ଜୀବନ ଚକ୍ରର ଅନୁଭବ

ବେଦରେ ବ୍ରହ୍ମବିଦ୍ୟା ସମ୍ବନ୍ଧୀୟ ବିଷୟବସ୍ତୁଗୁଡ଼ିକ ଉପନିଷଦ୍‌ ନାମରେ ଖ୍ୟାତ। ଋକ୍‌ବେଦ ଅନ୍ତର୍ଗତ ଐତରେୟ ଆରଣ୍ୟକର ୪ର୍ଥ, ୫ମ ଓ ୬ଷ୍ଠ ଅଧ୍ୟାୟ ଐତରେୟ ଉପନିଷଦ ଅନ୍ତର୍ଭୁକ୍ତ। ଏହି ୩ ଗୋଟି ଅଧ୍ୟାୟରେ ବ୍ରହ୍ମବିଦ୍ୟା ସମ୍ବନ୍ଧରେ ଆଲୋଚନା କରାଯାଇଛି। ଉପନିଷଦ୍‌ ଐତରେୟ ଆରଣ୍ୟକର ଅଂଶ ହୋଇଥିବାରୁ-ଏହାର ନାମ ଐତରେୟ ଉପନିଷଦ୍‌ ରଖାଯାଇଛି। କେତେଜଣଙ୍କ ମତରେ ଇତରା ନାମ୍ନୀ ମହିଳାଙ୍କ ପୁତ୍ର ମହିଦାସ ଐତରେୟଙ୍କ ଦ୍ୱାରା ଏହା ରଚନା ହୋଇଥିବାରୁ ଉପନିଷଦ୍‌ର ନାମ ଐତରେୟ ରଖାଯାଇଛି। ତିନି ଅଧ୍ୟାୟ ଓ ୫ ଖଣ୍ଡରେ ବିଭକ୍ତ ଏହି ଉପନିଷଦ୍‌ର ମନ୍ତ୍ର ସଂଖ୍ୟା ୩୩।
ଉପନିଷଦ୍‌ଟି ପ୍ରତୀକାତ୍ମକ ଓ ଆଳଙ୍କାରିକ। ସୃଷ୍ଟିର ନିର୍ମାଣ ଓ କ୍ରମବିକାଶ, ଜୀବନ ଚକ୍ରର ଅନୁଭବ ତଥା ଆତ୍ମା ଓ ବ୍ରହ୍ମର ସ୍ବରୂପ ଏହି ଉପନିଷଦ୍‌ର ବିଷୟବସ୍ତୁ।
ଉପନିଷଦ୍‌ କହେ, ଜଡ଼ ଓ ଚେତନାର ମିଶ୍ରଣରେ ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି। ଏହି କ୍ରମରେ ସୃଷ୍ଟି ଚାରି ଲୋକ ଜଡ଼ ଜଗତ ଓ ଆଠ ଲୋକପାଳ ଚେତନ ପୁରୁଷ। ବିରାଟ ପୁରୁଷ (ବ୍ରହ୍ମ) ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଶରୀର ତଥା ବ୍ରହ୍ମାଣ୍ଡର ସବୁ ପଦାର୍ଥରେ ପରମାତ୍ମାଙ୍କର ଦିବ୍ୟ ଅଂଶ ବିଦ୍ୟମାନ। ସୃଷ୍ଟିର ସମସ୍ତ ପ୍ରାଣୀଙ୍କ ମଧ୍ୟରେ ମନୁଷ୍ୟ ସର୍ବଶ୍ରେଷ୍ଠ। ତେଣୁ ଅନ୍ୟ ଜୀବମାନଙ୍କ ଶରୀର ତୁଳନାରେ ମାନବ ଶରୀର ଅମୂଲ୍ୟ । ଋଷି କହିଛନ୍ତି ଯେ, ମାନବ ଶରୀର ସର୍ବୋତ୍ତମ ଓ ଉତ୍କୃଷ୍ଟ ହୋଇଥିବାରୁ ସୃଷ୍ଟିର ପ୍ରାରମ୍ଭରେ ଈଶ୍ୱର ମାନବ ଶରୀର ନିର୍ମାଣ କରି ସମଗ୍ର ଲୋକ-ଲୋକାନ୍ତରର ଦେବତାମାନଙ୍କୁ ମନୁଷ୍ୟ ଶରୀରରେ ଇନ୍ଦ୍ରିୟରୂପୀ ଦେବତା ଭାବରେ ଅବସ୍ଥାନ କରାଇଲେ। ବିରାଟ ପୁରୁଷଙ୍କଠାରୁ ସୃଷ୍ଟି ଅଗ୍ନିଦେବତା ବାଣୀ ହୋଇ ମୁଖରେ, କିନ୍ତୁ ପ୍ରାଣ ହୋଇ ନାସିକାରେ, ଆଦିତ୍ୟ ପ୍ରକାଶ ହୋଇ ଚକ୍ଷୁରେ, ଦିଶା ଶବ୍ଦ ହୋଇ କର୍ଣ୍ଣରେ, ଚନ୍ଦ୍ରମା ମନ ହୋଇ ହୃଦୟରେ, ମୃତ୍ୟୁ ଅପାନ ହୋଇ ନାଭିରେ, ବନସ୍ପତି ଲୋମ ହୋଇ ଚର୍ମରେ ଓ ଜଳ ବୀର୍ଯ୍ୟ ହୋଇ ଯୌନାଙ୍ଗରେ ଅବସ୍ଥାପିତ ହୋଇ ମନୁଷ୍ୟ ଶରୀରକୁ କ୍ରିୟାଶୀଳ କରେ। ଏହା ବ୍ରହ୍ମାଣ୍ଡ ଓ ପିଣ୍ଡ ମଧ୍ୟରେ ଥିବା ଏକାତ୍ମତାକୁ ପ୍ରକାଶ କରିଥାଏ। ଇନ୍ଦ୍ରିୟରୂପୀ ଦେବତାମାନଙ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ପରମାତ୍ମା ମନୁଷ୍ୟ ଶରୀରର ବିଭିନ୍ନ ଅଙ୍ଗରେ କ୍ଷୁଧା ଓ ପିପାସା ଭଳି ୨ ଗୋଟି ଶକ୍ତି ସଂଚାର କଲେ, ଯାହା ସଂସାରର ସକଳ କାର୍ଯ୍ୟର ସଞ୍ଚାଳକ।
ଫଳସ୍ବରୂପ ଇନ୍ଦ୍ରିୟରୂପୀ ଦେବତାମାନେ ଭୋକ ଓ ଶୋଷକୁ ଦୂର କରିବାପାଇଁ ସର୍ବଦା ପ୍ରଯତ୍ନଶୀଳ ହେଲେ। ନିଜର ଈକ୍ଷଣ ଶକ୍ତିଦ୍ୱାରା ପରମାତ୍ମା ପଞ୍ଚଭୂତରୁ ଅନ୍ନ ସୃଷ୍ଟି କରି ଇନ୍ଦ୍ରିୟମାନଙ୍କର ପୋଷଣ କଲେ ଓ ସେମାନଙ୍କର ଭୋକ-ଶୋଷ ଦୂର କରିବା ପାଇଁ ଚେଷ୍ଟା କଲେ। ଆଠ ଲୋକପାଳ ଭାବରେ ନିୟୋଜିତ ମାନବ ଶରୀରର ଇନ୍ଦ୍ରିୟରୂପୀ ଦେବତାମାନଙ୍କ ମଧ୍ୟରୁ ଏକମାତ୍ର ଅପାନ ବାୟୁ ଅନ୍ନକୁ ଗ୍ରହଣ କରିବାରେ ସକ୍ଷମ ହେଲେ। ଅପାନ ବାୟୁ ମୁଖ ଦ୍ୱାରା ଅନ୍ନକୁ ଗ୍ରହଣ କରି ସମାନ ବାୟୁ ସାହାଯ୍ୟରେ ପାଚନ କରାଇ ବ୍ୟାନ ବାୟୁ ଦ୍ୱାରା ଅନ୍ନର ରସକୁ ଶରୀରର ବିଭିନ୍ନ ଅଙ୍ଗକୁ ପ୍ରେରଣ କରି ଶକ୍ତି ପ୍ରଦାନ କଲେ। ଅନ୍ନର ଅନାବଶ୍ୟକ ପଦାର୍ଥଗୁଡ଼ିକୁ ମଳ-ମୂତ୍ର-ଶ୍ୱେଦ ଭାବରେ ଶରୀରରୁ ବିସର୍ଜନ କରିବାରେ ସକ୍ଷମ ହେଲେ। ଏହାଫଳରେ ଅପାନ ବାୟୁରେ କ୍ଷୁଧା ଅନ୍ନଦ୍ୱାରା ସମାପ୍ତି ହେଲେ। ମାତ୍ର ଚକ୍ଷୁ, ବାଣୀ, କର୍ଣ୍ଣ, ପ୍ରାଣ, ତ୍ୱଚା ଓ ମନ ଆଦି ଅନ୍ୟ ୭ ଜଣ ଦେବତାମାନଙ୍କୁ ଅନ୍ନ ପ୍ରକାଶ ବା ଗ୍ରହଣଯୋଗ୍ୟ ହୋଇ ନ ପାରିବାରୁ ସେମାନଙ୍କର କ୍ଷୁଧା-ପିପାସା ଅନ୍ନ ଦ୍ୱାରା ସମାପ୍ତି ହୋଇପାରିଲା ନାହିଁ। ତେଣୁ ପରମାତ୍ମା ନେତ୍ର, କର୍ଣ୍ଣ, ମୁଖ, ନାସିକା, ତ୍ୱଚାକୁ ଯଥାକ୍ରମେ ରୂପ, ଶବ୍ଦ, ରସ, ଗନ୍ଧ, ସ୍ପର୍ଶ ଆଦି ପଞ୍ଚ ତନ୍ମାତ୍ରା ତଥା ମନକୁ ବିଚାର ଓ ଉପସ୍ଥକୁ ତ୍ୟାଗ ପ୍ରଦାନ କରି ସେମାନଙ୍କର କ୍ଷୁଧାକୁ ପ୍ରଶମିତ କଲେ। ଐତରୀୟ ଉପନିଷଦର ସୃଷ୍ଟି ନିର୍ମାଣ ଓ କ୍ରମବିକାଶ ସମ୍ବନ୍ଧରେ ସିନ୍ଧାନ୍ତ। ଦ୍ୱିତୀୟ ଅଧ୍ୟାୟରେ ମନୁଷ୍ୟର ଜୀବନଚକ୍ର ସମ୍ବନ୍ଧରେ ବର୍ଣ୍ଣନା କରି ଉପନିଷଦ୍‌କାର କହିଛନ୍ତି ଯେ, ଜୀବାତ୍ମା ପ୍ରଥମେ ପୁରୁଷ ବୀର୍ଯ୍ୟର ଶୁକ୍ରାଣୁରେ ପ୍ରବେଶ କରି ଗର୍ଭାଧାନ ଦ୍ୱାରା ମାତାର ଶରୀରକୁ ଆସିଥାଏ। ଗର୍ଭାଧାନ ସନ୍ତାନର ପ୍ରଥମ ଜନ୍ମ, ମାତୃଗର୍ଭରୁ ବହିର୍ଗମନ ଦ୍ୱିତୀୟ ଜନ୍ମ ଓ ମୃତ୍ୟୁପରେ ପୁନର୍ଜନ୍ମ ତୃତୀୟ ଜନ୍ମ। ଏହା ଜୀବନଚକ୍ରର ବୈଦିକ ସିଦ୍ଧାନ୍ତ।
ଅନ୍ତିମ ଅଧ୍ୟାୟରେ ଆତ୍ମାର ସ୍ବରୂପ ସମ୍ବନ୍ଧରେ ଉପନିଷଦ୍‌କାର କହନ୍ତି ଯେ ଯାହାଙ୍କ ଉପସ୍ଥିତି ଯୋଗୁ ମନୁଷ୍ୟ ନିଜ ଶରୀରର ଅସ୍ତିତ୍ୱ ଅନୁଭବ କରିଥାଏ ଓ ଯାହାଙ୍କ ଯୋଗୁ ମନୁଷ୍ୟ ହୃଦୟ ଓ ମନରେ ବିଭିନ୍ନ ପ୍ରକାର ବିକାର ଓ ବିଚାର ଉପତ୍ନ୍ନ ହୁଏ, ସେ ହିଁ ଆତ୍ମା ।
ଆତ୍ମା ଶରୀରଠାରୁ ପୃଥକ୍‌ କାରଣ ପଞ୍ଚଭୂତରୁ ସୃଷ୍ଟି ଶରୀର ଜଡ଼ ମାତ୍ର, ଆତ୍ମା ହେଉଛି ଚେତନ ପୁରୁଷ।

  • ଡା. ଗୋପାଳ ଚନ୍ଦ୍ର ଦାଶ
    ମୋ: ୭୮୪୮୮୫୦୯୫୦

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri