ଚାଷୀ ଅନୁକୂଳ କଲେ ପହିଲି ମୁଣ୍ଡା

ମହାକାଳପଡ଼ା,୨୫ା୭(ଡି.ଏନ୍‌.ଏ.): ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଅନେକ ଅଞ୍ଚଳରେ ତଳିଘେରା ପ୍ରସ୍ତୁତ ହୋଇଥିବା ବେଳେ ଚାଷୀମାନେ ଜମିରେ ପହିଲି ମୁଣ୍ଡା ଅନୁକୂଳ କରିଛି। ଖରିଫ୍‌ ଋତୁରେ ଧାନଫସଲ ଭଲ ଅମଳ ପାଇଁ ଚାଷୀ ନଳିତା, ସାରୁ, କଳାମ ଆଦି ଗଛକୁ ହିଡ଼ମୁଣ୍ଡରେ ଲଗାଇ ଅରୁଆ ଚାଉଳରେ ପ୍ରସ୍ତୁତ ପିଠା ପୂଜାର୍ଚ୍ଚନା ପରେ ରୁଆ ବେଉଷଣ ଅନୁକୂଳ କରାଯାଇଥାଏ। ଚାଷୀମାନଙ୍କ ବିଶ୍ୱାସ ଯେ, ଏଭଳି କଲେ ଭଲ ଫସଲ ଅମଳ ହେବ। ଏବେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ମୋଟ ୨୮ ହଜାର ହେକ୍ଟର ଚାଷଜମି ରହିଥିବା ବେଳେ ଖରିଫ୍‌ ଧାନ ଫସଲ ପାଇଁ ୨୪ ହଜାର ହେକ୍ଟର ଜମି ଚାଷ ହେଉଛି। ଅନ୍ୟ ୪ ହଜାର ହେକ୍ଟର ଜମିରେ ଅର୍ଥକରୀ ଫସଲ ମଧ୍ୟରେ ନଳିତା, ଆଖୁ, ଡାଲି, ତୈଳବୀଜଜାତୀୟ ଚିନାବାଦାମ, ସୂର୍ଯ୍ୟମୁଖୀ, ମସଲାଜାତୀୟ ଲଙ୍କା ସମେତ ପନିପରିବା ଉତ୍ପାଦନ ହେଉଛି।
ଚଳିତବର୍ଷ ଜଳବାୟୁ ପରିବର୍ତ୍ତନ ଓ ନିଅଣ୍ଟିଆ ବର୍ଷା ଯୋଗୁ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ ହେଉଛି। ଅପରପକ୍ଷରେ ଲଘୁଚାପଜନିତ ବର୍ଷା ଯୋଗୁ ସାମୁଦ୍ରିକ ଜୁଆର ଚାଷଜମିରେ ମାଡ଼ିଯିବା ଯୋଗୁ ଚାଷୀମାନଙ୍କ ତଳି ଓ ରୁଆ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଗଁା, ସହର ଓ ଛକ ବଜାରରେ ଗଢ଼ି ଉଠିଥିବା ଦୋକାନଗୁଡିକରୁ ଉଚ୍ଚଦରରେ ଚାଷୀ ବିହନ କିଣି ତଳି ପ୍ରସ୍ତୁତ କରିଛନ୍ତି। କେଉଁଠି ଗଜା ହେଉନି ତ ଆଉ କେଉଁଠାରେ ପୁରୁଣା ଓ ହାଇବ୍ରିଡ୍‌ ବିହନ ଚାଷ ପାଇଁ ସୁଫଳ ମିଳୁନି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ଅଦ୍ୟାବଧି ବଜାରରୁ ଚଢ଼ାଦରରେ ଚାଷୀ ସାର କିଣିବାକୁ ବାଧ୍ୟ ହେଉଛନ୍ତି। କାରଣ ସରକାରୀ ସ୍ତରରେ ସାର ବିକ୍ରୟ ପାଇଁ ଯେଉଁସବୁ କେନ୍ଦ୍ର ହେବା କଥା ତାହା ଅଦ୍ୟାବଧି ଖୋଲାଯାଇନାହିଁ। ଜମିରୁ ଲୁଣାଜଳ ନିଷ୍କାସିତ ନ ହେବାରୁ ଅନେକ ଚାଷଜମି ପଡ଼ିଆ ପଡ଼ିବ ବୋଲି କୋଚିଳା ଗ୍ରାମର ହରି ଗୋଚ୍ଛାୟତ, ପ୍ରମୋଦ ରାଉତ, ନାଥ ଭୋଳ, ବାବାଜୀ ସ୍ବାଇଁ ପ୍ରମୁଖ କହିଛନ୍ତି।