ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ ପିଟି ହୋଇ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସମଲେଇଚୁଆଁ ପଞ୍ଚାୟତ ସାଧପାଲି ଗ୍ରାମର କ୍ଷୀରୋଦ କୁମ୍ଭାର(୩୬ )। ସେ ଶ୍ରମିକ ଭାବେ କାମ କରୁଥିଲେ।
ମିଳିଥିବା ସୂଚନା ମୁବାବକ, କ୍ଷୀରୋଦ ପ୍ରତି ଦିନ ସକାଳ ୭ରୁ ଖାଇବା ଟିଫିନ ଧରି ନିକଟରେ ଥିବା ରେଲଲାଇନକୁ ଜଣେ ଠିକାକର୍ମଚାରୀଙ୍କ ଅଧୀନ ଶ୍ରମିକ ଭାବେ କାମ କରୁଥିଲେ। ଶୁକ୍ରବାର ରାତିରେ କାମ ସାରି ସେ ଘରକୁ ଫେରୁଥିଲେ। ହେଲେ ୨୬ ନମ୍ବର ଜାତୀୟ ରାଜପଥ ଏଫସିଆଇ ଛକ ନିକଟରେ ପୂର୍ବରୁ ଛିଡା ହୋଇଥିବା ଚାଉଳ ବୋଝେଇ ଟ୍ରକ(ନଂ.ଓଡ଼ି-୦୫ପି-୧୫୦୧) ପଛପଟେ ବାଇକ୍ ପିଟି ହୋଇଯାଇଥିଲା। ଫଳରେ ସେ ରାସ୍ତାର ଛିଟିକି ପଡି ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା।
ସ୍ଥାନୀୟ ଲୋକେ ତାଙ୍କୁ ଚିହ୍ନଟ କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକଙ୍କ ସହ ଟାୟାର ଜାଳି ରାସ୍ତା ରୋକୋ କରିଥିଲେ। ଖବର ପାଇ ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଲିନ ପଟେଲ ପୋଲିସ ଟିମ୍ ଏବଂ ଦମକଳ ବାହିନୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ବୟାୟ ରଖିଥିଲେ। ହେଲେ ଆନ୍ଦୋଳନ ଯୋଗୁ ଦୀର୍ଘ ୫ଘଣ୍ଟା ଧରି ରାଜପଥରେ ଯାନବାହନ ଯାତାୟତ ବନ୍ଦ ରହିଥିଲା।କ୍ଷତିପୂରଣ ବାବଦକୁ ଟ୍ରକ ମାଲିକ ୩ ଲକ୍ଷ ଟଙ୍କା ଦେବା ପାଇଁ ବୁଝାମଣା ହେବା ପରେ ଆନ୍ଦୋଳନକାରୀ ରାସ୍ତାରୁ ହଟି ଥିଲେ। ଏନେଇ ପୋଲିସ ଏକ ମାମଲା (ନଂ-୨୦୧/୨୬) ରୁଜ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

