କୁଳାଙ୍ଗାର ବାପାଙ୍କ ସମ୍ପର୍କରେ

ନିଜ ସ୍ବଭାବ, ସଂସ୍କାର ବା ଆଚାର ବିଚାରକୁ ନେଇ ସାଧାରଣତଃ ପୁଅମାନଙ୍କୁ ବର୍ଗୀକରଣ କରାଯାଇପାରେ ଦୁଇଟି ଶ୍ରେଣୀରେ-‘କୁଳ ଉଜ୍ଜ୍ୱଳ’ ବା ‘କୁଳାଙ୍ଗାର’ ରୂପରେ। ଆମ ପୁରାଣଠୁ ଆରମ୍ଭ କରି ଇତିହାସ ଯାଏ କୁଳାଙ୍ଗାର ପୁଅମାନଙ୍କ କାହାଣୀ ଲୋକମୁଖରେ ପ୍ରଚଳିତ ହୋଇଆସିଛି। ତେବେ ଲୋକଚକ୍ଷୁରେ ଉତ୍ତୋଳିତ କୁଳାଙ୍ଗାର ପୁଅମାନଙ୍କ ଚିତ୍ର ଅନ୍ତରାଳରେ ପିତାମାନଙ୍କ ଦୃଷ୍ଟିରେ ବି ସନ୍ତାନମାନେ ଭିନ୍ନ ଭିନ୍ନ ପରିସରରେ କୁଳାଙ୍ଗାର ଭାବେ ଚିତ୍ରିତ ହୋଇ ଆସିଛନ୍ତି। ପିତା ବିଶ୍ରବା ଋଷିଙ୍କ ପାଇଁ ଯେଉଁ ଅର୍ଥରେ ପୁତ୍ର ରାବଣ ଥିଲା କୁଳାଙ୍ଗାର, ଠିକ୍‌ ସେଇ ଅର୍ଥରେ ଶୁଦ୍ଧଚେତନାସମ୍ପନ୍ନ ସନ୍ତାନ ପ୍ରହ୍ଲାଦ ହିଁ ଥିଲା କୁଳାଙ୍ଗାର ପିତା ହିରଣ୍ୟକଶିପୁ ପାଇଁ। ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅସ୍ବୀକାର କରି ନିଜ ପାଇଁ ବିପରୀତ ପଥ ବାଛି ନେଇଥିବା ପୁଅମାନେ ବାପାଙ୍କ ଆଖିରେ ଚିରକାଳ ଜଣେ ଜଣେ କୁଳାଙ୍ଗାର। ପୁରାଣ ବାହାରେ ଇତିହାସରେ ମଧ୍ୟ ବିମ୍ବିସାର ଓ ଶାହାଜାହାନଙ୍କ ଭଳି ବାପାମାନଙ୍କ ପାଇଁ ଅଜାତଶତ୍ରୁ ଓ ଆଉରଙ୍ଗଜେବ ଭଳି କୁଳାଙ୍ଗାର ପୁଅମାନଙ୍କ ନିର୍ଯାତନାର କାହାଣୀ ହେଉ କିମ୍ବା ଆମ ସାହିତ୍ୟରେ ବ୍ୟାସକବି ଫକୀରମୋହନଙ୍କ ଚର୍ଚ୍ଚିତ ଚରିତ୍ର ଡାକମୁନ୍‌ସୀ, ଏଇସବୁ ପୁଅମାନେ ଏଯାଏ ବି ଜୀବନ୍ନ୍ୟାସ ପାଇ ବେଳେ ବେଳେ ବହୁ ପୁତ୍ରବିଭୋର ବାପାଙ୍କ ହୃଦୟରେ ଭୟ ସଞ୍ଚାର କରି ଆସୁଛନ୍ତି।
ମାତ୍ର ଆମର ଏହି କଥିତ ପ୍ରସଙ୍ଗଟି କୁଳାଙ୍ଗାର ପୁତ୍ରମାନଙ୍କୁ ନେଇ ନୁହେଁ ବରଂ ଠିକ୍‌ ଏହାର ବିପରୀତ ପାର୍ଶ୍ୱରେ ଥିବା କୁଳାଙ୍ଗାର ପିତାମାନଙ୍କୁ ନେଇ। ଜଣେ କୋଟିପତି ବ୍ୟବସାୟୀ ବାପାଙ୍କର କଥା ୟେ। ବିଶାଳ କୋଠା ସାଙ୍ଗକୁ ବହଳ ବ୍ୟାଙ୍କ ବାଲାନ୍ସ। ଅର୍ଥର ପାହାଡ଼ ଉପରେ ବସି ବି ଏ ବାପା ଜଣକ ଗତ କେଇବର୍ଷ ଧରି ହସିନାହାନ୍ତି ଆଦୌ। ବରଂ ତାଙ୍କ ବ୍ୟକ୍ତିଗତ ଜୀବନରେ ପ୍ରବେଶ ଥିବା ଯେକୌଣସି ପରିଚିତ ପରିଜନଙ୍କଠୁ ସହୃଦୟତାର ସାମାନ୍ୟ ଆଭାସ ପାଇଲା ମାତ୍ରେ ସେ କାନ୍ଦିପକାନ୍ତି ଛୋଟ ପିଲାଙ୍କ ପରି। ବାକି ସମସ୍ତଙ୍କ ପାଖେ ସବୁବେଳେ ଶୁଖିଲା ନିରସ ବଦନ।
ଏକଦା ଅର୍ଥ ବଳରେ ଜଗତଯାକର ସବୁ ସୁଖ କିଣାଯାଇପାରେ ବୋଲି ବିଶ୍ୱାସ କରୁଥିବା ଏଇ ବାପା ଜଣକ ଆଖିରୁ ଲୁହ କମ୍‌ ଝରୁଥିଲା, ମୁହଁରୁ ବେଶି ଝରୁଥିଲା ଅଭିଶାପ, ନିଜର ଏକମାତ୍ର ପୁଅଟି ପାଇଁ! ‘ତାକୁ ଅକାଳ ମରଣ ହେଉ’- ଏମିତି ଏକ ନିଷ୍ଠୁର କାମନା କରୁଥିଲେ ସେଇ ପୁଅଟି ପାଇଁ, ଯାହାକୁ ଆୟୁଷ୍ମାନର ବରଦାନ ଦେବା ପାଇଁ ସେ ଅତୀତରେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ। ଦୁଇଥର ପୋଲିସ ଲଗାଇ ଥାନାକୁ ଟାଣି, ପାଞ୍ଚଥର ଭଡ଼ାଟିଆ ଗୁଣ୍ଡା ଲଗାଇ ମାଡ଼ ମାରି ଓ ଦଶଥରରୁ ଊର୍ଦ୍ଧ୍ୱ ନିଜ ହାତରେ ହୀନସ୍ତା କରିଥିବା ପୁଅ ପାଇଁ ଆଉ କେଉଁ ବାପାର ଅନ୍ତରରୁ କି କଲ୍ୟାଣ ନିଗିଡ଼ି ପଡ଼ିଥାନ୍ତା ଯେ! ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ପିଲାଦିନରୁ ପାଠ ପ୍ରତି ବିମୁଖ ଥିବା ପୁଅକୁ ଏମ୍‌ବିଏ ପାସ୍‌ କରାଇଥିବା ବାପା ବିନା ମୂଲ୍ୟରେ ଉପଲବ୍‌ଧ ସଂସ୍କାର ଶିଖାଇ ନ ଥିଲେ। ସୁତରାଂ ଉତ୍ତରାଧିକାର ସୂତ୍ରରେ ସ୍ବାଭାବିକ ଭାବେ ବାପାଙ୍କ ସମସ୍ତ ସମ୍ପତ୍ତିର ମାଲିକ ସେ ହେବ ଜାଣିଥିଲେ ସୁଦ୍ଧା ବାପା ଜୀବନରୁ ଅବସର ନେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପୁଅର ଧୈର୍ଯ୍ୟ ନ ଥିଲା। ଆରମ୍ଭ ହେଲା ଦୁହଁଙ୍କ ମଧ୍ୟରେ ଅଘୋଷିତ ଶୀତଳଯୁଦ୍ଧ। ପରେ ପରେ ପୁତ୍ର ପକ୍ଷ ସମର୍ଥନ କରି ଏ ଯୁଦ୍ଧରେ ଯୋଗଦେଲେ ତା’ ଶ୍ୱଶୁରଘର ଲୋକ। ଏ ଯୁଦ୍ଧ ନିଜ ପରିବାରର କାନ୍ଥ ଡେଇଁ କୋର୍ଟ କଚେରି ଓ ଥାନା ଯାଏ ଗଲା ଏବଂ ଗୋଟିଏ ଘର ଭିତରେ ଦୁଇଟି ପରିବାର ସୃଷ୍ଟି ହେବା ସହିତ ସୃଷ୍ଟି ହେଲା ଦୁଇଟି ଭିନ୍ନ ଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ!
ବାପପୁଅ ଭିନ୍ନ ହେବାର ଏହି ଦୁର୍ଭାଗ୍ୟପୂର୍ଣ୍ଣ ଦୃଶ୍ୟପଟ ଏତିକିରେ ଶେଷ ହୋଇଥିଲେ ଆଉ କଥା ନ ଥାନ୍ତା। ମାତ୍ର ଅତୀତରେ ବାପାର ହାତ ଧରି ଚାଲି ଶିଖିଥିବା ପୁଅ ନିଜ ଗୋଡ଼ରେ ଛିଡ଼ା ହେବାର ଉନ୍ମତ୍ତ ସାମର୍ଥ୍ୟ ନେଇ ବାପାର ହାତ ଝିଙ୍କି ତଳେ ପକାଇଦେବାକୁ ବାରମ୍ବାର ଚେଷ୍ଟା କଲା। ବାପାର ବେପାର ବନ୍ଦ କରି ତାଙ୍କୁ କାଙ୍ଗାଳ କରିଦେବା ହିଁ ଥିଲା ପୁଅର ଏକାମାତ୍ର ଲକ୍ଷ୍ୟ। ସୁତରାଂ ଉଦ୍ୟମ ଏଯାଏ ଅବ୍ୟାହତ ଅଛି। କେତେବେଳେ ବାପା ପୁଅକୁ କାଠଗଡ଼ାରେ ଛିଡ଼ା କରାଉଛି ତ ପୁଅ ଗୁଣ୍ଡା ଲଗାଇ ବାପାକୁ ହସ୍ପିଟାଲ ବେଡ୍‌ରେ ଶୁଆଇ ଦେଉଛି। କିଏ କେଉଁ କୁଳର ଅଙ୍ଗାର, ଏହାକୁ ନେଇ ରୀତିମତ ପ୍ରତିଯୋଗିତାରେ ଲାଗି ଯାଇଛନ୍ତି ବାପାପୁଅ ଦୁହେଁ।
ଆଉ ଜଣେ ବାପାଙ୍କ କଥା। ଏ ବାପା କୋଟିପତି ନୁହନ୍ତି କି ନିଜ ପୁଅ ଦ୍ୱାରା ନିର୍ଯାତିତ ହୋଇ ତା’ର ଆଶୁ ମୃତ୍ୟୁ କାମନା କରୁଥିବା ମନ୍ଦମତି ନୁହନ୍ତି। ନିହାତି ନିମ୍ନବର୍ଗର ସାଧାରଣ ବାପା ସେ ରହନ୍ତି ଗଁାରେ, ଚାକିରି କରନ୍ତି ରାଜଧାନୀରେ ଗୋଟିଏ ଅଫିସ୍‌ର ପିଅନ ପଦରେ। ନିତିଦିନ ପଚାଶ ପଚାଶ କିଲୋମିଟର ଯାତ୍ରା କରନ୍ତି ଟ୍ରେନ୍‌ରେ ଗତ କୋଡିଏ ବର୍ଷ ଧରି। ଅନ୍ୟ ବହୁ କର୍ମଚାରୀଙ୍କ ପରି ସେ ରାଜଧାନୀରେ ରହିପାରନ୍ତେ, ନିଜ ପତ୍ନୀ ଓ ପିଲାମାନଙ୍କୁ ଗ୍ରାମ୍ୟ ପରିବେଶରୁ ମୁକ୍ତ କରି ସହରୀ ଜୀବନର ସ୍ବାଦ ଚଖାଇପାରନ୍ତେ। ମାତ୍ର କେବଳ ନିଜ ବିପନତ୍ୀକ ବୁଢ଼ା ବାପାଙ୍କୁ ଖୁସି କରିବା ପାଇଁ ସେ ସମସ୍ତ ସୁବିଧା ସୁଯୋଗକୁ ତୁଚ୍ଛ କରି ଆପଣେଇ ନେଇଛନ୍ତି ପ୍ରତିଦିନ ଶହେ କି.ମି. ଯାତାୟାତ କରିବାର ଯନ୍ତ୍ରଣା। ଏମନ୍ତ ଯେଉଁ ପୁଅ, ତାଙ୍କର ପୁଣି ପୁଅଟିଏ ଯେ ମଗଜରେ ତା’ର ଖୁନ୍ଦିଖାନ୍ଦି ଭରି ରହିଛି ପ୍ରଚଣ୍ଡ ମେଧା। ଗଁା ସ୍କୁଲର ନାହିଁ ନାହିଁର ପରିବେଶ ମଧ୍ୟରେ ପାଠ ପଢ଼ୁଥିବା ଜଣେ ପିଅନର ପୁଅ ଯେ ଏତେ ପ୍ରତିଭାବାନ ହୋଇପାରେ, ଏକଥା ସେଇ ପିଲାଟିକୁ ନ ଦେଖିଲେ ସହଜରେ ବିଶ୍ୱାସ କରିହେବ ନାହିଁ। ପ୍ରଥମେ ଗଁା ସ୍କୁଲ ଓ ପରବର୍ତ୍ତୀ ଦୁଇବର୍ଷ ଗଁା ପାଖ ଏକ ବେସରକାରୀ କଲେଜରୁ ଉଚ୍ଚତର ପ୍ରଥମ ଶ୍ରେଣୀରେ ପାସ୍‌ କରିବାର ଦେଖି ଅନ୍ୟ ସମସ୍ତେ ଖୁସି ହୋଇଥିଲାବେଳେ ତା’ ବାପା କିନ୍ତୁ ଆଦୌ ଖୁସି ହୋଇପାରୁ ନ ଥିଲେ। ଇଞ୍ଜିନିୟରିଂ ବା ମେଡିକାଲ ପାଠ୍ୟକ୍ରମରେ ଭର୍ତ୍ତି ହେବା ପାଇଁ ଯେଉଁଠି ବିଦ୍ୟାର୍ଥୀମାନଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼େ ବା ସେମାନଙ୍କ ମା’ବାପାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚାନ୍ଦା ଦେବାକୁ ପଡ଼େ, ସେଠି ପ୍ରବେଶିକା ପରୀକ୍ଷାରେ ଉଭୟ ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସେଇ ମେଧାବୀ ପୁଅଟିକୁ ଆଗକୁ ପଢ଼ାଇବା ପାଇଁ ସ୍ପଷ୍ଟ ମନା କରିଦେଲେ ତା’ର ବାପା।
ଗଁାର ଶିକ୍ଷିତ ଲୋକଙ୍କଠୁ ଆରମ୍ଭ କରି ଅଫିସ୍‌ର ହାକିମଙ୍କ ଯାଏ ବହୁଲୋକ ପିଅନ ବାପାକୁ ବହୁ ଭାବେ ବୁଝାଇଲେ। ପ୍ରଚଣ୍ଡ ପ୍ରତିଭାବାନ ପୁଅଟିର ଜୟଯାତ୍ରାକୁ ଅଧାବାଟରେ ଅଟକାଇ ନ ଦେବାକୁ ବହୁତ ବାରଣ କଲେ। ମାତ୍ର ମୋଟେ ମାନିଲେ ନାହିଁ ଏହି କୁଳାଙ୍ଗାର ବାପା। ନିଜ ଉଦ୍‌ଭଟ ଜୀବନଦର୍ଶନ ତାଙ୍କୁ ଏତେ ଉକତ୍ଟ ଭାବେ ପ୍ରଭାବିତ କରିଥିଲା ଯେ ପିତୃତ୍ୱର ପାଗଳାମି ସପକ୍ଷରେ ସଫେଇ ଦେଇ କହିଲେ, ”ପୁଅ ବେଶି ପାଠ ପଢ଼ିବ। ଡାକ୍ତର କି ଇଞ୍ଜିନିୟର ହେବ। ଢେର ଟଙ୍କା ରୋଜଗାର କରିବ। ବାବୁ ହୋଇ ବାବୁଆଣୀଟିକୁ ବୋହୂ କରି ଘରକୁ ଆଣିବ! ହେଲେ କ’ଣ ମିଳିବ? ପୁଅମାନଙ୍କୁ ଢେର ଟଙ୍କା ଖର୍ଚ୍ଚକରି ପାଠ ପଢ଼ାଇ ବାବୁ କରିଥିବା ବହୁ ବାପାଙ୍କ ଦୁର୍ଦ୍ଦଶା ମୁଁ ଆଖିରେ ଦେଖୁଛି। ଅତ୍ୟନ୍ତ ଅସହାୟ ହୋଇ ଏକା ଏକା ବଞ୍ଚିରହୁଥିବା ସେମାନଙ୍କ ହତାଶାର ହାହାକାର ନିଜ କାନରେ ଶୁଣିଛି। ବାସ୍‌, ମୋ ପାଇଁ ପୁଅଟିଏ ଲୋଡ଼ା, ରୋଜଗାରିଆ ପରଦେଶୀ ବାବୁ ନୁହେଁ।“ କହିବା ବାହୁଲ୍ୟ, ମେଧାବୀ ପୁଅଟିଏ ଏବେ ସେଇ ଗ୍ରାମ୍ୟ କଲେଜରେ ଯୁକ୍ତ୩ ଶ୍ରେଣୀରେ ପାଠପଢ଼ୁଛି।
ୟେ କେବଳ ଦୁଇଜଣ ବାପାଙ୍କ କଥା ନୁହେଁ, ଦୁଇ ପ୍ରକାର ବାପାଙ୍କ କଥା। ଏହା ମଧ୍ୟରୁ କେଉଁ ଶ୍ରେଣୀର ବାପା ଅଧିକ ଭାବେ ବାପାକୁଳର ଅଙ୍ଗାର, ସେମାନଙ୍କ ପରିସ୍ଥିତି ସମୀକ୍ଷା କରି ନିର୍ଣ୍ଣୟ କରିବାର ଦାୟିତ୍ୱ ଏଇ ନିବନ୍ଧଟି ପଢୁଥିବା ବିଜ୍ଞ ପାଠକମାନଙ୍କର।

  • ଅଧ୍ୟାପକ ନିରଞ୍ଜନ ପାଢ଼ୀ
    ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର
    ଭୁବନେଶ୍ୱର
    ମୋ: ୮୮୯୫୬୨୪୧୦୫

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri