ଭୋକ ଉପାସରେ ଧାରଣା ଦେଲେ ବୋହୂ

ବାଲେଶ୍ୱର ଅଫିସ, ୧୬।୧୦: ଗଞ୍ଜାମ ପରେ ବାଲେଶ୍ୱର ଜିଲାର ଜଣେ ନବବଧୂ ଶ୍ୱଶୁର ଘରକୁ ପ୍ରବେଶ ନେଇ ରାତି ସାରା ଗେଟ୍‌ ସମ୍ମୁଖରେ ଧାରଣା ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସହଦେବଖୁଣ୍ଟା ଥାନା ଅଧୀନ ରାଣୀପାଟଣା ବ୍ୟାଙ୍କ କଲୋନୀରେ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ଯୌତୁକ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିଲେ। ଫଳରେ ସେ ଗେଟ୍‌ ସମ୍ମୁଖରେ ଶୁକ୍ରବାର ରାତି ୧୧ଟାଠାରୁ ଅଦ୍ୟାବଧି ନ ଖାଇ ନ ପିଇ ବସି ରହିଛନ୍ତି।

କଲୋନୀର ରାଜେନ୍ଦ୍ର ଗୁପ୍ତା ନାମକ ଯୁବକ ୟୁପି ବଲିଆ ଅଞ୍ଚଳର ସାଲିନୀ ଗୁପ୍ତାଙ୍କୁ ଗତ ଜାନୁଆରୀ ୨୩ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ଦେଢ଼ମାସ ମଧ୍ୟରେ ଅଧିକ ଯୌତୁକ ଦାବି କରି ଶ୍ୱଶୁରଘର ଲୋକେ ସାଲିନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଗତ କିଛିଦିନ ତଳେ ସାଲିନୀଙ୍କୁ ତାଙ୍କର କୋଲକାତାରେ ରହୁଥିବା ଭାଇ ଘରକୁ ବୁଲିବା ପାଇଁ ପଠାଇଥିଲେ। ୧୦ଦିନ ରହିବା ପରେ ସାଲିନୀ ଶ୍ୱଶୁର ଘରକୁ ବାହାରିବାରୁ ତାଙ୍କୁ ସ୍ବାମୀ ଓ ଶାଶୁ ଆସିବା ପାଇଁ ମୋବାଇଲରେ ମନା କରିଥିଲେ। ଆସିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସାଲିନୀ ଗତ ଶୁକ୍ରବାର ତାଙ୍କର ମା’ବାପାଙ୍କ ସହ ବାଲେଶ୍ୱର ଆସି ଘଟଣା ସମ୍ପର୍କରେ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ଉଭୟ ପକ୍ଷଙ୍କୁ ଡକାଯାଇ ଘଟଣାରେ ବୁଝାଶୁଝା କରିବା ପରେ ବୋହୂଙ୍କୁ ଶ୍ୱଶୁର ଘରକୁ ନେବା ପାଇଁ କହି ପଠାଇ ଦେଇଥିଲେ। ଥାନାରୁ ଆସିବା ପରେ ଶ୍ୱଶୁର ଘର ଲୋକେ ଗେଟ୍‌ରେ ତାଲା ପକାଇ ଫେରାର ହୋଇଯାଇଥିଲେ। ସାଲିନୀ ଘରକୁ ପ୍ରବେଶ କରିବା ପାଇଁ ରାତି ସାରା ଗେଟ୍‌ ସମ୍ମୁଖରେ ବସିଥିଲେ। କଲୋନୀବାସୀ ରାତିରେ ଏକୁଟିଆ ମହିଳା ରାସ୍ତାରେ ବସିବା ଦେଖି ପୋଲିସକୁ ଖବର ଦେଇଥିଲେ। ଥାନା ପକ୍ଷରୁ ମହିଳାଙ୍କ ସୁରକ୍ଷା ପାଇଁ ଜଣେ ମହିଳା କନଷ୍ଟେବଳଙ୍କୁ ତାଙ୍କ ପାଖରେ ନିଯୁକ୍ତ କରିଛନ୍ତି। ଧୀରେ ଧୀରେ ଘଟଣା ଜାଣିବା ପରେ ନାରୀ ସଂଘ ଓ ମହିଳା କମିଶନ ସଦସ୍ୟ ସେଠାରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଜାଣିବା ସହ ସମାଧାନ ନିମନ୍ତେ ଚେଷ୍ଟା କରିଛନ୍ତି। ପଡ଼ୋଶୀମାନେ ସାଲିନୀଙ୍କୁ ଖାଇବା ପାଇଁ ଦେଇଥିଲେ ମଧ୍ୟ ସେ ଖାଇ ନ ଥିଲେ। ଅନ୍ୟପକ୍ଷରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।