ଧର୍ମଗଡ଼, ୩ା୯ (ଘାଷିରାମ ଜଗତ): ଅର୍ଥାଭାବରୁ ଚିକିତ୍ସାସେବା ନ ପାଇ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ୍ ପର୍ଲା ପଞ୍ଚାୟତ ଲଛିପୁର ଗ୍ରାମର ଜୟରାମ ସୁନାନି(୩୮)।
ମିଳିଥିବା ସୂଚନା ମୁତାବକ, କିଛିମାସ ତଳେ ଜୟରାମ ନିଜ ଭାଇଙ୍କ ସହ ହାଇଦ୍ରାବାଦ ଯାଇ ସେଠାରେ ଜଣେ ଠିକାଦାରଙ୍କ ଅଧୀନରେ କାମ କରୁଥିଲେ। ମଙ୍ଗଳବାର କାମରୁ ଫେରିବା ପରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ସାଥୀ ଶ୍ରମିକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଜରୁରୀ ଚିକିତ୍ସା ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ହେଲେ ଟଙ୍କା ଅଭାବରୁ ଜୟରାମଙ୍କୁ ସେଠାକାର ଏକ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
ଗୁରୁବାର ଜୟରାମଙ୍କ ମୃତଦେହ ଲଛିପୁରସ୍ଥିତ ନିଜ ଭିଟାମାଟିରେ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା। ଜୟରାମଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଓ ୧୨ ବର୍ଷର ପୁଅ ଅସହାୟ ହୋଇପଡିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ଭାଲୁଚୁଆଁ ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଜୟରାମଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା, ବିଧବା ଭତ୍ତା ଓ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

