ନୂଆ ରୂପରେ କରୋନା ଭୂତାଣୁ

ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନା ଭୂତାଣୁର ଏକ ନୂଆ ପରିବର୍ତ୍ତିତ ରୂପ ନେଇ ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି ହୋଇଛି। ଏହି ନୂତନ ପରିବର୍ତ୍ତିତ ରୂପ ଅତୀତର ଡେଲଟା ରୂପଠାରୁ ଅଧିକ ଭୟାନକ ଓ ସଂକ୍ରମଣଶୀଳ ବୋଲି ଜଣାପଡ଼ିଛି । ଏହି ରୂପକୁ ଗ୍ରୀକ୍‌ ବର୍ଣ୍ଣମାଳାର ଅକ୍ଷର ନାମ ଅନୁସାରେ ଓମିକ୍ରନ୍‌ (Omicron) ନାମକରଣ କରାଯାଇଛି ଏବଂ ଏହାର ବୈଜ୍ଞାନିକ ନାମ ‘B.୧.୧.୫୨୯’। ଏହି ନୂତନ ରୂପ ଯୋଗୁ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଥିବା ବେଳେ ସେହି ଦେଶରେ ସମୁଦାୟ ୯୦% ସଂକ୍ରମଣ ଏହି ନୂଆ ରୂପ ଦ୍ୱାରା ଘଟୁ ଥିବାର ଜଣାପଡ଼ିଛି ।
ଭୂତାଣୁର ଏହି ରୂପରେଖକୁ ସବୁଠାରୁ ଭୟାନକ ପ୍ରଜାତି ବୋଲି ବିବେଚନା କରାଯାଉଛି। ଏହା ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ ସଂକ୍ରମଣଶୀଳ ବୋଲି ବିଶ୍ୱାସ କରାଯାଉଥିବା ଡେଲଟା ରୂପଠାରୁ ୭ ଗୁଣ ଶୀଘ୍ର ହାରରେ ବ୍ୟାପୁଥିବାର ଜଣା ପଡ଼ିଛି। ଏ ନୂଆ ରୂପର ପ୍ରସାରକୁ ଜଲ୍‌ଦି ନିୟନ୍ତ୍ରଣ ନ କଲେ, ତାହା ଆଗାମୀ ଦିନରେ ବିଶ୍ୱରେ ତୃତୀୟ କିମ୍ବା ଚତୁର୍ଥ ଲହରର ସୂତ୍ରପାତ କରିପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଲେଣି। ଇତି ମଧ୍ୟରେ ଅଧିକାଂଶ ଦେଶ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ବିମାନ ଉଡ଼ାଣ ଉପରେ କଟକଣା ଜାରି କରିଛନ୍ତି। ତେବେ ପ୍ରଶ୍ନ ଉଠେ : ଏହି ନୂତନ ରୂପ ଏତେ ଭୟାନକ କାହିଁକି ?
ଓମିକ୍ରନ୍‌ ଭୟାନକ କାହିଁକି
ଏହି ରୂପର ଜିନୋମରେ ପୂର୍ବ ସଂରଚନା ତୁଳନାରେ ପ୍ରାୟ ୫୦ ପ୍ରକାରର ଆକସ୍ମିକ ପରିବର୍ତ୍ତନ (mutation) ଘଟିଛି। କେବଳ ଏହାର ସ୍ପାଇକ୍‌ ପ୍ରୋଟିନରେ ୩୦ଟି ପରିବର୍ତ୍ତନ ଘଟିଛି। ଏହି ସ୍ପାଇକ୍‌ ପ୍ରୋଟିନ ଅଙ୍ଗ ଜରିଆରେ ଭୂତାଣୁ ବ୍ୟକ୍ତି ଶରୀରର ଫୁସଫୁସ୍‌ କୋଷିକା ସହିତ ସଂଯୁକ୍ତ ହୋଇ ଶରୀର ମଧ୍ୟରେ ସହଜରେ ପ୍ରବେଶ କରିଥାଏ ଏବଂ ଅଧିକାଂଶ ପ୍ରଚଳିତ ଟିକା ମୂଳ ଚାଇନା ଭୂତାଣୁର ଏହି ସ୍ପାଇକ୍‌ ପ୍ରୋଟିନକୁ ହିଁ ଟାର୍ଗେଟ୍‌ କରିଥାନ୍ତି। ଭୂତାଣୁର ଏହି ନୂତନ ରୂପରେ ସ୍ପାଇକ୍‌ ପ୍ରୋଟିନର ଅନେକ ପରିବର୍ତ୍ତନ ଘଟି ସାରିଥିବାରୁ ଏବେକାର ଅଧିକାଂଶ ଟିକାଦ୍ୱାରା ସୃଷ୍ଟି ହେଉଥିବା ଶରୀରର ପ୍ରତିରୋଧକ ବ୍ୟବସ୍ଥା ଭୂତାଣୁକୁ ପ୍ରତିହତ କରିବାରେ ସକ୍ଷମ ହେବନାହିଁ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଆହୁରି ମଧ୍ୟ, ଏହି ନୂତନ ରୂପର ଗ୍ରାହକ ବନ୍ଧନ ସ୍ଥଳୀ (Receptor Binding Domain) ଅଙ୍ଗରେ ମଧ୍ୟ ୧୦ ପ୍ରକାରର ଆକସ୍ମିକ ପରିବର୍ତ୍ତନ ଘଟି ସାରିଛି । ଭୂତାଣୁ ନିଜର ଏହି ଅଙ୍ଗ ଜରିଆରେ ହିଁ ସର୍ବପ୍ରଥମେ ଆମ ଶରୀରର କୋଷିକା ସହିତ ସମ୍ପର୍କରେ ଆସିଥାଏ । ଅନ୍ୟପକ୍ଷରେ, ଡେଲଟା ରୂପର ଗ୍ରାହକ ବନ୍ଧନ ସ୍ଥଳୀରେ ମାତ୍ର ୨ଟି ପରିବର୍ତ୍ତନ ଘଟିଥିଲା ।
ଚିନ୍ତାଜନକ ପରିବର୍ତ୍ତିତ ରୂପ
ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଭୂତାଣୁର ଏଇ ନୂତନ ରୂପକୁ ଏକ ଚିନ୍ତାଜନକ ପରିବର୍ତ୍ତିତ ରୂପ (Variant of Concern) ବୋଲି ଘୋଷଣା କରିଛି। ଭୂତାଣୁର ଏଭଳି ଚିନ୍ତାଜନକ ରୂପସବୁ ବେଶି ମାରାତ୍ମକ ହୋଇଥାନ୍ତି ଏବଂ ଏମାନଙ୍କ ଦ୍ୱାରା ଭବିଷ୍ୟତରେ ବିଶ୍ୱରେ ବଡ଼ ଧରଣର ସଂକ୍ରମଣ ଘଟିବାର ଆଶଙ୍କା ରହିଥାଏ। ଏ ପର୍ଯ୍ୟନ୍ତ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସମୁଦାୟ ୪ଟି ରୂପକୁ ଚିନ୍ତାଜନକ ରୂପ ବୋଲି ଘୋଷଣା କରିଛି । ସେଗୁଡ଼ିକ ହେଲା : ଆଲଫା, ବିଟା, ଗାମା ଓ ଡେଲ୍ଟା। ଏହି ରୂପସବୁ ଅତୀତରେ ଅଲଗା ଅଲଗା ଦେଶରେ ଆବିର୍ଭୂତ ହୋଇ ଆତଙ୍କ ଖେଳାଇ ଦେଇଥିଲେ। ଆଲଫା ପରିବର୍ତ୍ତିତ ରୂପ ( B.୧.୧.୭) ବ୍ରିଟେନରେ ଗତ ୨୦୨୦ ସେପ୍ଟେମ୍ବର ମାସରେ, ବିଟା ରୂପ ( B.୧.୩୫୧) ଦକ୍ଷିଣ ଆଫ୍ରିକାରେ ୨୦୨୦ ମଇ ମାସରେ, ଗାମା ରୂପ ( P୧) ବ୍ରାଜିଲରେ ୨୦୨୦ ନଭେମ୍ବର ମାସରେ ଏବଂ ଡେଲଟା ରୂପ ( B.୧.୬୧୭.୨) ଭାରତରେ ୨୦୨୦ ଅକ୍ଟୋବର ମାସରେ ଆବିର୍ଭୂତ ହୋଇଥିଲା। ସୂଚନାଯୋଗ୍ୟ ଯେ, ଏହି ଡେଲଟା ରୂପ କାରଣରୁ ହିଁ ଭାରତରେ ମହାମାରୀର ଦ୍ୱିତୀୟ ଲହରର ସୂତ୍ରପାତ ଘଟିଥିଲା ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଆଉ କେତୋଟି ଅପେକ୍ଷାକୃତ ସ୍ବଳ୍ପ ସଂକ୍ରମଣଶୀଳ ରୂପକୁ ଅଧିକ ଅନୁଧ୍ୟାନ ନିମନ୍ତେ କଡ଼ା ନଜରରେ ରଖିଛି। ଏଭଳି ରୂପସବୁକୁ ଆଗ୍ରହଜନକ ପରିବର୍ତ୍ତିତ ରୂପ ( Variant of Interest) ବୋଲି କୁହାଯାଇଛି। ଏପର୍ଯ୍ୟନ୍ତ ସମୁଦାୟ ଦୁଇଟି ରୂପ ଯଥା ପେରୁରେ ୨୦୨୦ ମସିହା ଡିସେମ୍ବର ମାସରେ ମିଳିଥିବା ଲାମ୍ବଡା (C.୩୭) ଏବଂ କଲମ୍ବିଆରେ ୨୦୨୧ ଜାନୁୟାରୀ ମାସରେ ମିଳିଥିବା ମିଉ ( B.୧.୬୨୧)କୁ ଆଗ୍ରହଜନକ ରୂପ ଶ୍ରେଣୀଭୁକ୍ତ କରାଯାଇଛି I
ଆବିଷ୍କାର ଓ ପ୍ରସାର
ପ୍ରଥମେ ଏହି ନୂଆ ଓମିକ୍ରନ୍‌ ରୂପର ସନ୍ଧାନ ଆଫ୍ରିକାର ବୋତସୁଆନା ଦେଶରେ ଗତ ନଭେମ୍ବର ୧୧ ତାରିଖରେ ମିଳିଥିଲା। ପରେ ବୈଜ୍ଞାନିକମାନେ ଗବେଷଣାଗାରରେ ଭୂତାଣୁର ଜିନୀୟ ଅନୁକ୍ରମ ( Genomic Sequence) ଅନୁଧ୍ୟାନ କରିବାରୁ ଏହି ନୂଆ ରୂପର ପରିଚୟ ଜଣାପଡିଥିଲା। ଏହି ରୂପ ଅତି ସ୍ବଳ୍ପ ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକାର ସୀମା ଟପି ହଂକଂ, ଇସ୍ରାଏଲ ଏବଂ ବେଲଜିୟମ, ଭାରତ ଆଦି ପ୍ରାୟ ୩୮ଟି ଦେଶ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ସାରିଲାଣି। ଡେଲଟା ରୂପ ୧୦୦ ଦିନ ମଧ୍ୟରେ ବିଶ୍ୱରେ ଯେତିକି ସଂକ୍ରମଣ କରିଥିଲା, ଓମିକ୍ରନ୍‌ ମାତ୍ର ୧୫ ଦିନ ମଧରେ ସେତିକି ଶିକାର କରିସାରିଛି। ଏଇଥିରୁ ଏହି ନୂତନ ରୂପର ତୀବ୍ର ସଂକ୍ରମଣଶୀଳତା ସମ୍ପର୍କରେ କଳ୍ପନା କରାଯାଇପାରେ!
ଜିନୀୟ ସ୍ତରରେ ଆକସ୍ମିକ ପରିବର୍ତ୍ତନର କାରଣ
ଭୂତାଣୁର ଜିନୀୟ ସ୍ତରରେ ହେଉଥିବା ଆକସ୍ମିକ ପରିବର୍ତ୍ତନକୁ ‘ମ୍ୟୁଟେସନ୍‌’ କହନ୍ତି । ଭୂତାଣୁ ମନୁଷ୍ୟ ଶରୀର ମଧ୍ୟରେ ପ୍ରବେଶ କରି ଯେତେ ଥର ବହୁଗୁଣିତ (multiply) ହେଉଥିବ, ମ୍ୟୁଟେସନ୍‌ ପ୍ରକ୍ରିୟା ଜରିଆରେ ନୂଆ ନୂଆ ରୂପ ସୃଷ୍ଟି ହେବାର ସମ୍ଭାବନା ସେତେ ଅଧିକ ରହିଥାଏ I ସୁତରାଂ ଆଗାମୀ ଦିନରେ ଭୂତାଣୁର ନୂଆ ନୂଆ ରୂପର ଉତ୍ପତ୍ତି ଉପରେ ରୋକ ଲଗାଇବାକୁ ହେଲେ ତୁରନ୍ତ ଭୂତାଣୁର ସଂକ୍ରମଣ ଚେନ୍‌ ଭଙ୍ଗ କରିବାକୁ ପଡ଼ିବ ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଲ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri