ଗୃହିଣୀ ସାଜିଲେ ଅଟୋଚାଳକ

ଖୋର୍ଦ୍ଧା ଅଫିସ,୧୨।୭: କରୋନା ଯୋଗୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ଲୋକେ କାମଧନ୍ଦା ନ ପାଇ ଘରେ ବସି ରହିଛନ୍ତି। ଘରେ ବସିବା ଅପେକ୍ଷା ଅଟୋ ଚଳାଇ ଜଣେ ମହିଳା ଗତ ୪ମାସ ହେବ ତାଙ୍କ ପରିବାର ପୋଷଣ କରୁଛନ୍ତି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ୭ନଂ. ଓ୍ବାର୍ଡର ବାସିନ୍ଦା ରସିଦା ବେଗମ(୪୮)ଙ୍କ କ୍ଷେତ୍ରରେ। ସେ ଅନ୍ୟ ମହିଳାମାନଙ୍କ ଲାଗି ପାଲଟିଛନ୍ତି ପ୍ରେରଣାର ଉତ୍ସ।

ରସିଦାଙ୍କ କହିବାନୁଯାୟୀ, ତାଙ୍କ ସ୍ବାମୀ ଏକ ଅଟୋ ଫାଇନାନ୍ସରେ କିଣି ଚଳାଉଥିଲେ। ଗତ କିଛି ମାସ ପୂର୍ବେ ତାଙ୍କ ସ୍ବାମୀ ପକ୍ଷଘାତ ରୋଗରେ ଆକ୍ରାନ୍ତ ହେବା ସହ ଆଖିକୁ ମଧ୍ୟ ଠିକ୍‌ରେ ଦେଖାଗଲା ନାହିଁ। ଏହା ପରେ ପରିବାର ଚଳାଇବା କଷ୍ଟକର ହୋଇପଡିଥିଲା। ଅଟୋକୁ ଭଡ଼ାରେ ଚଳାଇବା ଲାଗି ଜଣଙ୍କୁ ଦେଇଥିଲି। ହେଲେ ଲାଭ ହେବା ପରିବର୍ତ୍ତେ ଅଟୋର ମରାମତି ଖର୍ଚ୍ଚ ବଢ଼ିଯାଇଥିଲା। ଏପଟେ କରୋନା ଯୋଗୁ କେଉଁଠି ବି କାମ ମିଳିଲା ନାହିଁ। ଦୁଇ ଝିଅ, ଗୋଟିଏ ପୁଅ ଏପଟେ ସ୍ବାମୀର ଚିକିତ୍ସା ଚିନ୍ତା କରି ଭାଙ୍ଗିପଡିଥିଲି। ଏହା ପରେ ଆର୍ଥିକ ଅଭାବ ଅନଟନକୁ ଦୂର କରିବା ପାଇଁ ନିଜେ ଅଟୋ ଚଳାଇବା ଲାଗି ଶିକ୍ଷା ଆରମ୍ଭ କରିଥିଲି। ପରେ ଜଣେ ଗୃହିଣୀରୁ ଅଟୋଚାଳକ ପାଲଟି ଯାଇଥିଲି। ପ୍ରତ୍ୟେକ ଦିନ ଭୋର୍‌ରୁ ଉଠି ଘର କାମ ସହ ରୋଷେଇ ସାରି ଅଟୋ ନେଇ ବାହାରିଯାଇଥାଏ। ଜଟଣୀଠାରୁ ଭୁବନେଶ୍ୱର ଓ ନିମାପଡ଼ା ପର୍ଯ୍ୟନ୍ତ ଦୈନିକ ୬୦ରୁ ୭୦କି.ମି. ଯାତ୍ରା କରିଥାଏ। ତେଲ ଖର୍ଚ୍ଚ ଛାଡି ଦୈନିକ ଶହେ କି ଦୁଇ ଶହ ଟଙ୍କା ରୋଜଗାର ହୋଇଥାଏ। ଏହି ଟଙ୍କାରୁ ପରିବାର ଚଳୁଥିବା ବେଳେ ଅଟୋର ମାସିକିଆ ଇନଷ୍ଟାଲମେଣ୍ଟ ଭରିବାକୁ ପଡ଼ିଥାଏ। ଏବେ ଏହା ମୋ ଜୀବନ ଜୀବିକା ପାଲଟିଯାଇଛିି। ସକାରଙ୍କ ପକ୍ଷରୁ ରାଶନକାର୍ଡ ମିଳିଥିବା ବେଳେ ଅନ୍ୟ କୌଣସି ସହାୟତା ମିଳିନାହିଁ। ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିଲେ, ପରିବାର ଚଳାଇବା ସହଜ ହେବ ବୋଲି ସେ କହିଛନ୍ତି।