ଆଶୀର୍ବାଦ ନା ଅଭିଶାପ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ସମ୍ଭାବ୍ୟ ଭୟାବହତାକୁ ନେଇ ୧୯ ଜୁଲାଇ, ୨୦୨୩ରେ ବ୍ରିଟେନ ଦ୍ୱାରା ଆୟୋଜିତ ଜାତିସଂଘ ନିରାପତ୍ତା ପରିଷଦର ସର୍ବପ୍ରଥମ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏବେ ବ୍ୟଗ୍ରତା ପ୍ରକାଶ ପାଇଛି। ଆଲୋଚନାରେ ଭାଗନେଇ ଅନେକ ଏଆଇ କମ୍ପାନୀର ପ୍ରତିଷ୍ଠାତାମାନେ ଏଆଇକୁ କୌଣସି ଅପ୍ରତ୍ୟାଶିତ ବିଶୃଙ୍ଖଳ ଆଚରଣ ଭିତରକୁ ଠେଲି ନ ଦେଇ ଏହାର ସମ୍ଭାବ୍ୟ ଅପବ୍ୟବହାରକୁ ବନ୍ଦ କରିବା ପାଇଁ ମିଳିତ ଉଦ୍ୟମ ଜାରିରଖିବାକୁ ମତପୋଷଣ କରିଥିଲେ। ଆଂଥ୍ରୋପିକ ଏଆଇ କମ୍ପାନୀର ଯୁଗ୍ମ ପ୍ରତିଷ୍ଠାତା ଜ୍ୟାକ କ୍ଲାର୍କ ଏ ଦିଗରେ ବିଶ୍ୱ ନିରାପତ୍ତା ସହିତ କୌଣସି ବୁଝାମଣା ନ କରି ଏଆଇ ବିନିର୍ମାଣକାରୀଙ୍କ ଉତ୍ତରଦାୟିତ୍ୱ ପ୍ରତି ସମ୍ପୂର୍ଣ୍ଣ ଯତ୍ନବାନ ରହିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ, ବଜାର ଚାହିଦାକୁ ନଜରରେ ରଖି ନିଜ ନିଜ ଭିତରେ ପ୍ରତିଯୋଗିତା ପୂର୍ବକ କିଛି ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥା ଉପରେ ଏଆଇର ବିନିର୍ମାଣକୁ ଛାଡ଼ି ନ ଦେଇ, ସରକାରୀ ଭାବେ ପ୍ରତ୍ୟେକ ରାଷ୍ଟ୍ରର ସମ୍ମିଳିତ ତଥା ଉତ୍ସର୍ଗୀକୃତ ପ୍ରଚେଷ୍ଟା ରହିବା ଜରୁରୀ। ମାନବକୈନ୍ଦ୍ରିକ ବିଶ୍ୱସନୀୟତା ଉପରେ ଜୋର ଦେଇ ଏଆଇର ବିନିର୍ମାଣ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନବୀୟ ଅଧିକାରର ଅନୁରୂପ ହେବା ବିଧେୟ ବୋଲି ଜାପାନର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ତାକେଇ ସୁନସୁକେ ସୂଚନା ଦେଇଥିଲେ। ସର୍ବୋପରି, ପରମାଣୁ ଯୁଦ୍ଧାସ୍ତ୍ର, ବାୟୋଟେକ୍ନୋଲୋଜି, ନ୍ୟୁରୋଟେକ୍ନୋଲୋଜି ଏବଂ ରୋବୋଟିକ୍ସରେ ଏଆଇର ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ଉତ୍ପନ୍ନ ଭୟାବହତା ଉପରେ ବ୍ୟଗ୍ରତା ପ୍ରକାଶ କରି ଏହି ସମ୍ଭାବ୍ୟ ବିପଦରୁ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିଙ୍କୁ ରକ୍ଷା ନ କରି ପାରିବା ନିଜ ଦାୟିତ୍ୱରୁ ବିଚ୍ୟୁତ ହେଲା ଭଳି କଥା ବୋଲି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ମତବ୍ୟକ୍ତ କରିଥିଲେ।
‘କାର୍ଯ୍ୟକ୍ଷେତ୍ରରେ ଜେନେରେଟିଭ ଏଆଇ’ ଉପରେ ଏପ୍ରିଲ ୨୦୨୩ରେ ପ୍ରକାଶ ପାଇଥିବା କେମ୍ବ୍ରିଜର ମାସାଚୁଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍‌ନୋଲୋଜି ଦ୍ୱାରା ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଏଆଇ ଉପକରଣର ବ୍ୟବହାର ଯୋଗୁ ପ୍ରତି ଘଣ୍ଟାର ହାରାହାରି ସମସ୍ୟା ସମାଧାନ ଅନୁଯାୟୀ କର୍ମଚାରୀମାନଙ୍କର କାର୍ଯ୍ୟଦକ୍ଷତା ୧୪ ପ୍ରତିଶତ ବୃଦ୍ଧି ପାଇବା ସହ ଗ୍ରାହକ ସନ୍ତୁଷ୍ଟିକୁ ପ୍ରୋତ୍ସାହିତ କରିବାରେ ସକ୍ଷମ ହେଇପାରିଛି। ସେହିଭଳି ପଚାଶଟି କମ୍ପାନୀର କର୍ମଚାରୀଙ୍କୁ ନେଇ ଆମେରିକାରେ କରାଯାଇଥିବା ଆଉ ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଏଆଇ ୭୦ ପ୍ରତିଶତ କର୍ମଚାରୀଙ୍କୁ ଦ୍ରୁତ କାର୍ଯ୍ୟଦକ୍ଷ କରିପାରିଛି। ୩୨ ପ୍ରତିଶତ କର୍ମଚାରୀଙ୍କ ମତାମତ ଅନୁଯାୟୀ ଏହା ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଅଧିକ ଲାଭପ୍ରଦ ହେବ। ବିଶ୍ୱସ୍ତରୀୟ ଗବେଷଣା ମଧ୍ୟ ଏଆଇର ଭବିଷ୍ୟତ ନେଇ ଖୁବ୍‌ ଆଶାବାଦୀ। ଇଂଲଣ୍ଡର ପ୍ରାଇସୱାଟରହାଉସକୁପର୍ସ ଇଣ୍ଟରନାଶନାଲ ଲିମିଟେଡ୍‌ ତରଫରୁ କରାଯାଇଥିବା ଗବେଷଣା ମୁତାବକ ଏଆଇ ପ୍ରଯୁକ୍ତିବିଜ୍ଞାନର ଦ୍ରୁତ ଅଗ୍ରଗତି ଫଳରେ ୨୦୩୦ ସୁଦ୍ଧା ସମଗ୍ର ବିଶ୍ୱର ଜିଡିପି ୧୪ ପ୍ରତିଶତ ବୃଦ୍ଧି ପାଇ ୧୫.୭ ଟ୍ରିଲିଅନ ଡଲାରରେ ପହଞ୍ଚିବ। ଦ୍ରବ୍ୟର ବିବିଧତା ପ୍ରୋତ୍ସାହିତ ହେବାରୁ, ମୋଟ ଅର୍ଥନୈତିକ ଲାଭର ୪୫ ପ୍ରତିଶତ ଏଆଇ ଦ୍ୱାରା ହିଁ ସମ୍ଭବ ହେବ। କେବଳ ଏତିକି ନୁହେଁ, ବିଶେଷ ଆଲଗୋରିଦିମ୍‌ର ପ୍ରୟୋଗରେ ଏହା ଅପରାଧ ଓ ଦୁର୍ନୀତି ରୋକିବାରେ ମଧ୍ୟ ସହାୟକ ହେବ।
ଅନ୍ୟପକ୍ଷରେ, ମାନବୀୟ ବୁଦ୍ଧିମତ୍ତାର ନକଲ କରିବା ପାଇଁ ସ୍ଥାପିତ ହୋଇଥିବା ଏହି ଏଆଇକୁ ନେଇ ଅନେକ ବାଦବିବାଦ ମଧ୍ୟ ସୃଷ୍ଟି ହୋଇଛି। ଅନେକ ବୈଜ୍ଞାନିକ, ଦାର୍ଶନିକ ଓ ରାଜନୀତିଜ୍ଞଙ୍କ ମତରେ, ଦିନେ ଏମିତି ଏକ ସମୟ ଆସିବ ଯେତେବେଳେ ଏଆଇ ଏଭଳି ଶକ୍ତିଶାଳୀ ହୋଇଯିବ ଯେ ମଣିଷ ସମାଜ ତା’ ଉପରୁ ନିୟନ୍ତ୍ରଣ ହରେଇବସିବ। ରୋବର୍ଟ ଏବଂ ଏଆଇର ଅତିରିକ୍ତ ଓ ଅନାବଶ୍ୟକ ବ୍ୟବହାରରୁ ଉତ୍ପନ୍ନ କ୍ଷତିର ଆଶଙ୍କାରେ ଅର୍ଥନୀତିଜ୍ଞମାନେ ବାରମ୍ବାର ସତର୍କ କରେଇବାକୁ ବାଧ୍ୟ ହୋଇଛନ୍ତି ଯେ ଯଦି ସମ୍ପୂର୍ଣ୍ଣ ରୋଜଗାର ପାଇଁ ଉପଯୁକ୍ତ ସାମାଜିକ ନୀତିନିୟମ ପ୍ରଣୟନ ନ ହୁଏ ତେବେ ଏଆଇ ବେରୋଜଗାରୀର ଏକ ପ୍ରମୁଖ କାରଣ ହେବ। ଏହାର ବହୁଳ ବ୍ୟବହାରରେ ଛାତ୍ରୀଛାତ୍ରମାନେ ନିଜର ପ୍ରାକୃତିକ ସୃଜନଶୀଳତାକୁ ହରେଇବସିବା ସ୍ବାଭାବିକ। ଅଧିକନ୍ତୁ, ଜେନେରେଟିଭ ଏଆଇ ତା’ର ପୁନଃସର୍ଜନଶୀଳ କ୍ଷମତାକୁ ଅତି ଦକ୍ଷତାର ସହ ସମ୍ପାଦନ କରିପାରୁଥିବାରୁ ଏହା ଶ୍ରମ ବଜାର, ଚାକିରି ଓ ମଜୁରିକୁ ନକାରାତ୍ମକ ଭାବେ ପ୍ରଭାବିତ କରିବ। ଏଆଇର ସ୍ବୟଂଚାଳିତ ପ୍ରକ୍ରିୟା ଯୋଗୁ କାର୍ଯ୍ୟାଳୟ ଓ ଉଦ୍ୟୋଗଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ତୀବ୍ରତର ହୋଇ ଶ୍ରମିକର ଭାଗୀଦାରି ଯଥେଷ୍ଟ ହ୍ରାସ ପାଇବ; ଯାହା ପରୋକ୍ଷରେ ମଜୁରିରେ ବୈଷମ୍ୟତା ସୃଷ୍ଟି କରିବ। ବିଶ୍ୱ ଅର୍ଥନୈତିକ ଫୋରମର ଏକ ରିପୋର୍ଟ ଅନୁଯାୟୀ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏଆଇ ପ୍ରଭାବରେ ପ୍ରଶାସନିକ ଏବଂ କାର୍ଯ୍ୟନିର୍ବାହୀ ସ୍ତରୀୟ ହିସାବରକ୍ଷକ, କୋଷାଧ୍ୟକ୍ଷ, କିରାଣି, ଡାଟା ଏଣ୍ଟ୍ରି ଭଳି ଅନେକ ପାରମ୍ପରିକ ଚାକିରିର ଏକ ଚତୁର୍ଥାଂଶ ହ୍ରାସ ଘଟିବ। ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଏହା ଅଧିକ ଅନୁଭୂତ ହେବ।
ଯେହେତୁ ଏକପକ୍ଷରେ ବିଭିନ୍ନ କ୍ଷେତ୍ରରେ ଏଆଇର ଉପଯୋଗକୁ ଆଉ ଅଟକେଇବା ସମ୍ଭବ ନୁହେଁ ଏବଂ ଅନ୍ୟପକ୍ଷରେ ଏହା ସମାଜ, ଶ୍ରମ ବଜାର, ଅର୍ଥନୀତି, ରାଜନୀତି, ଡାଟା ନିରାପତ୍ତା, ଅପରାଧ ଓ ଜନମଙ୍ଗଳ ପାଇଁ ଭବିଷ୍ୟତରେ ଏକ ବଡ଼ ଆହ୍ବାନ ସୃଷ୍ଟି କରିବାକୁ ତତ୍ପର, ବିଶ୍ୱର ମଙ୍ଗଳ ପାଇଁ ତୁରନ୍ତ ଆବଶ୍ୟକୀୟ ନୂତନ ବିଧି ପ୍ରଣୟନ ବର୍ତ୍ତମାନ ସମୟର ଏକ ବିଶ୍ୱସ୍ତରୀୟ ଆବଶ୍ୟକତା; ଯାହାକୁ ତ୍ୱରାନ୍ବିତ କରିବା ପ୍ରତ୍ୟେକ ରାଷ୍ଟ୍ରର ନୈତିକ ଦାୟିତ୍ୱ ହେବା ଦରକାର। ନ ହେଲେ, ଏହି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବିଶ୍ୱବାସୀଙ୍କ ପାଇଁ ଆଶୀର୍ବାଦ ବଦଳରେ ଅଭିଶାପରେ ପରିଣତ ହେବ।

  • ବୃହସ୍ପତି ସାମଲ
    ମୋ: ୯୪୩୭୦୨୨୬୬୯

Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri