କେନାଲରେ ପାଣି ଯୋଗାଇବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଜୁନାଗଡ, ୩।୧୨ (ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗ ପଞ୍ଚାୟତକୁ ଇନ୍ଦ୍ରାବତୀ ଡାହାଣ କେନାଲର ପାଣି ଯୋଗାଇବାକୁ ମଙ୍ଗଳବାର ସ୍ଥାନୀୟ ଚାଷୀ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପଠାଇଛନ୍ତି। ସେମାନେ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜିମେଲ ମାଧ୍ୟମରେ ପଠାଇଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ ବ୍ଲକ ତଳଜାରିଙ୍ଗ ପଞ୍ଚାୟତ ଅନ୍ତର୍ଗତ ତଳଜାରିଙ୍ଗ ମାଇନର ୧ ଠାରୁ ଲବଣୀପୁର, ଗୁଞ୍ଜୁଗୁଡା ମାଇନର ୧.୨ରୁ ଘଣ୍ଟବାହାଲି ପର୍ଯ୍ୟନ୍ତ ଚାଷୀ ଇନ୍ଦ୍ରାବତୀ ଡାହାଣ କେନାଲ ଉପରେ ନିର୍ଭର କରିଥାନ୍ତି। ଏହି ଗ୍ରାମର ସମସ୍ତେ ଚାଷ ଉପରେ ନିର୍ଭର କରିଥାନ୍ତି। ଗତ ୨୦୧୭-୧୮ ଓ ୨୦୧୮-୧୯ ପର୍ଯ୍ୟନ୍ତ ରବି ଚାଷ ପାଇଁ ଉପର ଇନ୍ଦ୍ରାବତୀ ଡାହାଣ କେନାଲଠାରୁ ଏହି ପଞ୍ଚାୟତକୁ ପାଣି ଯୋଗାଇ ଦିଆଯାଉଥିଲା। ଏଦ୍ୱାରା ଏହି ପଞ୍ଚାୟତ ଚାଷୀମାନେ ଗତ ୩ ବର୍ଷ ହେବ ରବି(ଡାଳୁଅ)ଚାଷ କରି ଉପକୃତ ହେଉଥିଲେ। କିନ୍ତୁ ଚଳିତବର୍ଷ ନିର୍ବାହୀ ଅଧିକାରୀ ଇନ୍ଦ୍ରାବତୀ ଡାହାଣ କେନାଳକୁ ଆନିକଟ୍‌ କରି ଜଳ ଯୋଗାଣକୁ ବନ୍ଦ କରାଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ସ୍ଥାନୀୟ ଚାଷୀ କାମ ଧନ୍ଧା ନ ପାଇଁ ହତାଶ ହୋଇଥିବା ବେଳେ ରବିଚାଷ କରି ନିଜର ଭରଣ ପୋଷଣ କରିବେ ବୋଲି ଆଶା କରିଥିଲେ। ବର୍ତ୍ତମାନ ଏହି ପଞ୍ଚାୟତକୁ କେନାଲ ପାଣି ଯୋଗାଇ ଦିଆଯିବ ନାହଁି ବୋଲି ବିଭାଗ ପକ୍ଷରୁ କୁହାଯିବା ପରେ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ, ଇନ୍ଦ୍ରାବତୀ ପ୍ରକଳ୍ପର ପାଣି ପ୍ରଥମେ ଚାଷୀଙ୍କୁ ଯୋଗାଇବା ନିୟମ ରହିଥିବାବେଳେ ବିଜୁଳିକୁ ପ୍ରଧାନ୍ୟ ଦେଇ ବିଭାଗ ୫ ଶହ ମେଗାୱାଟ ବିଜୁଳି ଉପତ୍ାଦନ କରୁଛି। ଯଦ୍ୱାରା ଚାଷୀ ପାଣି ପାଇବାରୁ ବଞ୍ଚତ୍ତ ରହୁଛନ୍ତି। ଗତ ବର୍ଷରେ ୬୩୫ କ୍ୟୁବିସି ପାଣି ସଂରକ୍ଷଣ ଥାଇ ବିଭାଗ ପକ୍ଷରୁ ତଳଜାରିଙ୍ଗ ପଞ୍ଚାୟତକୁ ପାଣି ଯୋଗାଇବାରେ ସକ୍ଷମ ହୋଇଥିଲେ। କିନ୍ତୁ ଚଳିତବର୍ଷ ୬୩୮ କ୍ୟୁବିସି ପାଣି ସଂରକ୍ଷଣ ଥାଇ ମଧ୍ୟ ତଳଜାରିଙ୍ଗ ପଞ୍ଚାୟତକୁ ବିଭାଗ ପକ୍ଷରୁ ରବି ଚାଷ ପାଇଁ ପାଣି ଯୋଗାଇ ଦିଆଯାଉନାହଁି। ତେଣୁ ଏହି ପଞ୍ଚାୟତକୁ ଇନ୍ଦ୍ରାବତୀ ଡାହାଣ କେନାଲର ପାଣି ଯୋଗାଇ ଦିଆଗଲେ ସ୍ଥାନୀୟ ଚାଷୀ ଉପକୃତ ହେବେ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଜଣାଇଛନ୍ତି। ଏପରିକି ଆସନ୍ତା ଡିସେମ୍ବର ୨୫ ତାରିଖ ସୁଧା ଏହାର ସମାଧାନ କରା ନ ଗଲେ ପଞ୍ଚାୟତ ଶତାଧିକ ଚାଷୀ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ପତ୍ରରେ ଦର୍ଶାଇଛନ୍ତି। ଏହି ପତ୍ରର ଏକ କପି ରାଜ୍ୟ ଜଳ ସମ୍ପଦ ବିଭାଗ, ଓଡିଶା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ ସଭା ସଦସ୍ୟ, ଜୁନାଗଡ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର, କଳାହାଣ୍ଡି ଜିଲାପାଳ, ଜିଲା ଆରକ୍ଷୀ ଅଧୀକ୍ଷକ, ଧର୍ମଗଡ ଉପଜିଲାପାଳ, ଜୁନାଗଡ ଥାନାଧିକାରୀଙ୍କୁ ପ୍ରେରଣ କରଯାଇଥିବା ଜଣାପଡିଛି।