ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ ଆଜି କେତୋଟିି ଫିଲ୍ମ ଦେଖିଲେ ମନେହୁଏ ଏହା ସମାଜର ବାସ୍ତବତାକୁ ପ୍ରତିଫଳିତ କରିବା ଛାଡ଼ିଦେଇଛି। ବରଂ ଏହା ସମାଜର ଆକୃତିକୁ ବିକୃତ କରିବା ଲାଗି ତିଆରି ହେଉଛି।
ମୋର ଫିଲ୍ମ ଦେଖିବା ଆରମ୍ଭ ହୁଏ ‘ଶୋଲେ’ ଫିଲ୍ମରୁ, ହଲ୍ର ଆଗ ସିଟରେ, ଯେଉଁଠି ଅଧିକ ହ୍ବିସିଲ ବାଜୁଥାଏ। ମୋ ଦେଖିବାରେ ‘ଦିୱାର’ରୁ ‘ସତ୍ୟା’ ପର୍ଯ୍ୟନ୍ତ, ସିନେମା ଅପରାଧ, କ୍ରୋଧ ଏବଂ ବିଦ୍ରୋହର ଅନୁସନ୍ଧାନ କରିଛି। ମୁଖ୍ୟ ଚରିତ୍ର ହିଂସା ମାଧ୍ୟମରେ ନିଜର ଆକ୍ରୋଶ ଓ ପ୍ରତିବାଦକୁ ପ୍ରକାଶ କରୁଛି। ତାହା ବେଳେ ବେଳେ ଅସ୍ବସ୍ତିକର ବି ଲାଗିଛି। ଫିଲ୍ମ ଭଲ ଲାଭ କରିବା ଲାଗି ଏହାର ନିର୍ଦ୍ଦେଶକ ଯନ୍ତ୍ରଣା ଦେଉଥିବା ଓ ପାଉଥିବାର ସଂବେଦନଶୀଳ ଦୃଶ୍ୟଟିଏ ଫିଲ୍ମରେ ଖଞ୍ଜି ଦିଅନ୍ତି। ଲୋକେ ହଲ୍ରୁ ଭାରାକ୍ରାନ୍ତ ହୋଇଫେରନ୍ତି ଓ ଫିଲ୍ମ ହିଟ୍ ହୁଏ। ତଥାପି ସେହିଭଳି ଫିଲ୍ମ ସମାଜର ବାସ୍ତବ ସ୍ଥିତିକୁ କେତେକାଂଶରେ ଉପସ୍ଥାପିତ କରୁଥିଲା। ଏବେ ‘ଧୁରନ୍ଧର-୨’ ଦେଖିଲା ପରେ ଲାଗୁଛି ଫିଲ୍ମର ସଫଳତା ଆଉ ସମାଜରେ ରହିଥିବା ଯନ୍ତ୍ରଣାକୁ ଦେଖାଇବାରେ ନାହିଁ ବରଂ ଯନ୍ତ୍ରଣା କିଭଳି ଦିଆଯିବ ତାହାର ପ୍ରଶିକ୍ଷଣରେ ରହିଛି। ଆମେ ପ୍ରକୃତରେ ‘ଧୁରନ୍ଧର’ରେ ଦେଖୁଛୁ କାହାର ଗଳା କାଟି ଦିଆଯାଉଛି, ଶରୀରକୁ ଫୁଟୁଥିବା ତେଲରେ ଫିଙ୍ଗାଯାଉଛି। ମଣିଷଙ୍କୁ ବାନ୍ଧି, ମୋଟର ସାଇକେଲରେ ଟାଣି ନିଆଯାଉଛି। ପ୍ରଚ୍ଛଦରେ କାହାକୁ ଝୁଲାଇ, ପଙ୍ଖାରେ ବାନ୍ଧି, ପଙ୍ଖା ଚାଲୁ କରାଯାଇଛି ଅଥଚ ଚରିତ୍ରର କୌଣସି ପ୍ରତିକ୍ରିୟା ନାହିଁ। ଏଗୁଡ଼ିକ ଆମ ସମାଜର ସହଜ ଓ ନିୟମିତ ଦୃଶ୍ୟ ନୁହେଁ। ଅଥଚ ଏହି ସମସ୍ତ ଦୃଶ୍ୟ ବେଶ୍ ଦୀର୍ଘ, ବାରମ୍ବାର, ବିସ୍ତୃତ ଓ ନିର୍ଦ୍ଦେଶଯୁକ୍ତ। ଏହା କାହାଣୀ କହିବାର ରାସ୍ତା ନୁହେଁ ; ଏହା କାହାଣୀକୁ ହିଂସ୍ର ରାସ୍ତାରେ ପ୍ରଦର୍ଶନ କରିବାର ରାସ୍ତା, ଠିକ୍ ପିଲାଙ୍କ ଭୟଙ୍କର କାର୍ଟୁନ ଭଳି।
ଏହାର ନିର୍ଦ୍ଦେଶକ ଏ ସମ୍ପର୍କରେ ସୁବିଧା ରାସ୍ତା ନେଇ କହୁଛନ୍ତି ଯେ ଏହା କାଳ୍ପନିକ। ମାତ୍ର ଏହା ପଳାୟନର ରାସ୍ତା, ଅତ୍ୟନ୍ତ ଦାୟିତ୍ୱହୀନତା। ଏହି ‘କାଳ୍ପନିକ’ ଫିଲ୍ମ ପ୍ରଦର୍ଶିତ ଘୃଣା ଓ କ୍ରୋଧ ଦ୍ୱାରା ଶହ ଶହ କୋଟି ଟଙ୍କା ଆୟ ହେଉଛି। ଏଥିରେ ଥିବା ଘୃଣା ଓ ହିଂସ୍ର ଆଚରଣର ନୂତନ ପରିପ୍ରକାଶକୁ ସମାଜ ଲାଗି ଅନୁକରଣ ସାପେକ୍ଷ କରାଯାଉଛି। ଏହାଦ୍ବାରା ଧାର୍ମିକ ଅଳ୍ପସଂଖ୍ୟକ, ଦଳିତ ଓ ଭିନ୍ନମତାବଲମ୍ବୀଙ୍କ ଜୀବନ ଅଧିକ ଭୟଗ୍ରସ୍ତ ହୋଇଯିବ। ମୁଁ ଜାଣେ ଯେ ଅନେକ ସମାଲୋଚକ ପୂର୍ବରୁ ‘ଧୁରନ୍ଧର’ର ସମୀକ୍ଷା କରିସାରିଛନ୍ତି। ସେମାନେ ଏହାର ଚିତ୍ର ଉତ୍ତୋଳନ, ସମ୍ପାଦନା, ଅଭିନୟ, ଶୁଟିଂ ସେଟ ଏବଂ ସିନେମାଟିକ୍ କଳା ବିଷୟରେ ଆଲୋଚନା କରିଛନ୍ତି। ମୁଁ ସେହି ଦିଗଗୁଡ଼ିକୁ ଅସ୍ବୀକାର କରୁ ନାହିଁ କିମ୍ବା ମୁଁ ନିଜେ ଚଳଚ୍ଚିତ୍ରକୁ ଅଣଦେଖା କରିପାରୁନାହିଁ। ମୋର ସମାଲୋଚନା ସିନେମାର ଉପସ୍ଥାପନ ଶୈଳୀ ଉପରେ ନୁହେଁ, ଏହାର ବିଷୟବସ୍ତୁ ଉପରେ। ଏହି ଫିଲ୍ମରେ ମୁଖ୍ୟ ଚରିତ୍ର ଭାରତୀୟ ଜେଲର ଏକ ଅପରାଧୀ। ସେ ଗୁପ୍ତଚର ଭାବରେ ଆଫଗାନିସ୍ତାନ ରାସ୍ତାରେ ପାକିସ୍ତାନକୁ ପ୍ରବେଶ କରୁଛି। ସେଠାରେ ଦୁଇ ମାଫିଆ ଦଳଙ୍କ ଭିତରେ ଚାଲିଥିବା ପ୍ରତିଯୋଗିତା ଭିତରେ ନିଜେ ଗୋଟିଏ ଦଳର ସଦସ୍ୟ ହୋଇଯାଉଛି ଓ ପାକିସ୍ତାନର ଡ୍ରଗ୍ସ ମାଫିଆ, ଅସ୍ତ୍ର ଡିଲର, ଉଗ୍ରପନ୍ଥୀ ଓ ଚୋରା ବେପାରୀଙ୍କ ଯୋଜନାକୁ ପଣ୍ଡ କରି ଉଭୟ ଦଳର ସଦସ୍ୟଙ୍କୁ ହତ୍ୟା କରୁଛି। ଏହାର ବିଷୟବସ୍ତୁ ପାକିସ୍ତାନ ଭୂମି