
ବରଗଡ଼,୧୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅନେକ ମହାପୁରୁଷ, ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ରହିଛି। କିନ୍ତୁ ପ୍ରତିମୂର୍ତ୍ତିଗୁଡ଼ିକର ଯତ୍ନ କିମ୍ବା ରକ୍ଷଣାବେକ୍ଷଣ ଠିକ୍ଭାବେ କରାଯାଉ ନାହିଁ। ରବିବାର ସ୍ବାଧୀନତା ସଂଗ୍ରାମୀ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜୟନ୍ତୀ ଥିବା ବେଳେ ତାଙ୍କ ପ୍ରତିମୂର୍ତ୍ତିଙ୍କୁ ଅସମ୍ମାନ ସକାଳୁ ଦେଖିବାକୁ ମିଳିଥିଲା। ବରଗଡ଼ ସାମ୍ବାଦିକ ସଂଘ ଏବଂ ବଡ଼ମା ପରିବାର ସଦସ୍ୟବୃନ୍ଦ ମାଲ୍ୟାର୍ପଣ ପାଇଁ ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ସମ୍ମୁଖ ବହ୍ନିକନ୍ୟାଙ୍କ ପ୍ରତିମୂର୍ତ୍ତିକୁ ପହଞ୍ଚି ଥିଲେ। ସେତେବେଳକୁ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ଧୂଳିମୟ ଥିଲା।
ଏହା ଦେଖି ବରଗଡ଼ ସାମ୍ବାଦିକ ସଂଘ ଏବଂ ବଡ଼ମା ପରିବାର ସଦସ୍ୟବୃନ୍ଦ ପ୍ରତିମୂର୍ତ୍ତି ସଫା କରି ମାଲ୍ୟାର୍ପଣ କରିଥିଲେ। ପ୍ରତିମୂର୍ତ୍ତିର ଯତ୍ନ ନେବା ସ୍ଥାନୀୟ ପୌର ପ୍ରଶାସନର କର୍ତ୍ତବ୍ୟ ଥିବାବେଳେ ଜୟନ୍ତୀରେ ମଧ୍ୟ ସେଥିପ୍ରତି ଆଖିବୁଜି ଦେବା ବିଭାଗୀୟ ଅପାରଗତାକୁ ପଦାରେ ପକାଇ ଦେଇଛି। ବରଗଡ଼ ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ରବି ନାରାୟଣ ପଣ୍ଡା କହିଛନ୍ତି, ବହ୍ନିକନ୍ୟାଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ପାଇଁ ସେ ଶନିବାର ପୌର ପରିଷଦ କର୍ମଚାରୀଙ୍କୁ ସୂଚନା ଦେଇଥିଲେ, ଏହାସତ୍ତ୍ୱେ ସେଥିପ୍ରତି ଆଖିବୁଜି ଦେବା ଦୁର୍ଭାଗ୍ୟଜନକ ବୋଲି ପଣ୍ଡା କହିଛନ୍ତି।