ଉତ୍ସର୍ଗୀକୃତ ନ୍ୟାୟବ୍ୟବସ୍ଥା

କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ କ୍ରମାଗତ ଭାରତୀୟ ବିଚାର ବ୍ୟବସ୍ଥା ଉପରେ ଆକ୍ରମଣ କରିଚାଲିଛନ୍ତି। ବିଶେଷକରି କଲେଜିୟମ୍‌ ବ୍ୟବସ୍ଥାକୁ ସମାଲୋଚନା କରି ବିଚାରପତିମାନେ ବିଚାରପତିଙ୍କୁ ବାଛିବା ପରମ୍ପରାକୁ ସେ ନାପସନ୍ଦ କରି ପ୍ରାୟ ପ୍ରତ୍ୟେକ ଦିନ ବିଭିନ୍ନ ଅବାଞ୍ଛିତ ମତ ଗଣମାଧ୍ୟମକୁ ଦେଉଛନ୍ତି। ଏହା ସତ୍ତ୍ୱେ ରିଜିଜୁ କହୁଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟ ତରଫରୁ ସରକାରୀ ପୋଲିସ ଗୋଇନ୍ଦା ସଂସ୍ଥାର ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରାଯିବା ଫଳରେ ଦେଶର କ୍ଷତି ଘଟୁଛି। ସମ୍ବିଧାନରେ କଲେଜିୟମ୍‌ ନ ଥିଲା ଓ ଏହା ବିଚାରପତିମାନଙ୍କ ଦ୍ୱାରା ସୃଷ୍ଟ ବ୍ୟବସ୍ଥା ବୋଲି ରିଜିଜୁ କହିଛନ୍ତି। ସେଥିପାଇଁ ସେ ନ୍ୟାଶନାଲ ଜୁଡିସିଆଲ୍‌ ଆପଏଣ୍ଟମେଣ୍ଟସ କମିଶନ (ଏନ୍‌ଜେଏସି)କୁ ଲାଗୁ କରିବା ଉପରେ ଜୋର ଦେଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କଲେଜିୟମ୍‌ ବ୍ୟବସ୍ଥାରେ ଭାରତର ପ୍ରଧାନ ବିଚାରପତି ଓ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ସର୍ବୋଚ୍ଚ ନ୍ୟାୟାଳୟ ଓ ରାଜ୍ୟଗୁଡ଼ିକରେ ଥିବା ଉଚ୍ଚନ୍ୟାୟାଳୟ ସକାଶେ ବିଚାରପତିଙ୍କ ପଦୋନ୍ନତି ଓ ହାଇକୋର୍ଟ ବିଚାରପତିଙ୍କ ବଦଳି ଆଦି ନିଷ୍ପତ୍ତି ନେଇଥାଆନ୍ତି। ଅନ୍ୟପକ୍ଷରେ ଏନ୍‌ଜେଏସିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏକ୍ସ-ଅଫିସିଓ ଅଧ୍ୟକ୍ଷ ଥିବା ବେଳେ ତାଙ୍କ ପରେ ଥିବା ଦୁଇ ବରିଷ୍ଠ ବିଚାରପତି, କେନ୍ଦ୍ର ଆଇନମନ୍ତ୍ରୀ ଏବଂ ଦୁଇ ଜଣ ପ୍ରଖ୍ୟାତ ବ୍ୟକ୍ତିଙ୍କୁ କମିଟିରେ ସ୍ଥାନିତ କରିବାର ବ୍ୟବସ୍ଥା କରାଯାଇଥିଲା। ତେବେ ସେହି ଦୁଇ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା (ଏଭଳି ନେତାଙ୍କ ଅଭାବ ଥିଲେ ଲୋକ ସଭାରେ ବିରୋଧୀଙ୍କ ମଧ୍ୟରେ ସର୍ବାଧିକ ଭୋଟ ପାଇଥିବା ରାଜନୈତିକ ଦଳର ନେତା) ମନୋନୀତ କରିବାର ବିଧି ସୃଷ୍ଟି କରାଯାଇଥିଲା। କଲେଜିୟମ୍‌ ବ୍ୟବସ୍ଥାଠାରୁ ଏନ୍‌ଜେଏସି ଅଧିକ ସ୍ବଚ୍ଛ ବୋଲି ଯୁକ୍ତି ଦର୍ଶାଯାଇଥାଏ। କାରଣ ଏଥିରେ କେବଳ ବିଚାରପତି ନୁହନ୍ତି, ଅନ୍ୟାନ୍ୟ ବର୍ଗଙ୍କ ଅଂଶଗ୍ରହଣ ରହୁଛି। ତେବେ ସୁପ୍ରିମକୋର୍ଟଙ୍କ ତରଫରୁ ଏନ୍‌ଜେଏସିକୁ ଅସାମ୍ବିଧାନିକ ଘୋଷଣା କରାଯିବା ପରଠାରୁ କେନ୍ଦ୍ର ଓ କଲେଜିୟମ୍‌ ବ୍ୟବସ୍ଥାକୁ ସମର୍ଥନ କରୁଥିବା ଶ୍ରେଣୀ ମଧ୍ୟରେ ସଂଘର୍ଷ ଚାଲିଛି।
ରିଜିଜୁ ଯେତେବେଳେ କଲେଜିୟମ୍‌ରେ ବିଚାରପତିଙ୍କ ନିଯୁକ୍ତି ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ବିଚାରପତିଙ୍କ ଦ୍ୱାରା କରାଯାଉଥିବା କଥା କହୁଛନ୍ତି, ସେତିକିବେଳେ ଅନ୍ୟ କେତେକ ସଂସ୍ଥାରେ ମଧ୍ୟ ସର୍ବୋଚ୍ଚରେ ଥିବା ବ୍ୟକ୍ତି ଏକାକୀ ନିଷ୍ପତ୍ତି ନେଇଥାଆନ୍ତି କିଏ ତାଙ୍କ ସହଯୋଗୀ ଭାବେ କାର୍ଯ୍ୟ କରିପାରିବେ। ଉଦାହରଣ ସ୍ବରୂପ, ପ୍ରଧାନମନ୍ତ୍ରୀ ଏକାକୀ ନିଷ୍ପତ୍ତି ନେଇ କେନ୍ଦ୍ର କ୍ୟାବିନେଟ୍‌ ପାଇଁ ସଦସ୍ୟ ବାଛିଥାଆନ୍ତି, ଯାହାର ଲାଭ ରିଜିଜୁ ନିଜେ ଏବେ ଉପଭୋଗ କରୁଛନ୍ତି। ସେଥିରେ କୌଣସି ପୋଲିସ ଗୋଇନ୍ଦା ସଂସ୍ଥାର ରିପୋର୍ଟ ମଗାଯାଏ ନାହିଁ କିମ୍ବା ତାଙ୍କର କୌଣସି ଅନ୍ୟ ଅଧିକାରୀଙ୍କ ଦ୍ୱାରା ସ୍ବୀକୃତି ଲାଭ କରିବାର ପ୍ରୟୋଜନ ଉପୁଜେ ନାହିଁ। ସେହିଭଳି ଭାବେ ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ବଇଚ୍ଛାରେ ମନ୍ତ୍ରିମଣ୍ଡଳ ଗଠନ କରିଥାଆନ୍ତି। କେବଳ ଜାତୀୟ ଦଳଗୁଡ଼ିକରେ ହାଇକମାଣ୍ଡ୍‌ଙ୍କ ସବୁଜ ସଙ୍କେତ ଲୋଡ଼ାଯାଇଥାଏ। ନଚେତ୍‌ ସବୁ ଆଞ୍ଚଳିକ ଦଳର ସର୍ବୋଚ୍ଚ ନେତା ଯେତେବେଳେ ମୁଖ୍ୟମନ୍ତ୍ରୀ ହୁଅନ୍ତି, ମନଇଚ୍ଛାରେ ଅପାଠୁଆ ଓ ଅପାରଗଙ୍କୁ ମନ୍ତ୍ରୀ ଭାବେ ବସାଇ ଦିଅନ୍ତି। ଆଜି ମୋଦିଙ୍କ କ୍ୟାବିନେଟ୍‌ ମଧ୍ୟ ଏହି ଚିରାଚରିତ ଢଙ୍ଗଠାରୁ କୌଣସି ଭାବେ ଭିନ୍ନ ନୁହେଁ। ସେଥିପାଇଁ ଯଦି ରିଜିଜୁଙ୍କ କଥାକୁ ସମର୍ଥନ ଦିଆଯାଏ, ତେବେ ପ୍ରଧାନମନ୍ତ୍ରୀ ଏବଂ ପ୍ରତ୍ୟେକଟି ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାବିନେଟ୍‌ ଗଠନ ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବା ହାଇକୋର୍ଟ ମୁଖ୍ୟ ବିଚାରପତି, ସବୁଠାରୁ ବଡ଼ ବିରୋଧୀ ଦଳ ନେତା, ଦୁଇ ଜଣ ପ୍ରଖ୍ୟାତ ବ୍ୟକ୍ତିଙ୍କ ମତ ଲୋଡ଼ି କ୍ୟାବିନେଟ୍‌ ପ୍ରସ୍ତୁତ କଲେ ଦେଶର ଅନେକ ମଙ୍ଗଳ ଏହି ପ୍ରଥମ ପଦକ୍ଷେପରୁ ହୋଇପାରନ୍ତା। ପରକୁ ଉପଦେଶ ଦେବା ପୂର୍ବରୁ ନିଜ ପରିସ୍ଥିତିକୁ ବୁଝିବା ହୁଅନ୍ତା ରିଜିଜୁଙ୍କ ପାଇଁ ଅତ୍ୟନ୍ତ ଜ୍ଞାନୋଦୟକାରୀ। ପରିବର୍ତ୍ତିତ ପରିସ୍ଥିତିରେ ମନେହେଉଛି ଯେପରି ସରକାର ଏକ ଉତ୍ସର୍ଗୀକୃତ ନ୍ୟାୟବ୍ୟବସ୍ଥା ସୃଷ୍ଟି କରିବାକୁ ଚାହୁଁଛନ୍ତି, ଯେ କି ପ୍ରତ୍ୟେକ ପଦକ୍ଷେପକୁ ସମର୍ଥନ କରି ‘ଭାରତ ମାତା କୀ ଜୟ ଧ୍ୱନି’ରେ ଘୋଡ଼ାଇ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri