅତ୍ୟାଧୁନିକ ସଭ୍ୟତା ମଧ୍ୟରେ ବଞ୍ଚତ୍ବାରେ ଆଗ୍ରହ ରଖୁଥିବା ଉଭୟ ଯୁବ ବାପା ଓ ଶିଶୁ ସନ୍ତାନମାନେ ଧୀରେ ଧୀରେ ଅତୀତର ସଂସ୍କାର ପ୍ରତି ବିମୁଖ ହୋଇ ଯାଉଛନ୍ତି। ଅନ୍ୟ ଜେଜେଙ୍କ ନାମକୁ ଶୁଆ ପରି ଘୋଷି ନିଜ ଜେଜେଙ୍କୁ ବିସ୍ମରି ଯାଉଛନ୍ତି। ବିଦେଶୀ ଭାଷାକୁ ମୁଖସ୍ଥ କରି ମାତୃଭାଷାକୁ ମର୍ଯ୍ୟାଦାର ପରିପନ୍ଥୀ ବୋଲି ବିଚାରୁଛନ୍ତି। ବିଶ୍ୱବ୍ୟାପୀ ଭୂଗୋଳ ସହ ପରିଚିତ ହୋଇ ନିଜ ଗଁାର ଠିକଣା ଭୁଲି ଯାଉଛନ୍ତି। ଅଥଚ ଆମ ସମୟର ଦୁର୍ଭାଗ୍ୟ, ଏଭଳି ଲୋକମାନଙ୍କୁ ସଭ୍ୟ, ସମ୍ଭ୍ରାନ୍ତ, ବିଜ୍ଞ ଓ ବିଶିଷ୍ଟ ଆଦି ବିଶେଷ ବିଶେଷଣରେ ବିଭୂଷିତ କରି ଆମ ସମାଜ ଆଦରରେ କୋଳେଇ ନେଉଥିଲା ବେଳେ ଓଡ଼ିଆ ଅସ୍ମିତାର ଜୟଗାନ କରୁଥିବା ଲୋକଟିକୁ ‘ଗାଉଁଲି’, ‘ବ୍ୟାକ୍‌ଓ୍ବାର୍ଡ’ ଆଦି ଶବ୍ଦରେ ଫିଙ୍ଗି ଆହତ କରେ। ତେବେ ଜଗତଯାକର ସମସ୍ତ ଜ୍ଞାନ ଆୟତ୍ତ କରି ନିଜକୁ ବିଜ୍ଞ ବିଚାରୁଥିବା ମଣିଷ ଯେତେବେଳେ ନିଜ ଜଗତର ସର୍ବନିମ୍ନ ତଥ୍ୟ ସମ୍ପର୍କରେ ନୀରବ ରହି ନିଜ ହସ ମାଧ୍ୟମରେ ଅସହାୟତା ପ୍ରକାଶ କରେ, ସେତେବେଳେ ତା’ ଅଜାଣତରେ ସେ ଏକ ବିଶେଷଣ ଅର୍ଜନ କରିଥାଏ। ସେମିତି ଲୋକଙ୍କ ପରିଚୟ ପାଇଁ ଆମ ଅଭିଧାନରେ ‘ନିର୍ଲଜ୍ଜ’ଠାରୁ ଅଧିକ ମାର୍ଜିତ ଶବ୍ଦଟିଏ ଆଉ ବୋଧହୁଏ ଥାଇ ନ ପାରେ।

  • ଅଧ୍ୟାପକ ନିରଞ୍ଜନ ପାଢ଼ୀ
    ପ୍ରଜ୍ଞା ନିଳୟ
    ବିଦ୍ୟାପତି ନଗର, ଭୁବନେଶ୍ୱର
    ମୋ: ୮୮୯୫୬୨୪୧୦୫

Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri