ଟେସଲା କାର୍‌କୁ ହ୍ୟାକ୍‌ କରି ଦେଖାଇଲେ

ନୁୟର୍କ,୧୮।୧: ଜର୍ମାନୀର ୧୯ ବର୍ଷୀୟ ସାଇବର ସିକ୍ୟୁରିଟି ରିସର୍ଚ୍ଚର ଡେଭିଡ୍‌ କଲମ୍ବୋ ଦୁର୍ଘଟଣା ବଶତଃ ଏକ ବଡ଼ ଆବିଷ୍କାର କରିଛନ୍ତି।

ସେ ଏକ ଫ୍ରେଞ୍ଚ କମ୍ପାନୀର ସିକ୍ୟୁରିଟି ଅଡିଟ୍‌ କଲା ବେଳେ ଅସାଧାରଣ ସଫ୍ଟଓ୍ବେୟାର ପ୍ରୋଗ୍ରାମ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କମ୍ପାନୀର ନେଟଓ୍ବର୍କରେ ଥିବା ସେହି ସଫ୍ଟଓ୍ବେୟାର ପ୍ରଘଟ କରିଥିଲା, ଟେସଲା ଇଙ୍କ. ଗାଡ଼ିରେ ବ୍ୟବହୃତ ଟେକ୍‌ନୋଲୋଜୀର ସମସ୍ତ ତଥ୍ୟ। ତାହା ମାଧ୍ୟମରେ କାର କେଉଁଠାରେ ଚଲାଯାଉଛି ଏବଂ ଏହାର ସଠିକ୍‌ ଅବସ୍ଥାନର ସମ୍ପୂର୍ଣ୍ଣ ବିବରଣୀ ଜାଣି ହେଉଛି। କେବଳ ଏତିକି ନୁହେଁ, ସେହି ସଫ୍ଟଓ୍ବେୟାରର ଦ୍ୱାରା ଟେସଲ କାରକୁ ହାଇଜାକ୍‌ କରିହେବ ଜାଣିବାକୁ ପାଇଥିଲେ କଲମ୍ବୋ। ତେବେ କାରକୁ ସମ୍ପୂର୍ଣ୍ଣ ରୂପେ ନହେଲେ କାରର ଗାଡ଼ିର ଡୋର ଖୋଲିବା, ବନ୍ଦ କରିବା, ମ୍ୟୁଜିକ୍‌ ଅନ୍‌ କରିବା ଏବଂ ସିକ୍ୟୁରିଟି ଫିଚର୍ସ ଭଳି ଫଙ୍କଶନକୁ ନିୟନ୍ତ୍ରିତ କରିହେବ। କିନ୍ତୁ ସେ କାର ଷ୍ଟେରିଂ, ବ୍ରେକ ଓ ଅନ୍ୟ ଅପରେଶନକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ।

କଲମ୍ବୋ ଗତ ସପ୍ତାହରେ ଟୁଇଟର ପୋଷ୍ଟ ଜରିଆରେ କହିଥିଲେ, ୟୁରୋପ ଓ ଉତ୍ତର ଆମେରିକା ସମେତ ୧୩ ଦେଶର ୨୫ ଟେସଲା ଗାଡ଼ି ଉପରେ ସଫ୍ଟଓ୍ବେୟାର ଆକ୍ରମଣ ହୋଇପାରେ। ପରବର୍ତ୍ତୀ ବଶ୍ଳେଷଣ ଇଙ୍ଗିତ କରୁଛି ଟେସଲାର ସେଭଳି ୧୦୦ରୁ ଅଧିକ ଗାଡ଼ି ରହିଥାଇପାରେ। ତେବେ ଏହାର ଅର୍ଥ ନୁହେଁ ଟେସଲା ଗାଡ଼ି କିମ୍ବା କମ୍ପାନୀର ନେଟଓ୍ବାର୍କରେରେ କିଛି ତ୍ରୁଟି ଅଛି। କିନ୍ତୁ ଓପେନ ସୋର୍ସରୁ ଉପଲବ୍ଧ ଥିବା ସଫ୍ଟଓ୍ବେୟାର ଦ୍ୱାରା ଟେସଲା କାରର ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ କରାଯାଇ ପାରୁଛି।

ତେବେ ଏହା ଉପରେ ଟେସଲା କମ୍ପାନୀ ପକ୍ଷରୁ କିଛି କୁହାଯାଇ ନାହିଁ। କିନ୍ତୁ କଲମ୍ବୋ ତାଙ୍କ ଆବିଷ୍କାର ସମ୍ପର୍କୀତ ସ୍କ୍ରିନଶଟ୍‌ ଓ ଅନ୍ୟ ତଥ୍ୟ ଟୁଇଟ୍‌ କରିବା ପରେ କମ୍ପାନୀର ସିକ୍ୟୁରିଟି ଦଳର ଜଣେ ସଦସ୍ୟ ତାଙ୍କୁ ଯୋଗାଯୋଗ କରିଥିଲେ। ଆମେରିକାର ନ୍ୟାଶନାଲ ହାଇଓ୍ବେ ଟ୍ରାଫିକ ସେଫଟି ଆଡମିନିଷ୍ଟ୍ରେଶନ ପ୍ରବକ୍ତା ଏ ସମ୍ପର୍କରେ ଟେସଲାକୁ ଯୋଗାଯୋଗ କରିଥିବା ଜଣାପଡ଼ିଛି।

Share