କିନ୍ତୁ ସମଗ୍ର ଫିଲ୍ମ ଶୁଟିଂ ହୋଇଛି ପଞ୍ଜାବ, ବମ୍ବେ ଓ ଅନ୍ୟତ୍ର। ଏହାକୁ ଜାତିସଂଘର ଭାଷାରେ ଗୋଟିଏ ଦେଶ ଦ୍ୱାରା ଅନ୍ୟ ଏକ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ। କିନ୍ତୁ ନିର୍ଦ୍ଦେଶକଙ୍କ ଭାଷାରେ ଏହା କାଳ୍ପନିକ। ଏଥିରେ ପଡ଼ୋଶୀ ଦେଶର ବିଚାର ବିଭାଗ ସାଧାରଣ ମଣିଷର ସୁରକ୍ଷା ଓ ଅଧିକାର ସମ୍ପର୍କରେ କିଛି ବି ଦର୍ଶାଯାଇନାହିଁ। ବାଃ ଭାରତୀୟ ସେନ୍ସର ବୋର୍ଡ ଏହାକୁ ଅନୁମୋଦନ କରି ଫିଲ୍ମ ଜଗତରେ ନୂଆ ଧାରାକୁ ଅନୁମୋଦନ କରୁଛି। ଅନୁମୋଦନ ତ ନୁହେଁ ଜାତୀୟତାକୁ ଦେଶର ସୀମା ଡିଆଁଇ ଦେଉଛି। ହିନ୍ଦୀ ଫିଲ୍ମରେ ଅର୍ଦ୍ଧାଧିକ ଫିଲ୍ମର ବିଷୟ ଡ୍ରଗ୍ସ ମାଫିଆ, ଅସ୍ତ୍ର ଡିଲର, ଉଗ୍ରପନ୍ଥୀ ଓ ଚୋରା ବେପାରୀଙ୍କୁ ନେଇ ନିର୍ମିତ। ଯଦି ପାକିସ୍ତାନ ଫିଲ୍ମ ନିର୍ମାତା ଭାରତକୁ ନିଜର ଲକ୍ଷ୍ୟ କରି ସମାନ ବିଷୟବସ୍ତୁରେ ଫିଲ୍ମ ନିର୍ମାଣ କରି ପଡ଼ୋଶୀ ଦେଶରେ ରିଲିଜ କରେ ତେବେ ଦୁଇ ଦେଶବାସୀଙ୍କ ମଧ୍ୟରେ ଘୃଣା ଆଉ ସରକାରଙ୍କ କର୍ତ୍ତୁତ୍ୱରେ ରହିବ ତ?
ପୂର୍ବରୁ ଆମେ ‘ବର୍ଡର’ ଭଳି ଅନେକ ଫିଲ୍ମରେ ଭାରତର ହିରୋ ଭାରତରେ ରହି ପଡ଼ୋଶୀ ଦେଶର ଚକ୍ରାନ୍ତକୁ ପଣ୍ଡ କରିବା, ସୀମାକୁ ସୁରକ୍ଷିତ ରଖିବା ଇତ୍ୟାଦି ଜାତୀୟତା ନାମରେ ଦେଖୁଥିଲୁ। ଏବେ ‘ଧୁରନ୍ଧର’ରେ ଭାରତୀୟ ଅପରାଧୀ ପଡ଼ୋଶୀ ଦେଶ ପାକିସ୍ତାନକୁ ଛଦ୍ମବେଶରେ ଯାଇ ଭାରତୀୟତାର ଦେଶପ୍ରେମ ଦେଖାଇ ସେଠାରେ ହିଂସାର ନାଟକ ତିଆରି କରିବା ଦ୍ୱାରା ଜାତୀୟତା ନାମରେ ଏହି ଫିଲ୍ମ ନୂଆ ଉପାଖ୍ୟାନ ତିଆରି କରୁଛି। ଏହି ସାଂଘାତିକ ପରିବର୍ତ୍ତନ ଲାଗି ହୁଏତ ଦିନେ ଫିଲ୍ମ ସେନ୍ସର ବୋର୍ଡ ଦାୟୀ ରହିବ।
ହିନ୍ଦୁ ଗୋରକ୍ଷକମାନେ ମୁସଲିମ, ଦଳିତ ଓ ଚାଷୀଙ୍କୁ ଦିନ ବେଳା ଜାତୀୟ ରାଜପଥ ଉପରେ ଅତି ଅମାନୁଷିକ ଭାବରେ ପିଟି ପିଟି ମାରିଦେଉଛନ୍ତି। ଏଭଳି ଘୃଣା ସେମାନଙ୍କ ମନକୁ ଆସୁଛି କେମିତି? ଦେଖଣାହାରୀମାନେ ପ୍ରତିକ୍ରିୟାବିହୀନ, ନିଜେ ଜଣେ ବିଚାରପତି ହୋଇଯାଉଛନ୍ତି। ସେମାନେ ଧରି ନେଉଛନ୍ତି ଯେ ଯଦି ବ୍ୟକ୍ତି ଜଣକ ‘ମୁସଲମାନ’, ‘ଦଳିତ’, ‘ପାକିସ୍ତାନୀ’ ବା ‘ବାଂଲାଦେଶୀ’ ତେବେ ତାହାର ମୃତ୍ୟୁ ଅବଶ୍ୟମ୍ଭାବୀ। ଏହା ତ ମୃତ୍ୟୁ ନୁହେଁ, ନିଷ୍ଠୁର ହତ୍ୟା। କଳ୍ପନା କରନ୍ତୁ ଯେ ଆପଣ ଯାଇଥିବା କୌଣସି ଦୂର ରାଜ୍ୟରେ ନୂଆ ସ୍ଥାନରେ କେହି ଜଣେ ସାମାନ୍ୟ ବଚସା କାରଣରୁ ଆପଣଙ୍କ ଉପରେ ପ୍ରତିଶୋଧ ନେବା ଲାଗି ମିଛରେ ମୁସଲମାନ, ଆତଙ୍କବାଦୀ, ପାକିସ୍ତାନୀ, ପିଲାଚୋର, ଗାଈଚୋର ଇତ୍ୟାଦି ଆକ୍ଷେପ କରିଦେଲା। ତା’ପରେ ଆପଣଙ୍କ ସ୍ଥିତି କ’ଣ ହେବ?
ଯେଉଁଠି ଆମର ସଂସ୍କୃତି ଆମକୁ ‘ଅହୋମ ବ୍ରହ୍ମସ୍ମି’, ‘ସର୍ବଘଟେ ନାରାୟଣ’ (ପ୍ରତ୍ୟେକ ଆତ୍ମାରେ ଈଶ୍ୱର) ଶିକ୍ଷା ଦେଇଛି, ଯେଉଁଠି ଆମର ସମ୍ବିଧାନ ପ୍ରତ୍ୟେକ ମଣିଷର ସମ୍ମାନର ସହିତ ବଞ୍ଚିବାର ଅଧିକାରର କଥା କହୁଛି ଭିଡହିଂସାରେ ଜଣେ କେହି ମୃତ୍ୟୁବରଣ କରିବା ସମାଜରେ ଅନେକ କିଛି ପରିବର୍ତ୍ତନ ହୋଇଯାଇଥିବା ଦର୍ଶାଉଛି। ଆକ୍ରମଣକାରୀଙ୍କ ମସ୍ତିଷ୍କର ପ୍ରୋଗ୍ରାମିଂ କରାଯାଇଛି। ଅମାନବିକତାକୁ ପ୍ରସାର କରାଯାଉଛି ଅତି ନିଷ୍ଠୁର ଭାବରେ। ଏହାପରେ ହୁଏତ ସମାଜ ମଧ୍ୟରେ ପ୍ରଚଳିତ ପ୍ରେମ, ସ୍ନେହ, ମାନବିକତା ଇତ୍ୟାଦି ଶବ୍ଦଗୁଡ଼ିକ କେବଳ ଅଭିଧାନରେ ଦେଖାଯିବ। ଔଷଧର ଅତ୍ୟଧିକ ଡୋଜ ଶରୀରକୁ ନଷ୍ଟ କରେ। ଏହି ପ୍ରକାରର ସିନେମା ମନକୁ ପ୍ରଭାବିତ କରେ, ନଷ୍ଟ କରେ, ମନକୁ ହିଂସା ଲାଗି ଇଞ୍ଜିନିୟର କରେ। ହିଂସାର ପରିପ୍ରକାଶ ହିଁ ସର୍ବଶ୍ରେଷ୍ଠ ଜାତୀୟତାବାଦ ହୋଇଯାଏ।
ଦେବ ରଞ୍ଜନ
ମୋ : ୯୪୩୭୭୬୨୨୭୨