ଦେଖା ଶିଖା ମଣିଷ

ମଣିଷର ପୂର୍ବଜ ବୋଲି ବିଶ୍ୱାସ କରାଯାଉଥିବା ମାଙ୍କଡ଼ମାନେ ଅନୁକରଣପ୍ରିୟ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। ସେଥିପାଇଁ ବୋଧହୁଏ ବୁଦ୍ଧି, ବିବେକ ଓ ଜ୍ଞାନର ଅଧିକାରୀ ହୋଇ ବି ମଣିଷର ଅନୁକରଣ ପାଇଁ ଏକ ସହଜାତ ପ୍ରବୃତ୍ତି ଥାଏ, ଯାହା ବେଳେ ବେଳେ ବିଚାରବିହୀନ ଅନ୍ଧାନୁକରଣର ରୂପ ନିଏ। କୌଣସି କଥା ପ୍ରତି ଆଗ୍ରହ କିମ୍ବା ଆନ୍ତରିକତା ନ ଥାଇ ଖାଲି ଅନୁକରଣ କରିଦେଲେ ସଫଳତା ତ ମିଳେନା ବରଂ ନିଜର ଯାହା କିଛି ଥାଏ ଚାଲି ଯାଏ ଏବଂ ତା’ର ସ୍ଥାନ ନିଏ ନୈରାଶ୍ୟ ଓ ହୀନମନ୍ୟତା। ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ ମାଙ୍କଡ଼ଙ୍କ ପରି ମଣିଷମାନେ ବି ବେଳେ ବେଳେ କେବଳ କୌତୂହଳବଶତଃ ଅନ୍ୟକୁ ଅନୁକରଣ କରନ୍ତି। କିଳୋତ୍ପାଟକ ବାନର କଥାରେ ନିଜର କୌତୂହଳକୁ ସମ୍ଭାଳି ନ ପାରି ଅଧାଚିରା କାଠ ଫାଙ୍କରେ ଦିଆଯାଇଥିବା କିଳାକୁ ଓପାଡ଼ି ମାଙ୍କଡ଼ଟିର ଯେଉଁ ଦଶା ହୋଇଥିଲା ଏଭଳି ମଣିଷଙ୍କର ଅବସ୍ଥା ଠିକ୍‌ ସେହିପରି ହୁଏ। ସିନେମା, ଟିଭି, ରିଆଲିଟି ଶୋ, ଷ୍ଟଣ୍ଟ, ସର୍କସ ଦେଖି ହେଉ କିମ୍ବା ନାନା ବିପଜ୍ଜନକ ଖେଳ ଯଥା ଚୋକିଂ ଗେମ, ବ୍ଲୁହ୍ବେଲ, ସିନାମନ ଚାଲେଞ୍ଜ, ହଫିଙ୍ଗ୍‌ ଆଦିକୁ ଦେଖି ହେଉ ଠିକ୍‌ ସେହିଭଳି କରିବାକୁ ଉତ୍ସାହିତ ହୋଇ ମଣିଷ କିପରି ସର୍ବସ୍ବାନ୍ତ ହୁଏ ଅଥବା ଅକାଳ ମୃତ୍ୟୁକୁ ସ୍ବାଗତ କରେ ଏଭଳି ଅଘଟଣ ଆଜିକାଲି ପ୍ରାୟ ଦେଖିବାକୁ, ଶୁଣିବାକୁ ଓ ପଢ଼ିବାକୁ ମିଳୁଛି। ଅନୁକରଣର ରୂପାନ୍ତର ନକଲି। ନକଲ କରିବା ଆଜିକାଲି ଏତେ ବ୍ୟାପକ ହୋଇଗଲାଣି ଯେ ପରୀକ୍ଷା, ଚାଲିଚଳନ, ଭାଷା, କଳା, ସାହିତ୍ୟ, ପ୍ରସାଧନ, ଗହଣା ଇତ୍ୟାଦି ଛଡ଼ା ମଣିଷ ନିଜେ ବି ନକଲି ରୂପ ଧାରଣ କରୁଛି। ଏ ବିଷୟରେ ପ୍ରଖ୍ୟାତ ଆରବ୍ୟ ରଜନୀର କାହାଣୀରେ ସ୍ଥାନିତ ଆଲିବାବା ଆଣ୍ଡ ଫର୍ଟି ଥିଭ୍‌ସ ଗଳ୍ପରେ ଆଲିବାବାକୁ ଅନ୍ଧାନୁକରଣ କରି କାସିମର ଶେଷ ଗତି କିପରି ଭୟାନକ ହୋଇଥିଲା ତାହା ତ ପ୍ରାୟ ସମସ୍ତଙ୍କୁ ଜଣା।
ପୁରା କାଳରେ ପାଟଳିପୁତ୍ର ଜନପଦରେ ଥିଲା ମହିଳାରୋପ୍ୟ ନାମକ ନଗରୀଟିଏ। ସେଠାରେ ବାସ କରୁଥିଲେ ମଣିଭଦ୍ର ନାମରେ ଜଣେ ଶ୍ରେଷ୍ଠି। ଯୌବନରେ ପ୍ରଭୂତ ଧନ ସମ୍ପଦର ଅଧିକାରୀ ହୋଇଥିଲେ ବି କର୍ମ ଅବଳକୁ ଉତ୍ତର ଜୀବନରେ ସେ ସବୁରୁ ବଞ୍ଚତ୍ତ ହୋଇ ଦରିଦ୍ର ହୋଇଗଲେ। ସେ ଚିନ୍ତାକଲେ ଏଭଳି ଜୀବନ ବଞ୍ଚତ୍ବା ଅପେକ୍ଷା ବରଂ ଆତ୍ମହତ୍ୟା କରିବା ଭଲ। ଏହିପରି ଭାବୁ ଭାବୁ ଯେତେବେଳେ ତାଙ୍କୁ ଛାଇନିଦ ଲାଗିଆସିଛି ହଠାତ୍‌ ଏକ ସ୍ବପ୍ନ ଦେଖିଲେ। ଜଣେ ଜୀନ ତାଙ୍କ ପାଖରେ ଠିଆହୋଇ କହୁଥିଲେ, ବତ୍ସ ମଣିଭଦ୍ର! ଉଠ। ଯୌବନରେ ତୁମେ କିଛି ଦାନ ଧ୍ୟାନ କରିଥିଲ, ତା’ର ପ୍ରତିଦାନ ଦେବା ପାଇଁ ମୁଁ ତୁମ ପାଖକୁ ଆସିଛି। ସକାଳୁ ଉଠିଲେ ଦେଖିବ ଜଣେ ଜୀନ ( ଜୈନ ସନ୍ନ୍ୟାସୀ) ତୁମ ଘର ଆଡ଼କୁ ଆସୁଥିବେ। କିଛି ନ ଭାବି ତୁମେ ତାଙ୍କ ମୁଣ୍ଡରେ ଏକ ଶକ୍ତ ପାହାର ଦେବ। ସେ ସଙ୍ଗେ ସଙ୍ଗେ ତଳେ ପଡି ଯାଇ ଏକ ସୁବର୍ଣ୍ଣ ପ୍ରତିମାରେ ପରିଣତ ହୋଇଯିବେ। ତତ୍‌କ୍ଷଣାତ୍‌ ତୁମେ ତାଙ୍କୁ ଘର ଭିତରକୁ ନେଇଯିବ। ତୁମର ଦାରିଦ୍ର୍ୟ ଘୁଞ୍ଚତ୍ୟିବା ପାଇଁ ତାହା ଯଥେଷ୍ଟ ହେବ। ଛାୟାମୂର୍ତ୍ତିଟି ଅପସରି ଗଲା। ନିଦ ମଳ ମଳ ଆଖିରେ ଉଠିବସିଲେ ମଣିଭଦ୍ର। ଆଉ ନିଦ ହେଲାନି। କିଛି ସମୟ ପରେ ରାତି ପାହିଲା। ବାହାରକୁ ଆସି ଦେଖିଲେ ସତକୁ ସତ ଜଣେ ଜୀନ ତାଙ୍କ ଆଡ଼କୁ ଆସୁଛନ୍ତି। ହଠାତ୍‌ ତାଙ୍କ ମୁଣ୍ଡରେ ସେ ଏକ ଯଷ୍ଠି ପ୍ରହାର କଲେ। ଲୋକଟି ତଳେ ପଡିଯାଇ ଏକ ସ୍ବର୍ଣ୍ଣମୂର୍ତ୍ତି ପାଲଟି ଗଲା। କାଳ ବିଳମ୍ବ ନ କରି ସେ ତାକୁ ଭିତରକୁ ନେଇ ଗଲେ। କିନ୍ତୁ କ୍ଷୌରାଦି କର୍ମ କରିବା ପାଇଁ ତାଙ୍କ ଘରକୁ ଆସିଥିବା ନାପିତଟିଏ ଘଟଣାଟିକୁ ଦେଖିଦେଲା। ତାକୁ ମୂର୍ତ୍ତିର ଆଙ୍ଗୁଠିଟିଏ ଦେଇ ବିଦା କରିଦେଲେ ମଣିଭଦ୍ର। ନିଜ ଆଖିକୁ ବିଶ୍ୱାସ କରି ପାରିଲାନି ନାପିତଟି। ହେ ଭଗବାନ, ଜୀନମାନଙ୍କୁ ମାରିଦେଲେ ସେମାନେ ସୁନାର ମୂର୍ତ୍ତି ହୋଇଯାନ୍ତି ଏକଥା ଆଗରୁ ଯାହା ଜାଣି ପାରିଲିନି। ସେଇଦିନ ନିକଟସ୍ଥ ଏକ ଜୈନ ମଠକୁ ଯାଇ ସେ କିଛି ଜୀନଙ୍କୁ ପ୍ରଲୋଭିତ କରି ଭୋଜନ ଦେବାକୁ କହି ନିଜ ଘରକୁ ନିମନ୍ତ୍ରଣ କରି ଆଣିଲା ଏବଂ ଗୋଟିଏ ଘରେ ପୂରେଇ ଦେଇ ପିଟିବାକୁ ଲାଗିଲା। ସେମାନଙ୍କର ଚିତ୍କାର ଶୁଣି ସେ ବାଟରେ ଯାଉଥିବା କଟୁଆଳ ତାଙ୍କୁ ଉଦ୍ଧାର କଲା ଏବଂ ନାପିତକୁ ଧରିନେଇ ରାଜ ଦଣ୍ଡରେ ଦଣ୍ଡିତ କଲା।
ଅନୁକରଣ କରିବା ସବୁ କ୍ଷେତ୍ରରେ ଖରାପ ନୁହେଁ କାରଣ ଏହାର କିଛି ସକାରାତ୍ମକ ଦିଗ ବି ରହିଛି ଯଥା ମିମିକ୍ରି, କ୍ୟାରିକେଚର୍‌, କମେଡି ଶୋ, ଲଘୁ ପରିହାସ ଇତ୍ୟାଦି। କିନ୍ତୁ କିଛି ନ ବୁଝି ନ ଶୁଝି ପରଠୁ ଦେଖା ଶିଖା କଲେ ଅବସ୍ଥା ଠିକ୍‌ ଏହିପରି ହୁଏ।

  • ଅଲେଖ ଚନ୍ଦ୍ର ମିଶ୍ର
    ଶାସ୍ତ୍ରୀନଗର, ଭୁବନେଶ୍ୱର
    ମୋ: ୯୪୩୮୬୭୩୮୯୮

Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri