ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି ପଦାବଳୀର ପ୍ରାସଙ୍ଗିକତାକୁ ପରଖିଲେ, ଏହାର ପ୍ରତିଟି ଅକ୍ଷର ଶତପ୍ରତିଶତ ସତ୍ୟ ପ୍ରମାଣିତ ହୁଏ। ଅତୀତରେ ସମାଜରେ ଏକ ଧାରଣା ପ୍ରଚଳିତ ଥିଲା ଯେ, ‘ଯାହାର ନାହିଁ ଅନ୍ୟଗତି, ସିଏ କରୁଛି ରାଜନୀତି।’ ଅର୍ଥାତ୍ ଯେଉଁମାନେ ସମାଜର ଅନ୍ୟ କୌଣସି ଜୀବିକା କିମ୍ବା ବୃତ୍ତିରେ ନିଜର ଦକ୍ଷତା ପ୍ରତିପାଦନ କରିପାରୁ ନ ଥିଲେ, ସେମାନେ ଶେଷ ଆଶ୍ରୟ ଭାବେ ରାଜନୀତିକୁ ଓହ୍ଲାଉଥିଲେ। ମାତ୍ର ବିଡ଼ମ୍ବନାର ବିଷୟ, ବର୍ତ୍ତମାନ ସମୟ ସମ୍ପୂର୍ଣ୍ଣ ଓଲଟି ଯାଇଛି। ଆଜିର ଦିନରେ ରାଜନୀତି କୌଣସି ତ୍ୟାଗ, ସେବା ବା ଦେଶାତ୍ମବୋଧର ପବିତ୍ର ଅନୁଷ୍ଠାନ ହୋଇ ରହିନାହିଁ। ବରଂ ଏହା ଏକ ଲାଭଦାୟକ, ବିପଦମୁକ୍ତ ଏବଂ କର୍ପୋରେଟ୍ ଶୈଳୀର ଶୀର୍ଷ ବ୍ୟବସାୟରେ ରୂପାନ୍ତରିତ ହୋଇଛି। ସ୍ବଳ୍ପ ସମୟ ମଧ୍ୟରେ ଅମାପ ସମ୍ପତ୍ତିର ପାହାଡ଼ ଛିଡ଼ା କରିବା ଏବଂ କ୍ଷମତା ବଳରେ ପ୍ରଭାବ ବିସ୍ତାର ପାଇଁ ଏହା ସବୁଠାରୁ ସୁରକ୍ଷିତ ‘ଶର୍ଟକର୍ଟ’ ମାଧ୍ୟମ ପାଲଟିିଛି।
ଏହି ବ୍ୟବସାୟିକ ସଫଳତା ଓ କ୍ଷମତାର ଉଷ୍ମତା ସମାଜର ଉଚ୍ଚଶିକ୍ଷିତ ଏବଂ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି। ଦିନେ ଯେଉଁ ସଫଳ ଡାକ୍ତର, ମେଧାବୀ ଇଞ୍ଜିନିୟର ଏବଂ ପ୍ରତିଷ୍ଠିତ ଆଇନଜୀବୀମାନେ ନିଜ ନିଜ କ୍ଷେତ୍ରରେ ମାନବ ସେବାକୁ ବ୍ରତ କରିଥିଲେ, ସେମାନେ ଏବେ ନିଜ ଆଦର୍ଶକୁ ଜଳାଞ୍ଜଳି ଦେଇ ପ୍ରାୟୋଜିତ ଭାବେ ରାଜନୀତିକୁ ପ୍ରାଥମିକ ଜୀବିକା ଭାବେ ଗ୍ରହଣ କରୁଛନ୍ତି। ଚିନ୍ତାଜନକ ବିଷୟ ହେଉଛି, ଦେଶର ପ୍ରଶାସନିକ ବ୍ୟବସ୍ଥାର ସର୍ବୋଚ୍ଚରେ ଥିବା ଆଇଏଏସ୍ କିମ୍ବା ଆଇପିଏସ୍ ଅଫିସରମାନେ ମଧ୍ୟ ସ୍ବେଚ୍ଛାକୃତ ଅବସର ନେଇ ବିଭିନ୍ନ ରାଜନୈତିକ ଦଳରେ ସାମିଲ ହେଉଛନ୍ତି। ସିନେମା ଇଣ୍ଡଷ୍ଟ୍ରିର କିଛି କଳାକାର ଓ ବ୍ୟକ୍ତିବିଶେଷ ମଧ୍ୟ ରାଜନୀତି ଆଡ଼କୁ ମୁହାଁଉଛନ୍ତି। ଏହି ପ୍ରବୃତ୍ତି ସଙ୍କେତ ଦେଉଛି ଯେ, ଆଜିର ଭାରତରେ କ୍ଷମତାର ଚୌକି ଏବଂ ଶାସନର ଚାବିକାଠି ଅପେକ୍ଷା ଅଧିକ ପ୍ରଭାବଶାଳୀ ଓ ଲାଭଜନକ ବେପାର ସଂସାରରେ ଆଉ କିଛି ନାହିଁ।
ସମାଜସେବା କିଛି ଚତୁର ନେତାଙ୍କ ପାଇଁ କ୍ଷମତା ପାଇବାର ଶିଡ଼ି ପାଲଟିଛି। ଆନ୍ଦୋଳନ ଓ ସଂଗଠନ ମାଧ୍ୟମରେ ସେମାନେ ପ୍ରଥମେ ଜନମତ ନିଜ ସପକ୍ଷରେ କରନ୍ତି। ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଡିଣ୍ଡିମ ପିଟୁଥିବା ଏହି ଚେହେରାମାନେ ଯେତେବେଳେ କ୍ଷମତାର ଶୀର୍ଷରେ ପହଞ୍ଚନ୍ତି, ସେତେବେଳେ ସେମାନଙ୍କ ଅସଲ ରୂପ ପଦାରେ ପଡ଼େ। ପୁରୁଣା ମଇଳା ରାଜନୀତିର ଚକ୍ରବୂ୍ୟହରେ ସେମାନେ ସାମିଲ ହୋଇ ଜନତାଙ୍କ ସେବାକୁ ଭୁଲି ସମ୍ପତ୍ତି ଠୁଳ କରିବାରେ ମାତିଯାଆନ୍ତି।
ଆଧୁନିକ ଗଣତନ୍ତ୍ର ପାଇଁ ଆଉ ଏକ ସାଙ୍ଘାତିକ ବ୍ୟାଧି ସାଜିଛି ‘ମାଗଣା ଉପହାର ସଂସ୍କୃତି’ । ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏବଂ ଭୋଟରଙ୍କ ଚେତନାକୁ କିଣିବା ପାଇଁ ଯେଉଁ ଦଳ ଯେତେ ଅଧିକ ମାଗଣା ଜିନିଷ, ମାଗଣା ବିଜୁଳି କିମ୍ବା ନଗଦ ଟଙ୍କା ବାଣ୍ଟିବାର ଲୋଭନୀୟ ପ୍ରତିଶ୍ରୁତି ଦେଉଛି, ସେହି ଦଳ କ୍ଷମତାକୁ ଆସୁଛି। କିନ୍ତୁ ଏହା ପଛର ବାସ୍ତବତା ହେଉଛି, ଏହି ମାଗଣା ଯୋଜନାଗୁଡ଼ିକ କୌଣସି ନେତା କିମ୍ବା ଦଳର ପକେଟରୁ ଆସେନାହିଁ । ବରଂ ଏହା ସାଧାରଣ ଜନତା ଦେଉଥିବା ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସରୁ ବଣ୍ଟାଯାଏ। ପରିଣାମସ୍ବରୂପ, ଦେଶ ବା ରାଜ୍ୟର ଅର୍ଥନୀତି ଦେବାଳିଆ ଆଡ଼କୁ ଗତି କରେ, ଦୀର୍ଘସ୍ଥାୟୀ ବିକାଶମୂଳକ କାର୍ଯ୍ୟ ବନ୍ଦ ହୋଇଯାଏ ଏବଂ ସାଧାରଣ ମଧ୍ୟବିତ୍ତ ଟିକସଦାତା ବର୍ଗ ସର୍ବାଧିକ ସର୍ବସ୍ବାନ୍ତ ହୁଏ।
ଦିନେ ବ୍ରିଟିଶ ଶାସକମାନେ ସମଗ୍ର ଭାରତକୁ ପରାଧୀନ କରି ରଖିବା ପାଇଁ ‘ଭାଗ କର ଓ ଶାସନ କର’ ନୀତି ପ୍ରୟୋଗ କରିଥିଲେ। ଦୁର୍ଭାଗ୍ୟବଶତଃ, ସ୍ବାଧୀନ ଗଣତାନ୍ତ୍ରିକ ଭାରତର ରାଜନୈତିକ ଦଳଗୁଡ଼ିକ ମଧ୍ୟ ସେହି ଏକା ସାମ୍ରାଜ୍ୟବାଦୀ କଳା ନୀତିକୁ ଆପଣାଇଛନ୍ତି। ନିଜର ଭୋଟ୍ ବ୍ୟାଙ୍କ ସୁରକ୍ଷିତ ରଖିବା ପାଇଁ ସେମାନେ ଜନସାଧାରଣଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ ଏବଂ ସଂଖ୍ୟାଲଘୁ ଆଦି ଆବେଗାତ୍ମକ ଓ ସମ୍ବେଦନଶୀଳ ପ୍ରସଙ୍ଗରେ ବିଭାଜିତ କରି ସମାଜରେ ପରସ୍ପର ପ୍ରତି ବିଦ୍ୱେଷ ଓ ସନ୍ଦେହର ପ୍ରାଚୀର ଛିଡ଼ା କରୁଛନ୍ତି।
ପରିଶେଷରେ ଏତିକି କୁହାଯାଇପାରେ- ‘ପ୍ରେମ ଏବଂ ରାଜନୀତିରେ ସବୁକିଛି ଗ୍ରହଣୀୟ’ ବୋଲି ଯେଉଁ ଆପ୍ତବାକ୍ୟ ରହିଛି, ତାହା ଆଜିର ଶାସନ ବ୍ୟବସ୍ଥାରେ ପ୍ରତିଫଳିତ। କିନ୍ତୁ କ୍ଷମତାର ଏହି ନୀତିହୀନ ମହାଭାରତ, ଦଳବଦଳର ସର୍କସ ଏବଂ ମାଗଣା ପ୍ରତିଶ୍ରୁତିର ମାୟାଜାଲ ଭିତରେ ଶେଷରେ ବଳି ପଡ଼େ କେବଳ ଦେଶର ସାଧାରଣ ଜନତା। ରାଜନେତାମାନେ ପ୍ରତି ପାଞ୍ଚ ବର୍ଷରେ ନିଜର ଆୟ ଓ ଭାଗ୍ୟ ବଦଳାଇ ପାରୁଥିବା ବେଳେ ସାଧାରଣ ଜନତା ସେହି ମାଗଣା ୫ କିଲୋ ଚାଉଳ କିମ୍ବା ସାମାନ୍ୟ କିଛି ଭତ୍ତା ପାଇଁ ଲମ୍ବା ଲାଇନରେ ଠିଆ ହେବାକୁ ନିଜର ଭାଗ୍ୟ ବୋଲି ମଣୁଛନ୍ତି।
ରାଜନୀତି ଯେ ପର୍ଯ୍ୟନ୍ତ ଏକ ସର୍ବୋଚ୍ଚ ‘ଲାଭଜନକ ବ୍ୟବସାୟ’ ହୋଇ ରହିଥିବ, ସେପର୍ଯ୍ୟନ୍ତ ସାଧାରଣ ମଣିଷର ଶୋଷଣ ଓ ପ୍ରତାରଣା ଅବ୍ୟାହତ ରହିବ। ଏହି ଦୂଷିତ ଓ ଅଧୋଗତି ହୋଇଥିବା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ହେଲେ ଜନସାଧାରଣଙ୍କୁ କେବଳ ପାଞ୍ଚ ବର୍ଷରେ ଥରେ ବାକ୍ସରେ ଭୋଟ୍ ଦେଉଥିବା ଜଣେ କେବଳ ‘ଭୋଟର’ ହେଲେ ଚଳିବ ନାହିଁ। ‘ସଚେତନ ଓ ଜାଗ୍ରତ ନାଗରିକ’ ହେବାକୁ ପଡ଼ିବ। ଯେଉଁଦିନ ଭୋଟର ଜାତି, ଧର୍ମ ଏବଂ ମାଗଣା ଉପହାରର ମୋହ ଛାଡ଼ି ଶିକ୍ଷା, ସ୍ବାସ୍ଥ୍ୟ ଏବଂ ରୋଜଗାର ଉପରେ ପ୍ରଶ୍ନ କରିବେ, ସେଦିନ ହିଁ ରାଜନୀତିର ବ୍ୟବସାୟୀକରଣ ବନ୍ଦ ହେବ। ନଚେତ ରାଜନୀତିର ଚତୁର ବ୍ୟବସାୟୀମାନେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଦେଶର ସାର୍ବଭୌମତ୍ୱ, ଗଣତନ୍ତ୍ର ଓ ଆଗାମୀ ପିଢ଼ିର ଭବିଷ୍ୟତକୁ ନିଲାମ କରିବାକୁ ପଛାଇବେ ନାହିଁ।
ଇଂ ଅମର ବେହେରା
ମୋ: ୯୭୪୨୯୮୨୭୪୧