ମହାକାଳପଡ଼ା, ୨୬।୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅଧୀନ କଣ୍ଟିଲୋ ଛକରେ ଶନିବାର ଅପରାହ୍ନରେ ଏକ ରାସ୍ତା ଦୁର୍ଘଟଣାକୁ ନେଇ ଖଣ୍ଡା ବୁଲିଛି। ତେବେ ଏକ ଜମି କିଣାବିକାକୁ ନେଇ ଏହି ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଭୟଭୀତ ହୋଇ ତନ୍ତିଆପାଳ ପୋଲିସକୁ ଖବର ଦେଇଥିଲେ। ପୋଲିସ ଟିମ୍ ୩ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ଜମି ଅନ୍ୟ ଜଣଙ୍କୁ ବିକ୍ରି କରିଥିଲେ। କିଣିବା ଲୋକ ଜମି ପଟ୍ଟା ପାଇଛନ୍ତି। ହେଲେ ଜମି ବିକିବା ଲୋକ ପୁନର୍ବାର ଜମି ଫେରାଇବା ପାଇଁ ଚାପ ପକାଇଥିଲେ। ହେଲେ ଜମି କିଣିବା ଲୋକ ରାଜି ନ ହେବାରୁ ସେମାନଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଜମି ବିକିବା ଲୋକ ଉକ୍ତ ଅଞ୍ଚଳର ନିଜ ସମ୍ପର୍କୀୟ ଲୋକଙ୍କୁ ବିବାଦ ସମ୍ପର୍କରେ ଜଣାଇଥିଲେ। ତଦନୁଯାୟୀ ଭୁବନେଶ୍ୱରରେ ରହୁଥିବା ଉକ୍ତ ଅଞ୍ଚଳର ଜଣେ ଯୁବକ ଦୁଇ ସାଥୀଙ୍କୁ ଧରି ଏକ କାର ଯୋଗେ ପହଞ୍ଚିଥିଲେ। ଏହି ସମୟରେ କଣ୍ଟିଲୋ ଛକରେ ରାସ୍ତା ଦୁର୍ଘଟଣା ଘଟିଥିଲା। ଫଳରେ ଦୁଇ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ କୁହାଯାଇଛି। ଦୁର୍ଘଟଣା ପରେ କାର୍ରେ ଆସିଥିବା ଯୁବକମାନେ ଖଣ୍ଡା ବୁଲାଇ ଭୟଭୀତ କରିଥିଲେ। ଏହାକୁ ସ୍ଥାନୀୟ ଲୋକମାନେ ବିରୋଧ କରିବା ସହ ତନ୍ତିଆପାଳ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଥାନା ଅଧିକାରୀ କିଶୋର କୁମାର ତରାଇ ଓ ପୋଲିସ ଟିମ୍ ପହଞ୍ଚି ଜଣକୁ କାବୁ କରିଥିବାବେଳେ ଅନ୍ୟ ଦୁଇ ସହଯୋଗୀ ଖସି ପଳାଇଥିଲେ। ସାରେ ସେମାନଙ୍କୁ ପୋଲିସ ଘରୁ ଉଠାଇ ନେଇଛି। ଅପରପକ୍ଷରେ ଘଟଣାସ୍ଥଳରେ କାରକୁ ସ୍ଥାନୀୟ ଉତ୍ତେଜିତ ଲୋକମାନେ ବାଡ଼େଇ ଭାଙ୍ଗି ଦେଇଥିଲେ। ଏହାସହ ଟାୟାର ଜାଳି ଜମ୍ବୁ-ବାବର ମୁଖ୍ୟ ରାସ୍ତାକୁ ପ୍ରାୟ ୪ ଘଣ୍ଟା ଧରି ଅବରୋଧ କରିଥିଲେ। ପୋଲିସ ୨ ଖଣ୍ଡା ଏବଂ ଉକ୍ତ କାର୍ (ଓଡି୦୭ ୱାଇ ୫୧୦୦)କୁ ଜବତ କରିଥିବା ଜଣାପଡ଼ିଛି। ଚାପା ଉତ୍ତେଜନା ଥିବାରୁ ମହାକାଳପଡ଼ା ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର, ରାଜନଗର ଥାନା ଅଧିକାରୀ ନରେଶ ଚନ୍ଦ୍ର ସାହୁ ଓ କେନ୍ଦ୍ରାପଡ଼ା ଡିଏସ୍ପି ସରୋଜ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅପରାହ୍ନ ୫ଟା ବେଳକୁ ରାସ୍ତା ଅବରୋଧ ହଟିଥିଲା। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଘଟଣାକୁ ନେଇ ଜମି କିଣିଥିବା ବ୍ୟକ୍ତିଙ୍କ ଭଉଣୀ ପ୍ରମିତା ଦାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରିପୋର୍ଟ ପ୍ରସ୍ତୁତି ସୁଦ୍ଧା ମାମଲା ରୁଜୁ ହୋଇ ନ ଥିଲା।

