ଏକ ଅଧୁରା ବିଲ୍‌

କେନ୍ଦ୍ର ସରକାରଙ୍କ ଦ୍ୱାରା ତରବରିଆ ଭାବେ ଡକାଯାଇଥିବା ସଂସଦର ବିଶେଷ ଅଧିବେଶନରେ ବହୁଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲ୍‌(‘ନାରୀଶକ୍ତି ବନ୍ଦନା ଅଧିନିୟମ – ୨୦୨୩’ ନାମରେ ନାମିତ) କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ସିଂ ମେଘୱାଲ ସଂସଦରେ ଉପସ୍ଥାପନ କରିବା ପରେ ତାହା ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୃହୀତ ହୋଇଯାଇଛି। ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇବା ପରେ ଏହା ଆଇନରେ ପରିଣତ ହେବ। ତେବେ ମହିଳା ସଂରକ୍ଷଣ ବିଲ୍‌କୁ ଆଣିବା ପରି ଯେଉଁ ପବିତ୍ର କାର୍ଯ୍ୟଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି, ତାହା କୌଣସି ନୂଆ ନୁହେଁ। ତାଙ୍କ ପୂର୍ବରୁ ଅନ୍ୟ ପ୍ରଧାନମନ୍ତ୍ରୀମାନେ ମଧ୍ୟ ଏ ଦିଗରେ ଅନେକ ପ୍ରୟାସ କରିଛନ୍ତି। ୧୯୯୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେବଗୌଡ଼ାଙ୍କ ମିଳିତ ସାମ୍ମୁଖ୍ୟ ସରକାର ହିଁ ସର୍ବପ୍ରଥମେ ମହିଳା ସଂରକ୍ଷଣ ବିଲ୍‌କୁ ଉପସ୍ଥାପନ କରିଥିଲେ। ତେବେ ବିଲ୍‌ରେ ଓବିସି ମହିଳାଙ୍କ ପାଇଁ କୋଟାର ପ୍ରସଙ୍ଗକୁ ନେଇ ସରକାରଙ୍କ ମେଣ୍ଟଭୁକ୍ତ ଦଳମାନଙ୍କ ମଧ୍ୟରେ ସହମତି ହୋଇ ନ ପାରିବାରୁ ଏହା ପାସ୍‌ ହୋଇପାରି ନ ଥିଲା। ପରେ ୧୯୯୮ ଓ ୨୦୦୪ରେ ବାଜପେୟୀଙ୍କ ସରକାର ସମୟରେ ଏହି ବିଲ୍‌ ଆଗତ ହୋଇଥିଲେ ମଧ୍ୟ ଉତ୍ତର ଭାରତର ଓବିସି ନେତାମାନଙ୍କ ଦୃଢ଼ ବିରୋଧ ଯୋଗୁ ଗୃହୀତ ହୋଇପାରି ନ ଥିଲା। ପରେ ମନମୋହନ ସିଂଙ୍କ ନେତୃତ୍ୱାଧୀନ ଉପା ସରକାର ସମୟରେ ୨୦୧୦ରେ ମହିଳା ସଂରକ୍ଷଣ ବିଲ୍‌ ରାଜ୍ୟ ସଭାରେ ପାସ୍‌ ହୋଇଥିଲେ ମଧ୍ୟ ଓବିସି କୋଟା ପ୍ରସଙ୍ଗକୁ ନେଇ ଅନୁରୂପ ବିରୋଧ ଲାଗି ତାହା ଲୋକ ସଭାରେ ଗୃହୀତ ହୋଇପାରି ନ ଥିଲା। ଅତଏବ ମହିଳା ସଂରକ୍ଷଣ ବିଲ୍‌ ପାଇଁ କେବଳ ବର୍ତ୍ତମାନର ସରକାର ହିଁ ଶ୍ରେୟ ନେବା ଠିକ୍‌ ନୁହେଁ। ବରଂ ଆଜି ଏହା ଆଇନର ରୂପ ନେବା ଦୀର୍ଘ ୨୭ ବର୍ଷର ଉଦ୍ୟମର ପରିଣାମ ବୋଲି କୁହାଯାଇପାରେ।
ଯଦିଓ କେନ୍ଦ୍ର ସରକାର ବର୍ତ୍ତମାନର ବିଲ୍‌ଟିକୁ ଐତିହାସିକ ବୋଲି କହିଛନ୍ତି, କିନ୍ତୁ ତାହା ଉପା ସରକାରଙ୍କ ଦ୍ୱାରା ଅଣାଯାଇଥିବା ‘ମହିଳା ସଂରକ୍ଷଣ ବିଲ୍‌-୨୦୦୮ର ଏକ ସଂଶୋଧିତ ରୂପ ମାତ୍ର। ତୁଳନାତ୍ମକ ଭାବେ ଦେଖିଲେ ବର୍ତ୍ତମାନର ବିଲ୍‌ ତୁଳନାରେ ପୂର୍ବର ବିଲ୍‌ଟି ହିଁ ଅଧିକ ପ୍ରଗତିଶୀଳ ଥିଲା। ପୂର୍ବ ବିଲ୍‌ରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କୌଣସି ସର୍ତ୍ତ ରଖାଯାଇ ନ ଥିବା ବେଳେ ବର୍ତ୍ତମାନର ବିଲ୍‌ରେ ତାକୁ ଅନେକଗୁଡ଼ିଏ ଅନାବଶ୍ୟକ ସର୍ତ୍ତ ମଧ୍ୟରେ ବାନ୍ଧି ଦିଆଯାଇଛି। ମହିଳା ସଂରକ୍ଷଣର କାର୍ଯ୍ୟକାରିତାକୁ ଜନଗଣନା ଓ ନିର୍ବାଚନମଣ୍ଡଳୀ ପରିସୀମା ସଂଶୋଧନ ପ୍ରକ୍ରିୟା ସହ ଯୋଡ଼ି ଦିଆଯାଇଛି। ବିଲ୍‌ରେ ଲେଖାଯାଇଛି ଯେ ଏହା ଆଇନରେ ପରିଣତ ହେବା ପରେ ଯେଉଁ ପ୍ରଥମ ଜନଗଣନା ହେବ ତା’ର ତଥ୍ୟ ପ୍ରକାଶ ପାଇବା ପରେ ଏବଂ ତା’ର ଆଧାରରେ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ବା ଡିଲିମିଟେସନ୍‌ ପରେ ଯାଇ ହିଁ ଏହା କାର୍ଯ୍ୟକାରୀ ହେବ। ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ସହ ଜନଗଣନା କିମ୍ବା ଡିଲିମିଟେସନ୍‌ ପ୍ରକ୍ରିୟାର କ’ଣ ସମ୍ପର୍କ ବୁଝିହେଉ ନାହିଁ। କାରଣ ୨୦୨୧ରେ ସମ୍ପୂର୍ଣ୍ଣ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମ ଏଯାଏ ଆରମ୍ଭ ହୋଇନାହିଁ। କେନ୍ଦ୍ର ସରକାର ବିଭିନ୍ନ ଆଳରେ ଏହି ଜନଗଣନାର କାର୍ଯ୍ୟକ୍ରମକୁ ଏଯାଏ ଛଅଥର ସ୍ଥଗିତ ରଖିଲେଣି। ଯେହେତୁ ଜନଗଣନା ସହିତ ସରକାର ବିବାଦୀୟ ଜାତୀୟ ଜନସଂଖ୍ୟା ପଞ୍ଜୀକରଣ (ଏନ୍‌ପିଆର୍‌) କରି ଦେଶର ଅନେକ ଲୋକଙ୍କୁ ନାଗରିକତାରୁ ବଞ୍ଚିତ କରିବାକୁ ଚାହୁଁଛନ୍ତି, ତେଣୁ ତାକୁ ସେତେବେଳେ ବିରୋଧ ହୋଇଥିଲା। ଏହା ସହିତ ଜାତିଗତ ଜନଗଣନା କରିବାର ଯେଉଁ ଚାପ ରହିଛି, ତାକୁ ଏଡ଼େଇବା ପାଇଁ ବି ଜନଗଣନା କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଚାଲିଛନ୍ତି ବୋଲି କୁହାଯାଉଛି। ଅତଏବ ଏହି ପ୍ରକ୍ରିୟାଟି କେବେ ଆରମ୍ଭ ହେବ ଓ କେବେ ସମାପ୍ତି ହେବ ତା’ର କୌଣସି ନିଶ୍ଚିତତା ନାହିଁ।
ସରକାରଙ୍କ ଯଦି ଆନ୍ତରିକତା ଥାଆନ୍ତା, ତା’ହେଲେ ମହିଳାଙ୍କ ପାଇଁ ସଂରକ୍ଷଣକୁ ବିନା କୌଣସି ସର୍ତ୍ତରେ ତୁରନ୍ତ ଲାଗୁ କରି ପାରିଥା’ନ୍ତେ। ଆଗାମୀ କିଛି ମାସ ମଧ୍ୟରେ ହେବାକୁ ଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକ ସଭା ନିର୍ବାଚନରେ ଏହାକୁ ଆରମ୍ଭ କରାଯାଇ ପାରନ୍ତା। କିନ୍ତୁ ବିଲ୍‌ରେ ଥିବା ସର୍ତ୍ତ ଅନୁଯାୟୀ କମ୍‌ ସେ କମ୍‌ ଆସନ୍ତା ୨୦୨୯ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏଠାରେ ପ୍ରଶ୍ନ ଉଠେ, ଯଦି ମହିଳାଙ୍କ ପାଇଁ ସଂରକ୍ଷଣକୁ ଏଭଳି ଆହୁରି ସାତ ଆଠ ବର୍ଷ ପରେ ଲାଗୁ କରିବାର ଥିଲା, ତା’ହେଲେ ଗତ ସାଢ଼େ ନଅ ବର୍ଷ ଧରି ସରକାର ଏନେଇ ନୀରବତା ଅବଲମ୍ବନ କରିଥିଲେ କାହିଁକି? ବର୍ତ୍ତମାନ ତରବରିଆ ଭାବେ ସଂସଦର ବିଶେଷ ଅଧିବେଶନ ଡାକି ଏହି ବିଲ୍‌ଟିକୁ ଆଣିଲେ କାହିଁକି ? ରାଜନୈତିକ ଫାଇଦା ପାଇଁ ତରବରିଆ ଭାବେ ଅଣାଯାଇଥିବା ବର୍ତ୍ତମାନର ମହିଳା ସଂରକ୍ଷଣ ବିଲ୍‌ଟିରେ ଅନେକ ଦୁର୍ବଳତା ରହିଛି। ଏଥିରେ ମାତ୍ର ୧୫ ବର୍ଷ ପାଇଁ ହିଁ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି। କ’ଣ ୧୫ ବର୍ଷ ପରେ ଦେଶରେ ନାରୀ ପୁରୁଷ ସମାନତା ଆସିଯିବ ନା ସଂସଦ ଓ ବିଧାନସଭାରେ ମହିଳା ସଦସ୍ୟାଙ୍କ ହାର ସ୍ବତଃ ୩୩% ହୋଇଯିବ ? ପୁଣି ୨୦୧୦ର ବିଲ୍‌ରେ ଚକ୍ରାକାରରେ ଦେଶର ସବୁ ନିର୍ବାଚନମଣ୍ଡଳୀ ମହିଳାଙ୍କ ପାଇଁ ସଂରକ୍ଷିତ ହେବ ବୋଲି କୁହାଯାଇଥିବା ବେଳେ ବର୍ତ୍ତମାନର ବିଲ୍‌ରେ ସେ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ। ପୁରୁଣା ବିଲ୍‌ରେ ପ୍ରତି ରାଜ୍ୟର ମୋଟ ଲୋକ ସଭା ନିର୍ବାଚନମଣ୍ଡଳୀର ଏକ ତୃତୀୟାଂଶ ସଂରକ୍ଷିତ ହେବ ବୋଲି କୁହାଯାଇଥିବା ବେଳେ ଚଳିତ ବିଲ୍‌ରେ କେବଳ ଜାତୀୟ ସ୍ତରରେ ଏକ ତୃତୀୟାଂଶ ଆସନର ସଂରକ୍ଷଣର କଥା କୁହାଯାଇଛି। ସେପରି ହେଲେ ସଂରକ୍ଷଣ ଏକପାଖିଆ ହେବାର ସମ୍ଭାବନା ରହିଛି। ସବୁ ରାଜ୍ୟର ୩୩% ଆସନ ସଂରକ୍ଷିତ ନ ହୋଇ ହୁଏତ କେଉଁ ରାଜ୍ୟରେ ୩୩%ରୁ ବେଶି ତ କେଉଁ ରାଜ୍ୟରେ ବହୁତ କମ୍‌ ହେବାର ସମ୍ଭାବନା ରହିଛି। ଉଦ୍‌ବେଗଜନକ କଥା ହେଲା, ବିଲ୍‌ରେ ଦେଶର ରାଜ୍ୟ ସଭା ଓ ବିଧାନ ପରିଷଦଗୁଡ଼ିକୁ ମହିଳା ସଂରକ୍ଷଣ ବ୍ୟବସ୍ଥାରୁ ବାଦ୍‌ ଦିଆଯାଇଛି। ଏହାର ଅର୍ଥ ହେଲା, ମହିଳାଙ୍କୁ ସଂରକ୍ଷଣ ଦେବାରେ ସରକାର ଏକ ଅଧା ଅଧୁରା ଉଦ୍ୟମ କରିଛନ୍ତି।
ବର୍ତ୍ତମାନ ଲୋକ ସଭାରେ ୭୮ ଜଣ (୧୪%) ଓ ରାଜ୍ୟ ସଭାରେ ୩୨ ଜଣ (୧୧%) ମହିଳା ସାଂସଦ ରହିଥିବା ବେଳେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମାତ୍ର ୭% ମହିଳା ମନ୍ତ୍ରୀ ରହିଛନ୍ତି। ଦେଶର ବିଧାନସଭାରେ ମହିଳା ବିଧାୟକଙ୍କ ସଂଖ୍ୟା ୧୦%ରୁ ବି କମ୍‌ ରହିଛି। ଅନ୍ୟପଟେ ଫ୍ରାନ୍ସ, ସ୍ପେନ୍‌, ମେକ୍ସିକୋ, ନିକାରାଗୁଆ, ନ୍ୟୁଜିଲାଣ୍ଡ, ୟୁଏଇ, କ୍ୟୁବା, ର୍ବାଣ୍ଡା ଏପରି କି ଆମର ପଡ଼ୋଶୀ ନେପାଳ ପରି ବିଶ୍ୱର ଅନେକଗୁଡ଼ିଏ ଦେଶରେ ୫୦%ରୁ ଅଧିକ ମହିଳା ସାଂସଦ ଅଛନ୍ତି। ଏଭଳି ପରିସ୍ଥିତିରେ ମହିଳାଙ୍କ ପାଇଁ ୫୦% ବଦଳରେ ୩୩% ସ୍ଥାନ ସଂରକ୍ଷଣ କରିବାର ସରକାରୀ ଯୁକ୍ତିଟି ବୁଝିହେଉ ନାହିଁ।

  • ଭାଲଚନ୍ଦ୍ର ଷଡ଼ଙ୍ଗୀ
    ମୋ:୯୪୩୭୧୬୬୩୯୧

Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri