ସରଳ ଶିଶୁ ଓ ଲଙ୍ଗଳା ରାଜା

ଡ. ପବିତ୍ର ସୁବୁଦ୍ଧି

 

‘ସରଳ ଶିଶୁ ଓ ଲଙ୍ଗଳା ରାଜା’ ଶୀର୍ଷକ ଏ ପ୍ରବନ୍ଧଟି ଉପସ୍ଥାପନ କରିବାକୁ ଗଲାବେଳେ ଏକ ରୋଚକ ପ୍ରସଙ୍ଗ ସ୍ମରଣକୁ ଆସେ। କ୍ରିସ୍‌ମାସ୍‌ ପୂର୍ବବର୍ତ୍ତୀ ମଧ୍ୟରାତ୍ର। ଚିରାଚରିତ ପରମ୍ପରା ଅନୁସରଣକରି ସାନ୍ତା କ୍ଲଜ୍‌ ମହୋଦୟ ସୁଦୂର ତୁଷାରପୁରୀରୁ ଆସି ଜନପଦରେ ପହଞ୍ଚତ୍ଛନ୍ତି। ଉଦ୍ଦେଶ୍ୟ ହେଲା, ସରଳ ଶିଶୁମାନଙ୍କ ହାତରେ କିଛି କ୍ରିସ୍‌ମାସ୍‌ ଉପହାର ଦେବେ। ଖୋଜି ଖୋଜି ନୟାନ୍ତ ସାନ୍ତା କ୍ଲଜ୍‌। ରାତି ପାହି ପ୍ରଭାତ ହେଲା। ତଥାପି ସ୍ନେହଶୀଳ ସାନ୍ତା ଏମନ୍ତ ସରଳ ଶିଶୁଟିଏ ଖୋଜି ପାଇଲେ ନାହିଁ। ପାଇବାର ସମ୍ଭାବନା ବି କ୍ଷୀଣ। କାରଣ ପୃଥିବୀରେ ଆଜି ଚତୁର, ଧୁରନ୍ଧର ତଥା ବୁଦ୍ଧିମାନ୍‌ ବାଳକ ବାଳିକାଙ୍କ ଅଭାବ ନାହିଁ। କିନ୍ତୁ ସରଳ, ନିରୀହ, ନିଷ୍ପାପ, ନିରୁତା ଶିଶୁଟିଏ ଆଜି ଦୁର୍ଲଭ। ଘୋର ସନ୍ତାପରେ ଫେରିଯାଉଛନ୍ତି ସାନ୍ତା ଓ ଯାଉ ଯାଉ ପଚାରୁଛନ୍ତି ଏ ତମାମ ମଣିଷ ଜାତିକୁ- ”ଏହି ଅମୂଲ୍ୟ ଶିଶୁ ସମ୍ପଦ ଲୁପ୍ତ ହୋଇଯିବାର କାରଣ କ’ଣ?“
ଶିଶୁ ହେଉଛି ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି। କିନ୍ତୁ ହାୟ! ସେ ଶିଶୁ ଆଜି କାହିଁ? ଯେଉଁ ଶିଶୁ ଓ୍ବାର୍ଡସ୍‌ଓ୍ବର୍ଥଙ୍କ କବିତାରେ ପ୍ରଜାପତି ସହ କଥା ହୁଏ, ତାକୁ ବଗିଚାକୁ ଆମନ୍ତ୍ରଣ କରେ। କୁଆଡ଼େ ଗଲା ସେ ଶିଶୁ, ଯିଏ ଲୁଚିଛପି ଆମ ଜୀବନର ରାସ୍ତା କଡ଼େ କଡ଼େ ଚାଲିଯାଉଥିବା ନେଉଳ ଭାଇ ସହ ମିତ ବସେ। ଯିଏ ଆମ ବୟସ୍କଙ୍କ ଜୀବନ ଓ ମରଣର ଅସଲ ସାହସ ଓ ହେତୁ। ସେ ସରଳ, ସାହସୀ, ସତ୍ୟବାଦୀ କୁନି ପିଲାଟି ଏବେ କେଉଁଠି ଲୁଚିଗଲା, ଯିଏ ସେଦିନ ନିର୍ଭୟରେ ଲଙ୍ଗଳା ରାଜାଙ୍କୁ ହାତଠାରି ପଚାରିଥିଲା- ”ଆରେ ହେ ନିର୍ଲଜ ରାଜା! ତୋର ଲୁଗା କାହିଁ?“ କେଉଁଠି ନିରୁଦ୍ଦିଷ୍ଟ ହୋଇଗଲା ସେ କଅଁଳ ଶିଶୁ, ଯାହାର ଶୈଶବ ଅମୃତର ସ୍ବାଦ ପରି, ଯାହାର ସୁମଧୁର ପିଲାଦିନ କବିତା ଲେଖିଛି, ସ୍ବପ୍ନ ଦେଖିଛି ପ୍ରତି ଶତାବ୍ଦୀରେ, ପ୍ରତି ଦେଶରେ…।
ସମସ୍ତେ ଦେଖୁଛନ୍ତି ରାଜା ଲଙ୍ଗଳା। କିନ୍ତୁ କରତାଳି ଦେଇ ସମସ୍ତେ କହୁଛନ୍ତି- ସାବାସ୍‌ ରାଜା, ସାବାସ୍‌। ରାଜାଙ୍କ ଦେହରେ ବସ୍ତ୍ର ନାହିଁ। ସେ ସମ୍ପୂର୍ଣ୍ଣ ନିର୍ବସ୍ତ୍ର। ଅଥଚ ପ୍ରଜାଏ କହୁଛନ୍ତି, ରାଜାଙ୍କ ଲୁଗା ଅତି ସୂକ୍ଷ୍ମ ସୂତାରେ ବୁଣା। ଆଖିକୁ ଦିଶୁନି ସିନା, କିନ୍ତୁ ଅଛି ନିଶ୍ଚୟ, ଅନ୍ତତଃ ଥିବାଟା ଆଦୌ ଅସମ୍ଭବ ନୁହେଁ। ଅହଂକାରରେ ଅନ୍ଧ ରାଜା ନିଜ ନଗ୍ନତାକୁ ବି ଚର୍ମଚକ୍ଷୁରେ ଦେଖିପାରୁ ନାହାନ୍ତି। ସେଥିପାଇଁ ଉଲଗ୍ନ ରାଜା ଏବେ ଓହ୍ଲେଇ ଆସିଛନ୍ତି ବାସ୍ତବତାର ରାସ୍ତା ଉପରକୁ। ତାଳିରେ ଫାଟି ପଡ଼ୁଛି ଶୋଭାଯାତ୍ରା। ମିଛ ପ୍ରଶଂସାରେ ପୋତିହୋଇ ପଡ଼ୁଛନ୍ତି ରାଜା। ଏ ଗଳ୍ପଟି ଆପଣମାନେ ସମସ୍ତେ ଜାଣନ୍ତି। କିନ୍ତୁ କେହି ପାଟି ଫିଟେଇ କହୁନାହାନ୍ତି- ହେ ରାଜନ! ଆପଣଙ୍କ ଲୁଗା କାହିଁ? କାରଣ କାହା ମନରେ ପୁରୁଣା ସଂସ୍କାର ତ, କାହାର ରାଜଦଣ୍ଡକୁ ହାଲ୍‌ ଭୟ। ଆଉ କିଏ ନିଜ ବୁଦ୍ଧି ବନ୍ଧକ ପକେଇଛି ରାଜାଙ୍କ ପାଖରେ ତ, ଆଉ କିଏ ପରାନ୍ନଭୋଜୀ, କିଏ କୃପା ପ୍ରାର୍ଥୀ ତ କିଏ ପ୍ରବଞ୍ଚକ। କିନ୍ତୁ ସେହି ଶୋଭାଯାତ୍ରାରେ ଜଣେ ହିଁ ପିଲା ଥିଲା, ଯିଏ କାହାର ମିଛ ପ୍ରଶସ୍ତିଗାନ କରିବା ଶିଖି ନ ଥିଲା କି ଭୀତତ୍ରସ୍ତ ବି ନ ଥିଲା। ବୟସ୍କଙ୍କ ଭଳି ନିର୍ବୋଧ ବି ନ ଥିଲା। ତେଣୁ ସେହି ସତ୍ୟବାଦୀ, ସରଳ, ସାହସୀ କୁନି ପିଲାଟି ସେଦିନ ଲଙ୍ଗଳା ରାଜାଙ୍କ ସାମ୍ନାରେ ନିର୍ଭୟରେ ଛିଡ଼ାହୋଇ ମୁହୁର୍ମୁହୁଃ କରତାଳିରେ ଊର୍ଦ୍ଧ୍ୱରେ ଉଚ୍ଚ ସ୍ବରରେ ପ୍ରଶ୍ନ କଲା- ଆରେ ଏ ନିର୍ଲଜ ରାଜା! ତୋର ଲୁଗା କାହିଁ? ପ୍ରଶ୍ନ ସ୍ତମ୍ଭୀଭୂତ କଲା ଅଗଣିତ ସ୍ତାବକଙ୍କୁ, ତୋଷାମଦକାରୀଙ୍କୁ, ମିଛ କରତାଳିକୁ ଏପରିକି ଲଙ୍ଗଳା ରାଜାଙ୍କୁ ବି।
ଜଣେ ମନୋବିଜ୍ଞାନୀଙ୍କ ହିସାବ କହେ- ନବଜାତ ଶିଶୁଟିଏ ଦିନକ ଭିତରେ ପ୍ରାୟ ୪୦୦ରୁ ୫୦୦ ଥର ମୃଦୁ ମୃଦୁ ହସିଥାଏ। କ୍ରମେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ହସର ସଂଖ୍ୟା କମିଯାଏ। ଶହ ଶହ ଥର ମୃଦୁ ହସ ପରିବର୍ତ୍ତେ ଶହ ଶହ ଥର ଦୀର୍ଘଶ୍ୱାସ ତ୍ୟାଗକରେ ବୟସରେ ବଢ଼ୁଥିବା ଶିଶୁ। ଦେହରେ କଣ୍ଟା ଓ ବିଷ ଧରି ଜନ୍ମ ନେଇଥିବା ଶଁବାଳୁଆଟିଏ ପରେ ପ୍ରଜାପତି ହୋଇ ଉଡ଼ିଯାଏ। ମାତ୍ର ମୂଳରୁ ପ୍ରଜାପତି ହୋଇ ଜନ୍ମ ହୋଇଥିବା ଦେବ ଶିଶୁଟି କ୍ରମେ କ୍ରମେ ଶଁବାଳୁଆ ପାଲଟିଯାଏ। ଶିଶୁ ଯେ ସରଳତା ବିନା ଜନ୍ମ ଗ୍ରହଣ କରୁଛି, ତାହା ନୁହେଁ କିନ୍ତୁ ଆଜିର ଯନ୍ତ୍ର ସମୃଦ୍ଧ ତଥା ଯାନ୍ତ୍ରିକ ଜୀବନଶୈଳୀ ଚାଳିତ ପରିବାର ଓ ପରିବେଶ ସେ ସରଳତାର ବିକାଶ ଦିଗରେ ତାକୁ ସୁଯୋଗ ଦେଉନାହିଁ। ଜନ୍ମ ହେଲା ପରଦିନଠାରୁ ତା’ ମୁଣ୍ଡ ଉପରେ ବୋଝ। ନିଜର ଓଜନଠାରୁ ଅଧିକ ଓଜନଦାର ସ୍କୁଲବ୍ୟାଗ୍‌ ପିଠିରେ ବୋହି ସେ ପାଲଟିଯାଉଛି କୂର୍ମ। ସ୍କୁଲର ପାଠପଢ଼ା, ହୋମ୍‌ଟାସ୍କ ଓ ଲେସନପ୍ଲାନ୍‌ ଭିତରେ ସେ ହୋଇଯାଉଛି ଏକ ଯନ୍ତ୍ର ଶିଶୁ। ସ୍କୁଲରେ ପାଠପଢ଼ା ପାଇଁ ତାଗିଦ, ଘରେ ମା’ବାପାଙ୍କର ପରୀକ୍ଷାର ପର୍ସେଣ୍ଟେଜର ତାଗିଦ ଭିତରେ ସେ ହଜେଇଦେଉଛି ତା’ର ଅମୂଲ୍ୟ ପିଲାଦିନ। ବୁଢ଼ୀମା’ର ଉଷୁମ କୋଳ, ରାଜକୁମାରୀ ଓ ବୁଢ଼ୀ ଅସୁରୁଣୀର ରୋମାଞ୍ଚ କାହାଣୀ, ମା’ବାପାଙ୍କର ଅନାବିଳ ସ୍ନେହ ଶିଶୁ ପାଇଁ ଏବେ ସାତସପନ। ଖାଲି ପାଠ ଆଉ ପାଠ। ସେହି ପାଠ ପାଇଁ ପିଲାଙ୍କ ହାତରୁ ଖେଳଣା କଣ୍ଢେଇ ଛଡ଼େଇନେଇ ମା’ବାପାମାନେ ଧରେଇ ଦେଉଛନ୍ତି ମୋବାଇଲ ଫୋନ୍‌, ଇଣ୍ଟରନେଟ୍‌ ଓ ଭିଡିଓ ଗେମ୍‌ର କୁହୁକ। ଏଣୁ ଆଜିର ପିଲାମାନେ ପୂର୍ବପିଢ଼ିର ପିଲାଙ୍କ ତୁଳନାରେ ବହୁ ଅଧିକ ଫିଟ୍‌ଫାଟ, ବାକ୍‌ଚତୁର ଓ ବୁଦ୍ଧିମାନ୍‌। କିନ୍ତୁ ସେମାନଙ୍କ ଭିତରେ ଘୋର ଅବସାଦ ଓ ବିରକ୍ତି। ମଧ୍ୟବିତ୍ତ ମାତାପିତାଙ୍କ ଉପାର୍ଜନ ବଢ଼ିବା ସଙ୍ଗେ ସଙ୍ଗେ ବଢ଼ିଛି ଉଚ୍ଚାଭିଳାଷ। ପିଲା କାଳେ ସେମାନଙ୍କ ସମକକ୍ଷ ନ ହେବ ଅଥବା ସେମାନଙ୍କୁ ବଳିଯିବାରେ ସକ୍ଷମ ହେବ କି? ସେହି ଭୟରେ ସେମାନେ ପିଲାମାନଙ୍କୁ ଅଣନିଃଶ୍ୱାସୀ କରି ପ୍ରତିଯୋଗିତାର ଘୂର୍ଣ୍ଣି ଭିତରକୁ ଠେଲି ଦିଅନ୍ତି। ପ୍ରତିଯୋଗିତାରେ ସଫଳ ହେବା ପାଇଁ ପିଲାଙ୍କୁ ଯୋଗେଇ ଦିଅନ୍ତି ସେଲ୍‌ଫୋନ୍‌, ଗାଡ଼ି ଓ ପ୍ରଚୁର ଟଙ୍କା। କିନ୍ତୁ ଦିଅନ୍ତି ନାହିଁ ଅନ୍ତରଙ୍ଗତା। ବିଚାର କରନ୍ତି ନାହିଁ ସେମାନଙ୍କର ଇଚ୍ଛା ଓ ଅନିଚ୍ଛା। ପିଲା ନିଜେ ମଧ୍ୟ ନିଜ ସହ ଅନ୍ତରଙ୍ଗ ହେବାର ସୁଯୋଗ ପାଏ ନାହିଁ। ଏଣେ ପ୍ରତିଯୋଗିତାରେ ବିଫଳ ହେବାର ଭୟରେ ପିଲାଙ୍କ ଭିତରେ ଭରିଯାଏ ଅବସାଦ, ବିଷର୍ଣ୍ଣତା ଓ ଆତ୍ମହତ୍ୟା ପ୍ରବଣତା। ପ୍ରତିଯୋଗିତା କ’ଣ ଜୀବନର ଏକମାତ୍ର ଆଭିମୁଖ୍ୟ?
ସେଇଥିପାଇଁ ସ୍ବାଧୀନତାର ୭ଦଶନ୍ଧି ପରେ ବି କୋମଳମତି ଶିଶୁ ଆଜି ନର୍କଗାମୀ ହେବାରେ ଲାଗିଛି। ଶିଶୁପ୍ରିୟ ଜବାହରଙ୍କ ଶିଶୁ ଉଦ୍ୟାନ ଆଜି ପୁଷ୍ପବିହୀନ। ଶିଶୁ ଦିବସ ପାଲଟିଛି ପ୍ରହସନ। ମରି ମରି ଯାଉଛି ଶିଶୁ ଜୀବନରୁ ସବୁ ସ୍ବପ୍ନ ଆଉ ସମ୍ଭାବନା। ଶିଶୁ ରତ୍ନ ଯତ୍ନ ଅଭାବରୁ ଲୁପ୍ତହେବାକୁ ବସିଛି। ଯେଉଁ ଦେଶର ଶିଶୁ, ଜାତି ପାଇଁ ଜୀବନ ଦିଏ, ସେ ଶିଶୁର ଅମୂଲ୍ୟ ଶୈଶବ ଏଠି ବିନା ମୂଲ୍ୟରେ ନିଲାମ ହୁଏ। ଏହା କ’ଣ କମ୍‌ ବିଡ଼ମ୍ବନା? ଏ ଦେଶ ଗୌତମ ଓ ଗାନ୍ଧୀଙ୍କର ଦେଶ। ଲବକୁଶ ପରି ଶିଶୁ ଆମର। ଏମାନଙ୍କୁ ନେଇ ଆମେ ସୁନାର ଦେଶ ଗଢ଼ିବାର ସ୍ବପ୍ନ ଦେଖୁ। ଏଣୁ ପ୍ରତ୍ୟେକ ଶିଶୁଙ୍କୁ ଆମେ ଏ ଜାତିର ଜବାହର ପରି ପାଳନ କରିବା ଉଚିତ। ଶିଶୁ ଦେଶର ବିପତ୍ତି ନୁହେଁ, ଜାତୀୟ ସମ୍ପତ୍ତି। ଶିଶୁ ଏ ଧରାରେ ସୁନ୍ଦର ଫୁଲଚାରାଟିଏ, ଏ ଦେଶର ଭାବୀ ନେତାଟିଏ, ଭାଗ୍ୟବିଧାତାଟିଏ। ସେମାନଙ୍କର ଭବିଷ୍ୟତ, ଦେଶର ଭବିଷ୍ୟତ। ଆଜିର ଶିଶୁ କାଲିର ନାଗରିକ।
ହେ ପୃଥିବୀର ପିଲାମାନେ! ଆମର ଆୟୁଷ ନେଇ ତୁମେ ବଞ୍ଚତ୍ରୁହ। ସତ ନ କହିବା ପାଇଁ ଏବେ ଆମ ପାଟିରେ ତାଲା। ମିଛ ପାଇଁ କିନ୍ତୁ ଆମ ସବୁ ଦୁଆର ଖୋଲା। ତମେ ହିଁ କେବଳ ନିର୍ଭୟରେ ସତ କହିପାରିବ। ଏ ପୃଥିବୀର ସମସ୍ତ ଲଙ୍ଗଳା ରାଜାଙ୍କୁ ତମେ ହିଁ କେବଳ ଅଙ୍ଗୁଳି ନିର୍ଦ୍ଦେଶ କରି ପଚାରିପାରିବ- ଆରେ ହେ ଲଙ୍ଗଳା ରାଜା! ତମର ପୋଷାକ କାହିଁ? ତମେ ହିଁ ଚାହିଁଲେ ଏ ପୃଥିବୀରେ ‘ମିଥ୍ୟା’ର ବିପରୀତ ଭାବେ କେବଳ ‘ସତ୍ୟ’ ପ୍ରତିଭାତ ନ ହୋଇ ‘ସତ୍ୟ’ ହିଁ ହେବ ମଣିଷ ଜାତିର ଶ୍ୱାସପ୍ରଶ୍ୱାସ। ଆଉ କାହାର ଥାଉ ବା ନ ଥାଉ, କିନ୍ତୁ ଅଧମ ଲେଖକର ଅଛି ଏଥିପ୍ରତି ଅଖଣ୍ଡ ବିଶ୍ୱାସ। ଶିଶୁ ଭିତରେ ଥିବା ‘ସତ୍ୟଚେତନା’ଟି ଦୀର୍ଘଜୀବୀ ହେଉ, ଏହା ହିଁ ଏକାନ୍ତ କାମନା।
ପ୍ରାଧ୍ୟାପକ ନୀଳମାଧବ କଲେଜ,
କଣ୍ଟିଲୋ, ନୟାଗଡ଼
ମୋ: ୬୩୭୦୬୪୫୭୮୯


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri