ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ ଭିତରେ ଥିବା ଟେକ୍ଟୋନିକ୍ ପ୍ଲେଟ୍ଗୁଡ଼ିକର କ୍ରମାଗତ ଚଳନ ଏବଂ ଭୂତଳ ଚାପ ଯୋଗୁଁ ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଭୂକମ୍ପିତ ହେବାର ଆଶଙ୍କା ଦେଖାଦେଇଛି। ଗତ ୧୨ ବର୍ଷ ଭିତରେ ୨ଟି ଭୂକମ୍ପ ଝଟକା ଓଡ଼ିଶାକୁ ଥରାଇ ଦେଇଥିଲା। ୨୦୧୪ ଓ ୨୦୨୫ର ଭୂକମ୍ପ କମ୍ପନ ଛାତିରେ ଛନକା ଭରି ଦେଇଥିଲା । ୟା’ଠାରୁ ବି ବଡ଼ ଧରଣର ଶକ୍ତିଶାଳୀ ଭୂମିକମ୍ପ ଆଗକୁ ଆସିପାରେ। ତୀବ୍ରତା ୬-୭ଟପିପାରେ। ବଙ୍ଗୋପସାଗର ଏମିତି କିଛି ସଙ୍କେତ ଦେଖାଇଲାଣି। ବର୍ଷ ବର୍ଷ ଧରି ସମୁଦ୍ର ଗର୍ଭରେ ଦବି ରହିଥିବା ଦୁର୍ବଳ ଭୂଖଣ୍ଡ ତଳୁ ଉଠିପାରେ କମ୍ପନର ଶକ୍ତିଶାଳୀ ବିସ୍ଫୋରଣ। ଦୋହଲାଇ ଦେଇପାରେ ଉପକୂଳ ଓଡ଼ିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ।
ଆଇଆଇଟି ଖଡ଼ଗପୁରର ଭୂତତ୍ତ୍ୱ ବିଜ୍ଞାନ ଗବେଷକ ଟିମର ସଦ୍ୟ ପ୍ରକାଶିତ ଗବେଷଣା ରିପୋର୍ଟରୁ ଯେଉଁ ତଥ୍ୟ ମିଳିଛି, ତାହା ଭୟାନକ ସଙ୍କେତ ଦେଖାଉଛି। ଶାନ୍ତ ବଙ୍ଗୋପସାଗର ଗର୍ଭ ଭିତରେ କିଛି ବଡ଼ ଧରଣର ହଲଚଲ୍ ଆରମ୍ଭ ହେଲାଣି। ଆଗାମୀଦିନରେ ବଙ୍ଗୋପସାଗର ଏକ ପ୍ରମୁଖ ଭୂକମ୍ପ ସମ୍ବେଦନଶୀଳ କ୍ଷେତ୍ର ରୂପ ନେଇପାରେ। ଦୀର୍ଘ ବର୍ଷ ଧରି ସୁପ୍ତ ରହିଥିବା ପୁରୁଣା ଫାଟଗୁଡ଼ିକ ସକ୍ରିୟ ହେଉଛନ୍ତି। ଗବେଷଣା ଅନୁସାରେ ଭାରତୀୟ ଭୂଖଣ୍ଡ ଉତ୍ତର-ପୂର୍ବ ଦିଗକୁ ଗତି କରୁଥିବାରୁ ସମୁଦ୍ର ତଳେ ଚାପ ସୃଷ୍ଟି ହେଉଛି।
ଖାଲି ସେତିକି ନୁହେଁ, ଗଙ୍ଗା, ବ୍ରହ୍ମପୁତ୍ର, ମହାନଦୀ ସମେତ ବିଭିନ୍ନ ନଦୀରୁ ପ୍ରଚୁର ମାତ୍ରାରେ ପଟୁ ମାଟି ବର୍ଷ ବର୍ଷ ଧରି ସମୁଦ୍ର ଭିତରେ ଜମାଟ ବାନ୍ଧିବାରେ ଲାଗିଛି। ସମୁଦ୍ର ଗର୍ଭସ୍ଥ ଭୂପୃଷ୍ଠରୁ ପ୍ରାୟ ୧୩ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବହଳ ପଟୁ ମାଟି ଜମାଟ ବସି ସାରିଲାଣି। ଭୂଖଣ୍ଡର ପୁରୁଣା ଫାଟକୁ ଏହା ଗଭୀର ପ୍ରଭାବ ପକାଉଛି। ଏସବୁ ଚାପ ଯେଉଁ ଫାଟ ଉପରେ ରହୁଛି, ତାହା ମୁକ୍ତ ହୋଇ ବାହାରୁନି। ଚାପ ଏତେ ବଢ଼ିଗଲାଣି ଯେ ଏହି ଦୁର୍ବଳ ଭୂଖଣ୍ଡରୁ କେବେ ବି ବଡ଼ ଧରଣର ହଲଚଲ ଆସିପାରେ। ଏହା ମଧ୍ୟମରୁ ବଡ଼ ଧରଣର ଭୂକମ୍ପ କରିପାରେ। ଯାହାକି ବଡ଼ ବିପଦ ସୃଷ୍ଟି କରିବା ନେଇ ବିଶେଷଜ୍ଞ ଆଶଙ୍କା କରୁଛନ୍ତି।
ବଙ୍ଗୋପସାଗର ଭୂଗର୍ଭରେ କମ୍ପନ ହେଲେ ଓଡ଼ିଶାକୁ ବିପଦ ବେଶି। ବାଲେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକୁ ଭୂକମ୍ପ ବିପଦ ଅଧିକ। ଓଡ଼ିଶା ଉପକୂଳ ଓ ମହାନଦୀ ଶଯ୍ୟା ଅଞ୍ଚଳର ମାଟି ନରମ ରହୁଥିବାରୁ ଭୂକମ୍ପ କମ୍ପନ ତୀବ୍ରତାକୁ ବହୁଗୁଣିତ କରିବାର ଆଶଙ୍କା ରହିଛି। ପାରାଦୀପ, ଧାମରା, ଗୋପାଳପୁର ପରି ବନ୍ଦର ଅଞ୍ଚଳ ଏଥିରେ ପ୍ରଭାବିତ ହୋଇପାରେ।