Categories: ଫୁରସତ

ସର୍ଜନାରେ ଆବାମିକା

ସମ୍ପର୍କମାନଙ୍କ ଭିତରେ ଦାମ୍ପତ୍ୟ ଈଶ୍ୱରଙ୍କର ସର୍ବଶ୍ରେଷ୍ଠ ଉପହାର। ଅଦୃଷ୍ଟର ଇଙ୍ଗିତରେ ଅଲଗା ଅଲଗା ପରିବେଶରେ ଜନ୍ମନେଇ ପରସ୍ପର ପାଇଁ ଗଢ଼ି ହେବାର ପ୍ରକ୍ରିୟା ଚାଲିଥାଏ ନିଜ ନିଜ ବାଟରେ ବଡ଼ ଅଦ୍ଭୁତ ଢଙ୍ଗରେ। ଦାମ୍ପତ୍ୟରେ ପରିପୂରକତାର ଅନୁଭବ ଆଉ ଏକ ବୈଚିତ୍ର୍ୟ। ଦୁଇ ଦେହ ଗୋଟିଏ ଆତ୍ମା, ଚାରି ଆଖି ଗୋଟିଏ ଦୃଷ୍ଟି, ଦୁଇ ମନ ଗୋଟିଏ ବିଚାର ଲାଗେ ଯେମିତି ଜଣେ ଜଣଙ୍କ ବିସ୍ତାର। ତେବେ ଯଦି ଦମ୍ପତି ସାହିତ୍ୟ ସର୍ଜନାରେ ନିମଗ୍ନ ତା’ହେଲେ ଦାମ୍ପତ୍ୟକୁ କ’ଣ ପ୍ରଭାବିତ କରେକି ସାହିତ୍ୟ?’ ଆଉ ‘ମୁଁ’ର ଭାବ ‘ଆମେ ଦୁହେଁ’ର ଭାବରେ କେତେ ରୂପାନ୍ତରିତ ହୋଇଛି? ଏସବୁ ପ୍ରଶ୍ନକୁ ନେଇ କେତେଜଣ ସୃଜନଶୀଳ ଦମ୍ପତି ଯାହା କହିଥିଲେ ତାକୁ ନେଇ ଏଥରର ଉପସ୍ଥାପନା…
ଆମେ ବିରୋଧାଭାସରେ ଏକାତ୍ମ : ମାନସ ରଞ୍ଜନ ମହାପାତ୍ର-ଶୈଳବାଳା ମହାପାତ୍ର
ବରିଷ୍ଠ କବି ତଥା ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ଓ ତାଙ୍କ ପତ୍ନୀ କବି ଶୈଳବାଳା ମହାପାତ୍ର ସ୍ବୀକାର କରନ୍ତି ଯେ, ସମ୍ପର୍କ ଲାଗି ସାହିତ୍ୟର ଭୂମିକା ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ। ଉଭୟଙ୍କ କ୍ଷେତ୍ରରେ ସର୍ଜନାର ରୂପରେଖ ମୋଟାମୋଟି ଭଲ ରହିଛି। ହୁଏତ କେତେବେଳେ କେମିତି ପରିସ୍ଥିତିର ଚାପରେ କିଛିଟା ଶିଥିଳତା ଆସିଛି। ମାନସ ରଞ୍ଜନ ସାହିତ୍ୟର ଅସ୍ତିତ୍ୱକୁ ବିଭିନ୍ନ ପର୍ଯ୍ୟାୟରେ ଦେଖିଲାବେଳେ ଶୈଳବାଳା ଦାମ୍ପତ୍ୟର ପ୍ରତି କ୍ଷେତ୍ରରେ ମାନସଙ୍କ ସାହିତି୍ୟକ ଅସ୍ତିତ୍ୱ ନିବିଡ଼ ଭାବରେ ଅନୁଭବ କରନ୍ତି। ଉଭୟେ ବିଶ୍ୱାସ କରନ୍ତି ସର୍ଜନାର ଆବାମିକା ନିଶ୍ଚୟ ରହିଛି। କିନ୍ତୁ ତାକୁ ବୁଝାଇ କହିବା ଏତେ ସହଜ ନୁହେଁ। ତେବେ ତା’ର ଗଭୀରତା ଓ ବ୍ୟାପ୍ତି ଅନୁଭବ କରିହୁଏ। ଉଭୟେ ମାନସ ଓ ଶୈଳବାଳା ବିରୋଧାଭାଷ ଭିତରେ ନିଜ ନିଜର ଅନନ୍ୟତ୍ୱ ଆବିଷ୍କାର କରନ୍ତି ଓ ଏକାତ୍ମ ହେବାର ଅନୁଭବ ଲାଭ କରନ୍ତି। ଅବଶ୍ୟ ଶୈଳବାଳା ମାନସଙ୍କ ଜ୍ଞାନର ପ୍ରଶଂସିକା ଅଟନ୍ତି।
ଜୀବନ ପାଖରେ ସାହିତ୍ୟ ଗୌଣ: ରାଜକିଶୋର ଦାସ-ଡ. କନକମଞ୍ଜରୀ ପଟ୍ଟନାୟକ
କବି, ଗାଳ୍ପିକ ଓ ପ୍ରକାଶକ ରାଜ କିଶୋର ଦାସ ଓ ତାଙ୍କର ପତ୍ନୀ ଗାଳ୍ପିକା, କବି, ଅନୁବାଦିକା ଡ. କନକ ମଞ୍ଜରୀ ପଟ୍ଟନାୟକ ଜୀବନକୁ ସାହିତ୍ୟଠାରୁ ଉଚ୍ଚତର ବୋଲି ମନେ କରନ୍ତି । ପରସ୍ପର ପ୍ରତି ଆକର୍ଷଣର କାରଣ ସାହିତ୍ୟ ଅପେକ୍ଷା ସମୟର ଆହ୍ବାନ ଅଧିକ ଥିଲା ବୋଲି ସ୍ବୀକାର କରନ୍ତି । କନକ ମଞ୍ଜରୀ ମୂଳରୁ ଥିଲେ ସୃଜନମନସ୍କ। ହେଲେ ମଞ୍ଚ କଳାକାର ବା ଦଣ୍ଡ ନାଚର ମାଷ୍ଟ୍ର ହେବାର ସମ୍ଭାବନାସମ୍ପନ୍ନ ରାଜକିଶୋର କନକ ମଞ୍ଜରୀଙ୍କ ପ୍ରେରଣାରେ ସାହିତ୍ୟକୁ ଆସନ୍ତି । ଉଭୟେ ଭିନ୍ନ ବାଗରେ ପରସ୍ପରର ପରିପୂରକ ଓ ପ୍ରେରଣା । ଉଭୟେ ଜୀବନର ଅସ୍ତିତ୍ୱ ପାଖରେ ସାହିତି୍ୟକ ଅସ୍ତିତ୍ୱକୁ ଗୌଣ ମନେ କରନ୍ତି। ରାଜ କିଶୋର ଓ କନକ ମଞ୍ଜରୀଙ୍କର ସର୍ଜନାର ଭୂମି ଅଲଗା ଅଲଗା । ଜଣେ ସହଜ ଓ ସରଳ ଭାବରେ ପ୍ରେମ, ବିଷାଦ ଓ ବିସ୍ମୟବୋଧର କଥା ଲେଖିଲାବେଳେ ଆଉ ଜଣେ ତୀକ୍ଷ୍ମ ଭାବରେ ଶାଣିତ ଶବ୍ଦରେ ଜୀବନର ଅବବୋଧର ରୂପାୟନ କରନ୍ତି। ଉଭୟେ ଶୈଳୀଗତ ପାର୍ଥକ୍ୟ ଭିତରେ ପାରସ୍ପରିକତାର ସୂତ୍ର ଖୋଜି ପାଆନ୍ତି । ରାଜକିଶୋର ଦକ୍ଷ ସଂଗଠକ ଓ ପ୍ରଶାସକ ଅନ୍ୟପକ୍ଷରେ କନକ ମଞ୍ଜରୀ ଅନ୍ତର୍ମୁଖୀ ଏବଂ ଆତ୍ମବିଭୋର। ଏହି ଭଳି ଭାବରେ ଉଭୟ ଉଭୟଙ୍କର ଅନନ୍ୟତ୍ୱକୁ ଆବିଷ୍କାର କରନ୍ତି।
ସାହିତ୍ୟଥିଲା ପରିଚୟର ଘଟସୂତ୍ର: ଦିଲ୍ଲୀପ ରାଉତ-ଡ. ସ୍ବପ୍ନା ମିଶ୍ର
ଆମ ଜିଜ୍ଞାସାର ଉତ୍ତରରେ କବି ଦିଲ୍ଲୀପ ରାଉତ ତଥା ତାଙ୍କର ପତ୍ନୀ କବି କଥାକାର ଡ ସ୍ବପ୍ନା ମିଶ୍ର ଉଭୟେ ସ୍ବୀକାର କରିଥିଲେ ଯେ, ସେମାନଙ୍କ କ୍ଷେତ୍ରରେ ସାହିତ୍ୟ ହିଁ ପରିଚୟର ମାଧ୍ୟମ ଓ ଘଟସୂତ୍ର ଥିଲା। ଉଭୟଙ୍କ କ୍ଷେତ୍ରରେ ବିବାହର କିଛି ବର୍ଷ ପରେ ସର୍ଜନାର ପ୍ରକ୍ରିୟାରେ ଶିଥିଳତା ଆସିଥିଲା। ତେବେ ସାହିତ୍ୟ କ୍ଷେତ୍ରରେ ସ୍ବପ୍ନା ଏବେ ବେଶ ସକ୍ରିୟ ଏବଂ ପ୍ରତିଷ୍ଠିତ। ଦିଲ୍ଲୀପ ବିଶ୍ୱାସ କରନ୍ତି ସାହିତି୍ୟକ ଅସ୍ତିତ୍ୱ ବ୍ୟକ୍ତିତ୍ୱ ଦ୍ୱାରା କଳୁଷିତ ହୁଏ ନାହିଁ। ତାଙ୍କ ଲାଗି ସ୍ବପ୍ନାଙ୍କର ସାହିତି୍ୟକ ଅସ୍ତିତ୍ୱ ଅଧିକ ମନୋମୁଗ୍ଧକର। ଉଭୟେ ଆବାମିକା ଅପେକ୍ଷା ପରସ୍ପରର ସ୍ବାତନ୍ତ୍ର୍ୟରେ ଅଧିକ ବିଶ୍ୱାସ ରଖନ୍ତି। ଯିଏ ଯାହା ବାଗରେ ସ୍ବତନ୍ତ୍ର। ଦିଲ୍ଲୀପଙ୍କର ଲେଖାଲେଖି ଆତ୍ମକୈନ୍ଦ୍ରିକ ହୋଇଥିଲାବେଳେ ସ୍ବପ୍ନାଙ୍କ ଲେଖାଲେଖିରେ ସାମାଜିକ ଦାୟିତ୍ୱବୋଧ ଗୁରୁତ୍ୱପୂର୍ଣ୍ଣ। ଦିଲ୍ଲୀପ ସ୍ବପ୍ନାଙ୍କ ଅନନ୍ୟତ୍ୱକୁ ବୁଝିବାକୁ ଚେଷ୍ଟା ଆରମ୍ଭ କରିଥିଲାବେଳେ ସ୍ବପ୍ନା ଚାହାନ୍ତି ସେହି ସମ୍ପର୍କୀୟ ସମୁଦ୍ର ମନ୍ଥନ ନ ହେଉ ।
ଆମେ ଦୁହେଁ ପରସ୍ପରର ଏକ୍ଲାପଣର ମୁହଁ ପରି : ସୁଜିତ ଶତପଥୀ-ମିନାକ୍ଷୀରାଣୀ ମିଶ୍ର
କବି ସୁଜିତ ଶତପଥୀ ଓ ଗାଳ୍ପିକା ମିନାକ୍ଷୀରାଣୀ ମିଶ୍ରଙ୍କର ସମ୍ପର୍କ ଆରମ୍ଭ ହୁଏ ସାହିତ୍ୟରୁ। ସୁଜିତ କଲେଜର ବାର୍ଷିକ ପତ୍ରିକାର ସମ୍ପାଦକ ଥିଲାବେଳରୁ। ସାହିତ୍ୟରୁ ପ୍ରେମ ଏବଂ ପ୍ରେମରୁ ବିବାହ । ବିବାହ ପରେ ହୁଏତ ଦୁହିଙ୍କ କ୍ଷେତ୍ରରେ ଦାୟିତ୍ୱ ବଢିଛି କିନ୍ତୁ ସମ୍ବେଦନା ଦିଗରୁ ଉଭୟେ ଉଭୟଙ୍କର ପରିପୁରକ ହୋଇ ରହିଛନ୍ତି। ମିନାକ୍ଷୀଙ୍କ ଉପରେ ସୁଜିତଙ୍କର ପ୍ରଭାବ ଅଛି ବୋଲି ମିନାକ୍ଷୀ ସ୍ବୀକାର କରନ୍ତି। ସହଜରେ କହିଲେ କବିତା ଓ ଗପ ଉଭୟେ ଉଭୟଙ୍କର ପରିପୁରକ ହୋଇଅଛନ୍ତି। ମିନାକ୍ଷୀ ସୁଜିତଙ୍କର ସାହିତି୍ୟକ ଅସ୍ତିତ୍ୱକୁ ଗୁରୁତ୍ୱପୂର୍ଣ୍ଣ କରି ଦେଖନ୍ତି। ସୁଜିତ ହୁଏତ ନିଜର ମାନବୀୟ ଅସ୍ତିତ୍ୱ ମାଧ୍ୟମରେ ଆବାମିକାକୁ ଅନୁଭବ କରିବାକୁ ଚାହାନ୍ତି। ସୁଜିତଙ୍କ ଭାଷାରେ, ଦୁହେଁ ଦୁହିଁଙ୍କର ଏକ୍‌ଲାପଣର ମୁହଁ ପରି। ସର୍ଜନା କେବେ ଆରଧ୍ୟା, କେବେ ଆତ୍ମଜା କେବେ ପୁଣି ଅସ୍ମିତା । ମିନାକ୍ଷୀଙ୍କ ପାଇଁ ଏହି ଆବାମିକା ହେଉଛି ସମର୍ପଣମନସ୍କତାର ପ୍ରତିଲିପି। ସୁଜିତ ଅନନ୍ୟତା ପରିବର୍ତ୍ତେ ବିଶ୍ୱାସ ରଖନ୍ତି ସାଧାରଣତା ଓ ସାଦାତ୍ୱରେ। ଅନ୍ୟପକ୍ଷରେ ମିନାକ୍ଷୀଙ୍କ ପାଇଁ ପରସ୍ପର ଭିତରେ ଅନନ୍ୟତ୍ୱର ଆବିଷ୍କାର ହେଉଛି ଆବାମିକା ଜାଗରଣର ମାର୍ଗ ।
ସାହିତ୍ୟର ଲବଙ୍ଗ ଦ୍ବୀପରେ ଆମର ଜୀବନ: ସୁରେଶ ସାଗର-ଗାରିମା ନାଥ
କବି ସୁରେଶ ସାଗର ଦୃଢ଼ ନିଶ୍ଚିତ ଯେ ସାହିତ୍ୟ ଯୋଗୁଁ ହିଁ ତାଙ୍କ ପ୍ରତି ତାଙ୍କ ପତ୍ନୀ ଗାରିମା ନାଥଙ୍କର ଆକର୍ଷଣ ଆସିଥିଲା। କିନ୍ତୁ ଗାରିମା ଏହି କ୍ଷେତ୍ରରେ ସାହିତ୍ୟର ଭୂମିକାକୁ ଅସ୍ବୀକାର କରନ୍ତି। ତାଙ୍କ ଉତ୍ସାହରେ ଏକଦା କିଛି ବର୍ଷ ପାଇଁ ନୀରବି ଯାଇଥିବା ସୁରେଶ ପୁଣି ଶବ୍ଦ ମୁଖର ହେଲେ ବୋଲି ସ୍ବୀକାର କରନ୍ତି। ଦାମ୍ପତ୍ୟକୁ ସାହିତ୍ୟର ଲବଙ୍ଗ ଦ୍ବୀପ ଭାବରେ ଆଖ୍ୟାୟିତ କରନ୍ତି। ଗାରିମାଙ୍କର ଲେଖାଲେଖି ବିବାହର ଆଠବର୍ଷ ପରେ। ତାଙ୍କ ଲେଖା ଉପରେ ସୁରେଶଙ୍କ ପ୍ରଭାବ ନାହିଁ ବୋଲି ସେ କୁହନ୍ତି; ତେବେ ଲେଖାଲେଖିରେ ତାଙ୍କ ସହାୟତା ନିଅନ୍ତି। ସୁରେଶ ମୂଳତଃ ରୋମାଣ୍ଟିକ ଓ ଆବେଗଧର୍ମୀ ହୋଇଥିଲା ବେଳେ ଗାରିମା ଉଭୟ ଦ୍ରୋହ ଏବଂ ଅଭାବବୋଧର କଥା କୁହନ୍ତି । ସୁରେଶଙ୍କ ମତରେ ଉଭୟଙ୍କ ମଧ୍ୟରେ ବ୍ୟବଧାନ ନାହିଁ ତେବେ ତାଙ୍କ ଭିତରେ ଅଛି ଅହଂକାର। ଗାରିମା ସୁରେଶଙ୍କ ସରଳ ହୃଦୟ, ଭାବପ୍ରବଣ ବୋଲି ମନେ କରନ୍ତି କିନ୍ତୁ ଲଙ୍କା ମରିଚଠାରୁ ଅଧିକ ରାଗୀ ବୋଲି ଅଭିହିତ କରନ୍ତି। ସୁରେଶଙ୍କୁ ନିଜଠାରୁ ଭଲ ମଣିଷ ବୋଲି ଆଖ୍ୟାୟିତ କରନ୍ତି।
ଆମେ ଦୁହେଁ ଦୁହିଁଙ୍କର ସର୍ଜନାର ସାକ୍ଷୀ: ଜ୍ୟୋତ୍ସ୍ନା ମହାପାତ୍ର-ସମୀର ମହାପାତ୍ର
କବି ସମୀର ମହାପାତ୍ର ଓ କବି ଜ୍ୟୋସ୍ନା ମହାପାତ୍ର ଉଭୟେ ସ୍ବୀକାର କରନ୍ତି ଯେ ସାହିତ୍ୟ ହିଁ ସେମାନଙ୍କୁ ଏକାଠି କରେଇଛି। ସମୀରଙ୍କ ମତରେ ସର୍ଜନଶୀଳ ଜୀବନ ଉଭୟଙ୍କର ଦାମ୍ପତ୍ୟକୁ ପରିପୁଷ୍ଟ ଏବଂ ରୁଦ୍ଧିମନ୍ତ କରିଛି। ଅନ୍ୟପକ୍ଷରେ ଜ୍ୟୋସ୍ନା ମନେ କରନ୍ତି ନୂଆ ଜାଗା ଓ ନୂଆ ପରିସ୍ଥିତି ତାଙ୍କ ଆଖିରେ ନୂଆ ନୂଆ କାହାଣୀ ଝଲସେଇଛି। ତେଣୁ ସର୍ଜନଶୀଳ ଜୀବନ ଦାମ୍ପତ୍ୟ ଉପରେ ସକାରତ୍ମକ ପ୍ରଭାବ ପକେଇଚି। ସମୀର ବିଶ୍ୱାସ କରନ୍ତି ସମ୍ପର୍କର ଅନୁପୁରକତା ହିଁ ସର୍ଜନାର ଆବାମିକାର ସୂତ୍ର। ଜ୍ୟୋସ୍ନା ଭାବନ୍ତି ଦୁହେଁ ଦୁହିଁଙ୍କର ସର୍ଜନା ପ୍ରକ୍ରିୟାର ସାକ୍ଷୀ । ସମୀର ନିଜ ଭିତରେ ଜ୍ୟୋତ୍ସ୍ନାକୁ ପାଇଲାବେଳେ ଜ୍ୟୋସ୍ନାଙ୍କ ଭିତରେ ନିଜକୁ ପାଆନ୍ତି। ଶେଷରେ ଜ୍ୟୋତ୍ସ୍ନା ମତ ରଖନ୍ତି ଯେ, ଉଭୟ କଳାତ୍ମକ ଭାବରେ ପରସ୍ପରର ଅନନ୍ୟତ୍ୱକୁ ଖୋଜି ଚାଲିଛନ୍ତି।
ଉଭୟଙ୍କ ଅସ୍ତିତ୍ୱ ନିଜ ନିଜ ବାଗରେ ସ୍ବତନ୍ତ୍ର: ଡ. ସୁରେଶ ନାୟକ- ଜୟନ୍ତୀ ମିଶ୍ର
କବି, ସମ୍ପାଦକ ଡ.ସୁରେଶ ନାୟକ ଓ ତାଙ୍କ ପତ୍ନୀ ଜୟନ୍ତୀ ମିଶ୍ର ଉଭୟେ ବିଶ୍ୱାସ କରନ୍ତି ଯେ, ସାହିତ୍ୟ ଥିଲା ସେମାନଙ୍କ ଭିତରେ ସମ୍ବନ୍ଧର ପ୍ରାରମ୍ଭିକ ସୂତ୍ର। ବିଶ୍ୱ ବିଦ୍ୟାଳୟ ଜୀବନରେ ସୁରେଶଙ୍କ ସାହିତି୍ୟକ କ୍ରିୟାଶୀଳତା ଓ ଜୟନ୍ତୀଙ୍କର କବିତା ଲେଖା ଉଭୟଙ୍କୁ ପରସ୍ପରର ନିକଟତର କରେଇଥିଲା। ସୁରେଶଙ୍କ ହିସାବରେ ବିବାହ ପରେ ସ୍ଥିତି ‘ଯଥା ପୂର୍ବମ ତଥା ପରମ’। ଅନ୍ୟ ପକ୍ଷରେ ଜୟନ୍ତୀ ପାରିବାରିକ ଜଞ୍ଜାଳ ଭିତରେ ଏତେ ବେଶି ସର୍ଜନାମନସ୍କ ହୋଇ ପାରିନାହାନ୍ତି । ତଥାପି ସର୍ଜନା ପ୍ରତି ଆତ୍ମାରେ ସମ୍ମାନ ଏବଂ ଆନ୍ତରିକତା ଅଛି । ସୁରେଶ ମନେ କରନ୍ତି କବି ଜୟନ୍ତୀ ଗୃହିଣୀ ଅସ୍ତିତ୍ୱଠାରୁ ଭିନ୍ନ। ଅପରପକ୍ଷରେ ଜୟନ୍ତୀ ସୁରେଶଙ୍କର ସାହିତି୍ୟକ ଅସ୍ତିତ୍ୱକୁ ନେଇ ଗର୍ବିତ ହୁଅନ୍ତି ବେଳେବେଳେ ଅସହାୟ ବି । ଆବାମିକାର ପ୍ରଶ୍ନ ଉଠିଲେ ସୁରେଶ ରୋକଠୋକ କୁହନ୍ତି, ଉଭୟଙ୍କର ଅସ୍ତିତ୍ୱ ନିଜ ନିଜ ମାର୍ଗରେ ସ୍ବତନ୍ତ୍ର । କେହି କାହା ଇଲାକାରେ ଅନୁପ୍ରବେଶ କରିବାକୁ ଚାହାନ୍ତି ନାହିଁ । ଜୟନ୍ତୀଙ୍କ ହିସାବରେ ସର୍ଜନା କ୍ଷେତ୍ରରେ ସୁରେଶ ଅତୁଳନୀୟ । ତାଙ୍କ ଆଖି ପାଏ ନାହିଁ । ଜୟନ୍ତୀ ନିଜକୁ ଅନନ୍ୟା ଭାବନ୍ତି ନାହିଁ। ସୁରେଶ କିନ୍ତୁ ଜୟନ୍ତୀଙ୍କଠାରେ ଯେଉଁ ଅନନ୍ୟତ୍ୱ ଦେଖନ୍ତି। ତାହା ହେଲା ତାହା ହେଲା ଜୟନ୍ତୀ ତାଙ୍କ କାର୍ଯ୍ୟରେ ଦଖଲଅନ୍ଦାଜି କରନ୍ତି ନାହିଁ। ତାଙ୍କୁ ମୁକ୍ତ ଏବଂ ସ୍ବଚ୍ଛନ୍ଦ ଭାବରେ ବିକଶିତ ହେବାକୁ ସୁଯୋଗ ଦିଅନ୍ତି।
ସାଥୀର ଅସ୍ତିତ୍ୱ ସାହିତି୍ୟକ ଅସ୍ତିତ୍ୱଠାରୁ ଗୁରୁତ୍ୱପୂର୍ଣ୍ଣ: ଭାଗିରଥୀ ବେହେରା-ଜୟନ୍ତୀ ବେହେରା
କବି ଭାଗିରଥି ବେହେରା କବି ଜୟନ୍ତୀ ବେହେରାଙ୍କୁ ଜୀବନସାଥୀ ଭାବରେ ଗ୍ରହଣ କରିବାରେ ସାହିତ୍ୟର ବିଶେଷ କିଛି ଭୂମିକା ନ ଥିଲା କିନ୍ତୁ ଉଭୟେ ଖୁସି ହୋଇଥିଲେ ଯେ ଉଭୟେ ସାହିତ୍ୟ ପୃଷ୍ଠଭୂମିରୁ ଆସିଛନ୍ତି। ଦାମ୍ପତ୍ୟ ଜୀବନରେ ବୃତ୍ତି, ସନ୍ତାନ ଓ ପାରିବାରିକ ଜଞ୍ଜାଳ ଭିତରେ ଜୟନ୍ତୀ ବେହେରା ଯେ ଲେଖିପାରନ୍ତି ଏଥିପାଇଁ ସମସ୍ତ ଶ୍ରେୟ ଯାଏ ଭାଗିରଥୀଙ୍କୁ। ସେ ହିଁ ଜୟନ୍ତୀଙ୍କ ଆଦ୍ୟଯୌବନର ଲେଖା ସବୁ ସଂଗ୍ରହ କରି ପ୍ରକାଶ କଲେ ପୁସ୍ତକ ଭାବରେ। ଉଭୟଙ୍କ ଭିତରେ କାବି୍ୟକ ସହଯୋଗ ଏକ ଉଲ୍ଲାସମୟ ପାରସ୍ପରିକତା ସମ୍ଭବ କରାଇ ପାରିଛି। ଭାଗିରଥୀଙ୍କ ପାଇଁ ଜୟନ୍ତୀଙ୍କ ସାମଗ୍ରିକ ଅସ୍ତିତ୍ୱ ସାହିତି୍ୟକ ଅସ୍ତିତ୍ୱଠାରୁ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପକ୍ଷରେ ଜୟନ୍ତୀ ତାଙ୍କ ଜୀବନସାଥୀର ସାହିତି୍ୟକ ସତ୍ତା ଓ ବ୍ୟକ୍ତିସତ୍ତାକୁ ଭାଗ ଭାଗ କରି ଦେଖିବାକୁ ଚାହିଁ ନାହାଁନ୍ତି । ଆବାମିକାର ପ୍ରଶ୍ନ ଉଠିଲେ ଭାଗିରଥି ସ୍ବୀକାର କରନ୍ତି ଶୈଳୀ ଦିଗରୁ ଜୟନ୍ତୀ ଅନନ୍ୟ । ଦୁହିଙ୍କ ଭିତରେ ହୁଏତ ସାମଞ୍ଜସ୍ୟ ଥାଇପାରେ ସ୍ବାତନ୍ତ୍ର୍ୟ ମଧ୍ୟ ଅଛି ଯଥା ସ୍ଥାନରେ । ଜୟନ୍ତୀ ବେହେରା ଭାଗିରଥୀଙ୍କ ଅନନ୍ୟତ୍ୱକୁ ଆବିଷ୍କାର କରନ୍ତି ତାଙ୍କ ବିରଳ ସର୍ଜନା କ୍ଷମତାରେ। ମୋଟାମୋଟି ଉଭୟେ ପରସ୍ପରର ସାହିତି୍ୟକ କ୍ରିୟାଶୀଳତାକୁ ବୁଝନ୍ତି ଓ ପରସ୍ପରର ସହାଯାତ୍ରୀ ହୁଅନ୍ତି।
ସର୍ଜନାମଗ୍ନ ଦମ୍ପତ୍ତିଙ୍କ ଭିତରେ ଆବାମିକା ବା ଏକ ମିଳିତ ପାରସ୍ପପରିକତା ସବୁକ୍ଷେତ୍ରରେ ସମ୍ପୂର୍ଣ୍ଣ ସମ୍ଭବ ହୋଇ ପାରେନା। ନିଜ ନିଜ ବିଶେଷତ୍ୱ ନିଜ ନିଜ ଜାଗାରେ ରହେ।

-ମାନମୟୀ ରଥ,
ଅଧ୍ୟକ୍ଷା ସେଣ୍ଟ ଜାଭିୟର କିଡ୍ସ,
ବାଲିପୁଟ, ପୁରୀ

Share