ଉତ୍ସର୍ଗୀକୃତ ନ୍ୟାୟବ୍ୟବସ୍ଥା

କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ କ୍ରମାଗତ ଭାରତୀୟ ବିଚାର ବ୍ୟବସ୍ଥା ଉପରେ ଆକ୍ରମଣ କରିଚାଲିଛନ୍ତି। ବିଶେଷକରି କଲେଜିୟମ୍‌ ବ୍ୟବସ୍ଥାକୁ ସମାଲୋଚନା କରି ବିଚାରପତିମାନେ ବିଚାରପତିଙ୍କୁ ବାଛିବା ପରମ୍ପରାକୁ ସେ ନାପସନ୍ଦ କରି ପ୍ରାୟ ପ୍ରତ୍ୟେକ ଦିନ ବିଭିନ୍ନ ଅବାଞ୍ଛିତ ମତ ଗଣମାଧ୍ୟମକୁ ଦେଉଛନ୍ତି। ଏହା ସତ୍ତ୍ୱେ ରିଜିଜୁ କହୁଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟ ତରଫରୁ ସରକାରୀ ପୋଲିସ ଗୋଇନ୍ଦା ସଂସ୍ଥାର ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରାଯିବା ଫଳରେ ଦେଶର କ୍ଷତି ଘଟୁଛି। ସମ୍ବିଧାନରେ କଲେଜିୟମ୍‌ ନ ଥିଲା ଓ ଏହା ବିଚାରପତିମାନଙ୍କ ଦ୍ୱାରା ସୃଷ୍ଟ ବ୍ୟବସ୍ଥା ବୋଲି ରିଜିଜୁ କହିଛନ୍ତି। ସେଥିପାଇଁ ସେ ନ୍ୟାଶନାଲ ଜୁଡିସିଆଲ୍‌ ଆପଏଣ୍ଟମେଣ୍ଟସ କମିଶନ (ଏନ୍‌ଜେଏସି)କୁ ଲାଗୁ କରିବା ଉପରେ ଜୋର ଦେଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କଲେଜିୟମ୍‌ ବ୍ୟବସ୍ଥାରେ ଭାରତର ପ୍ରଧାନ ବିଚାରପତି ଓ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ସର୍ବୋଚ୍ଚ ନ୍ୟାୟାଳୟ ଓ ରାଜ୍ୟଗୁଡ଼ିକରେ ଥିବା ଉଚ୍ଚନ୍ୟାୟାଳୟ ସକାଶେ ବିଚାରପତିଙ୍କ ପଦୋନ୍ନତି ଓ ହାଇକୋର୍ଟ ବିଚାରପତିଙ୍କ ବଦଳି ଆଦି ନିଷ୍ପତ୍ତି ନେଇଥାଆନ୍ତି। ଅନ୍ୟପକ୍ଷରେ ଏନ୍‌ଜେଏସିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏକ୍ସ-ଅଫିସିଓ ଅଧ୍ୟକ୍ଷ ଥିବା ବେଳେ ତାଙ୍କ ପରେ ଥିବା ଦୁଇ ବରିଷ୍ଠ ବିଚାରପତି, କେନ୍ଦ୍ର ଆଇନମନ୍ତ୍ରୀ ଏବଂ ଦୁଇ ଜଣ ପ୍ରଖ୍ୟାତ ବ୍ୟକ୍ତିଙ୍କୁ କମିଟିରେ ସ୍ଥାନିତ କରିବାର ବ୍ୟବସ୍ଥା କରାଯାଇଥିଲା। ତେବେ ସେହି ଦୁଇ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା (ଏଭଳି ନେତାଙ୍କ ଅଭାବ ଥିଲେ ଲୋକ ସଭାରେ ବିରୋଧୀଙ୍କ ମଧ୍ୟରେ ସର୍ବାଧିକ ଭୋଟ ପାଇଥିବା ରାଜନୈତିକ ଦଳର ନେତା) ମନୋନୀତ କରିବାର ବିଧି ସୃଷ୍ଟି କରାଯାଇଥିଲା। କଲେଜିୟମ୍‌ ବ୍ୟବସ୍ଥାଠାରୁ ଏନ୍‌ଜେଏସି ଅଧିକ ସ୍ବଚ୍ଛ ବୋଲି ଯୁକ୍ତି ଦର୍ଶାଯାଇଥାଏ। କାରଣ ଏଥିରେ କେବଳ ବିଚାରପତି ନୁହନ୍ତି, ଅନ୍ୟାନ୍ୟ ବର୍ଗଙ୍କ ଅଂଶଗ୍ରହଣ ରହୁଛି। ତେବେ ସୁପ୍ରିମକୋର୍ଟଙ୍କ ତରଫରୁ ଏନ୍‌ଜେଏସିକୁ ଅସାମ୍ବିଧାନିକ ଘୋଷଣା କରାଯିବା ପରଠାରୁ କେନ୍ଦ୍ର ଓ କଲେଜିୟମ୍‌ ବ୍ୟବସ୍ଥାକୁ ସମର୍ଥନ କରୁଥିବା ଶ୍ରେଣୀ ମଧ୍ୟରେ ସଂଘର୍ଷ ଚାଲିଛି।
ରିଜିଜୁ ଯେତେବେଳେ କଲେଜିୟମ୍‌ରେ ବିଚାରପତିଙ୍କ ନିଯୁକ୍ତି ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ବିଚାରପତିଙ୍କ ଦ୍ୱାରା କରାଯାଉଥିବା କଥା କହୁଛନ୍ତି, ସେତିକିବେଳେ ଅନ୍ୟ କେତେକ ସଂସ୍ଥାରେ ମଧ୍ୟ ସର୍ବୋଚ୍ଚରେ ଥିବା ବ୍ୟକ୍ତି ଏକାକୀ ନିଷ୍ପତ୍ତି ନେଇଥାଆନ୍ତି କିଏ ତାଙ୍କ ସହଯୋଗୀ ଭାବେ କାର୍ଯ୍ୟ କରିପାରିବେ। ଉଦାହରଣ ସ୍ବରୂପ, ପ୍ରଧାନମନ୍ତ୍ରୀ ଏକାକୀ ନିଷ୍ପତ୍ତି ନେଇ କେନ୍ଦ୍ର କ୍ୟାବିନେଟ୍‌ ପାଇଁ ସଦସ୍ୟ ବାଛିଥାଆନ୍ତି, ଯାହାର ଲାଭ ରିଜିଜୁ ନିଜେ ଏବେ ଉପଭୋଗ କରୁଛନ୍ତି। ସେଥିରେ କୌଣସି ପୋଲିସ ଗୋଇନ୍ଦା ସଂସ୍ଥାର ରିପୋର୍ଟ ମଗାଯାଏ ନାହିଁ କିମ୍ବା ତାଙ୍କର କୌଣସି ଅନ୍ୟ ଅଧିକାରୀଙ୍କ ଦ୍ୱାରା ସ୍ବୀକୃତି ଲାଭ କରିବାର ପ୍ରୟୋଜନ ଉପୁଜେ ନାହିଁ। ସେହିଭଳି ଭାବେ ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ବଇଚ୍ଛାରେ ମନ୍ତ୍ରିମଣ୍ଡଳ ଗଠନ କରିଥାଆନ୍ତି। କେବଳ ଜାତୀୟ ଦଳଗୁଡ଼ିକରେ ହାଇକମାଣ୍ଡ୍‌ଙ୍କ ସବୁଜ ସଙ୍କେତ ଲୋଡ଼ାଯାଇଥାଏ। ନଚେତ୍‌ ସବୁ ଆଞ୍ଚଳିକ ଦଳର ସର୍ବୋଚ୍ଚ ନେତା ଯେତେବେଳେ ମୁଖ୍ୟମନ୍ତ୍ରୀ ହୁଅନ୍ତି, ମନଇଚ୍ଛାରେ ଅପାଠୁଆ ଓ ଅପାରଗଙ୍କୁ ମନ୍ତ୍ରୀ ଭାବେ ବସାଇ ଦିଅନ୍ତି। ଆଜି ମୋଦିଙ୍କ କ୍ୟାବିନେଟ୍‌ ମଧ୍ୟ ଏହି ଚିରାଚରିତ ଢଙ୍ଗଠାରୁ କୌଣସି ଭାବେ ଭିନ୍ନ ନୁହେଁ। ସେଥିପାଇଁ ଯଦି ରିଜିଜୁଙ୍କ କଥାକୁ ସମର୍ଥନ ଦିଆଯାଏ, ତେବେ ପ୍ରଧାନମନ୍ତ୍ରୀ ଏବଂ ପ୍ରତ୍ୟେକଟି ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାବିନେଟ୍‌ ଗଠନ ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବା ହାଇକୋର୍ଟ ମୁଖ୍ୟ ବିଚାରପତି, ସବୁଠାରୁ ବଡ଼ ବିରୋଧୀ ଦଳ ନେତା, ଦୁଇ ଜଣ ପ୍ରଖ୍ୟାତ ବ୍ୟକ୍ତିଙ୍କ ମତ ଲୋଡ଼ି କ୍ୟାବିନେଟ୍‌ ପ୍ରସ୍ତୁତ କଲେ ଦେଶର ଅନେକ ମଙ୍ଗଳ ଏହି ପ୍ରଥମ ପଦକ୍ଷେପରୁ ହୋଇପାରନ୍ତା। ପରକୁ ଉପଦେଶ ଦେବା ପୂର୍ବରୁ ନିଜ ପରିସ୍ଥିତିକୁ ବୁଝିବା ହୁଅନ୍ତା ରିଜିଜୁଙ୍କ ପାଇଁ ଅତ୍ୟନ୍ତ ଜ୍ଞାନୋଦୟକାରୀ। ପରିବର୍ତ୍ତିତ ପରିସ୍ଥିତିରେ ମନେହେଉଛି ଯେପରି ସରକାର ଏକ ଉତ୍ସର୍ଗୀକୃତ ନ୍ୟାୟବ୍ୟବସ୍ଥା ସୃଷ୍ଟି କରିବାକୁ ଚାହୁଁଛନ୍ତି, ଯେ କି ପ୍ରତ୍ୟେକ ପଦକ୍ଷେପକୁ ସମର୍ଥନ କରି ‘ଭାରତ ମାତା କୀ ଜୟ ଧ୍ୱନି’ରେ ଘୋଡ଼ାଇ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?