ପୂର୍ବସୂରୀଙ୍କ ପ୍ରତିଶ୍ରୁତି ରକ୍ଷାରେ ଆମେ କେତେ ସମର୍ଥ?

ଆଜକୁ ଠିକ୍‌ ୭୩ ବର୍ଷ ପୂର୍ବେ ଅର୍ଥାତ୍‌ ୬, ଜୁଲାଇ ୧୯୪୮ ମସିହାରେ ଆମର ସର୍ବ ପୁରାତନ ପ୍ରିୟତମ ଉଚ୍ଚ ଶିକ୍ଷାନୁଷ୍ଠାନ ଭଦ୍ରକ କଲେଜ ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଇଣ୍ଟରମିଡିଏଟ୍‌ ଆଟର୍‌ସ କଲେଜ ଭାବେ ପରିଚାଳିତ ହେଉଥିଲା। ୧୯୫୪-୫୫ ମସିହାରେ ଏଠାରେ ସାଇନ୍ସ ଓ କମର୍ସ ଖୋଲିଥିଲା। ସେହିପରି ଏଠାରେ କଳାରେ ଡିଗ୍ରୀ ପାଠ୍ୟକ୍ରମ ୧୯୫୧ରେ ଆରମ୍ଭ ହୋଇଥିଲା ଓ ୧୯୬୧ରେ ଡିଗ୍ରୀରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲା ଯାଇଥିଲା। ଦୀର୍ଘ ୩୦ ବର୍ଷ ଧରି ବେସରକାରୀ ଭାବେ ପରିଚାଳିତ ହୋଇ ୧୯୭୧ ମସିହାରେ ଏହା ସରକାରୀ ମହାବିଦ୍ୟାଳୟ ରୂପେ ସ୍ବୀକୃତି ଲାଭ କରିଥିଲା। ୧୯୯୯ ମସିହାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବାପରେ ଏହାର ଡିଗ୍ରୀ କୋର୍ସ ସେହି ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ହୋଇଥିଲା। ଏହାପରେ ୨୦୦୨ରେ ଏହି ମହାବିଦ୍ୟାଳୟକୁ ସ୍ବୟଂଶାସିତ ପରିଧି ଭିତରକୁ ଅଣାଯାଇଥିଲା। ଅଧୁନା ଡିଗ୍ରୀରେ ମୋଟ ୨୨ଟି ସମ୍ମାନ ବିଭାଗ ଓ ୮ଟି ବିଷୟରେ ପି.ଜି. ଅଧ୍ୟୟନର ସୁବିଧା ରହିଛି। ସର୍ବମୋଟ ୭, ୮୦୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ କେବଳ ଛାତ୍ରୀମାନଙ୍କ ସଂଖ୍ୟା ହେଉଛି ୪, ୬୦୦।
ଏହି ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ। ସେ ସେତେବେଳେ ଭଦ୍ରକ କଲେଜକୁ ପଲ୍ଲୀଭାରତୀ ବିଶ୍ୱବିଦ୍ୟାଳୟରେ ପରିଣତ କରିବାର ସ୍ବପ୍ନ ଦେଖିଥିଲେ ଓ ସେଥିଲାଗି ମଧ୍ୟ ଆହ୍ବାନ ଦେଇଥିଲେ। ଛକଡ଼ି ମହାନ୍ତି ଓ ସ୍ବର୍ଗତ ନରେନ୍ଦ୍ର ପ୍ରସାଦ ଦାସଙ୍କ ପରି ଅନୁଷ୍ଠାନପ୍ରେମୀ ବ୍ୟକ୍ତିଙ୍କ ଅବଦାନ ମଧ୍ୟ ସେତେବେଳେ କିଛି କମ୍‌ ନ ଥିଲା। ମୋଟ ୨୭ ଏକର ବିଶିଷ୍ଟ ଏହାର କ୍ଷେତ୍ର ଭଦ୍ରକ ଜିଲାର ମୁଖ୍ୟାଳୟ ଓ ୪୨ ନମ୍ବର ଜାତୀୟ ରାଜପଥ ତଥା ସାଳନ୍ଦୀ ଅବବାହିକାରେ ଅବସ୍ଥିତ। ଭାରତୀୟ ରେଳ ପୂର୍ବତଟ ବିଭାଗ ଅଧୀନ ଭଦ୍ରକ ଷ୍ଟେଶନଠାରୁ ଏହା ଅନତି ଦୂରରେ। ଭଦ୍ରକ ହେଉଛି ଓଡ଼ିଶାର ଏକ ଉତ୍ତର-ପୂର୍ବ ଜିଲା; ଯାହା କି ପୂର୍ବରେ ବଙ୍ଗୋପସାଗର, ଦକ୍ଷିଣରେ କେନ୍ଦ୍ରାପଡ଼ା, ଯାଜପୁର ଜିଲା, ପଶ୍ଚିମରେ କେନ୍ଦୁଝର ଓ ଉତ୍ତରରେ ବାଲେଶ୍ୱର ଜିଲା ଅବସ୍ଥିତ। ଏହାର ଶାନ୍ତିପୂର୍ଣ୍ଣ ପରିବେଶ ଓ ବର୍ଷସାରା ମଧ୍ୟମ ଜଳବାୟୁ ହେତୁ ଅନେକେ ଭଦ୍ରକ କଲେଜକୁ ଦ୍ୱିତୀୟ ଶାନ୍ତିନିକେତନର ଆଖ୍ୟା ଦେଇଥାନ୍ତି। ଅତୀତରେ ଏହାର ଶୈକ୍ଷିକ ବାତାବରଣ ଏତେ ଉନ୍ନତ ଥିଲା ଯେ ଜିଲା ବାହାରୁ ଏପରି କି କଟକ, ଭୁବନେଶ୍ୱର, କେନ୍ଦୁଝର ଓ ବାଲେଶ୍ୱର ଇତ୍ୟାଦିରୁ ମେଧାବୀ ଛାତ୍ରମାନେ ଭଦ୍ରକ କଲେଜରେ ପାଠପଢ଼ି ନିଜକୁ ଗର୍ବ ଅନୁଭବ କରୁଥିଲେ। ଏମିତି କି ସେତେବେଳେ କୁହାଯାଉଥିବା ରେଭେନ୍ସା ପରର ମହାବିଦ୍ୟାଳୟ ହେଉଛି ଭଦ୍ରକ କଲେଜ।
ଭଦ୍ରକ କଲେଜର ବଡ଼ ବଡ଼ କୋଠାଘର, ଛାତ୍ର୍ରାବାସ, ଏହାର ସୁଦୀର୍ଘ ଖେଳପଡ଼ିଆ ଓ ଆମ୍ରବିଥିକାର ଛାୟାସ୍ନିଗ୍ଧ ପରିବେଶ ଜିଲା ପ୍ରଶାସନ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ପରିଚାଳନା କରିବାର ଏକ ପ୍ରକୃଷ୍ଟ କ୍ଷେତ୍ର ହୋଇଛି। ବର୍ଷା ଯୋଗୁ ନେହେରୁ ଷ୍ଟାଡିୟମ୍‌ ପଡ଼ିଆରେ ପାଣି ଜମିଯାଇଛି ତ ପ୍ରଶାସନ ଭଦ୍ରକ କଲେଜ ପଡ଼ିଆରେ ବିଭିନ୍ନ ଜାତୀୟ ଦିବସରେ ପତାକା ଉତ୍ତୋଳନ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଜିଲାର ବିଭିନ୍ନ ନିର୍ବାଚନ ପରିଚାଳନାଠାରୁ ଆରମ୍ଭ କରି ପ୍ରଶିକ୍ଷଣ କେନ୍ଦ୍ର ଭାବେ ଭଦ୍ରକ କଲେଜକୁ ମାସ ମାସ ଧରି ବ୍ୟବହାର କରାଯାଉଛି। ଅଧୁନା କରୋନା ମହାମାରୀ କାଳରେ ଭଦ୍ରକ କଲେଜ ହୋଇଛି କୋଭିଡ୍‌ ହସ୍ପିଟାଲ। ଯେତେବେଳେ କୌଣସି ସରକାରୀ ଦାୟିତ୍ୱ ମେଣ୍ଟାଇବା କଥା ଆସୁଛି, ସେତେବେଳେ ମନେପଡ଼ୁଛି ଭଦ୍ରକ କଲେଜ ଓ ଏହାର ଉପଯୋଗୀ ପରିବେଶ। କିନ୍ତୁ ଏହାର ଆଶାନୁରୂପ ଉନ୍ନତି କେମିତି ହେବ ଓ ଏହାର ଶୈକ୍ଷିକ ବାତାବରଣରେ କିପରି ଅଭିବୃଦ୍ଧି ଘଟିବ, ସେଥିପାଇଁ କାହାରି ଚିନ୍ତା ନାହିଁ।
ଆଜି କହିବାର କଥା ହେଉଛି, ଭଦ୍ରକ କଲେଜର ବହୁ ପଛରେ ରାଜ୍ୟରେ ଗଢ଼ିଉଠିଥିବା ମହାବିଦ୍ୟାଳୟଗୁଡ଼ିକ ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଥିଲା ବେଳେ ଭଦ୍ରକ ମହାବିଦ୍ୟାଳୟ ସେଥିରୁ ବଞ୍ଚତ୍ତ ହୋଇଛି। ପୁରାତନ ଛାତ୍ରସଂସଦ ପକ୍ଷରୁ ଏଥିପାଇଁ ହୋଇଥିବା ଅନେକ ସଂଗ୍ରାମ ଓ ଉଦ୍ୟମ ଫସର ଫାଟିଯାଇଛି। ନିକଟ ଅତୀତରେ ଶିକ୍ଷାବିତ୍‌ ଡ. ଶୈଳେନ୍ଦ୍ର ମହାପାତ୍ର, ଡ. ବ୍ରଜମୋହନ ମିଶ୍ର, ପ୍ରଫେସର ଡ. ସ୍ବର୍ଗତ ସନାତନ ମହାନ୍ତି ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ନେଇ ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ସଭାସମିତି ସାଙ୍ଗକୁ ରାଜଧାନୀ ଭୁବନେଶ୍ୱରରେ ରହୁଥିବା ଭଦ୍ରକ ଲୋକମାନଙ୍କୁ ନେଇ ରେଡକ୍ରସ୍‌ ଭବନରେ ଏକ ସଭାର ଆୟୋଜନ ହୋଇଥିଲା; ଯେଉଁଥିରେ ତତ୍କାଳୀନ ଭଦ୍ରକ ବିଧାୟକ ଯୁଗଳକିଶୋର ପଟ୍ଟନାୟକ ଓ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଓ ଏହା ଭୁବନେଶ୍ୱରର ସମସ୍ତ ଗଣମାଧ୍ୟମରେ ସ୍ଥାନ ପାଇଥିଲା। ଏପରି କି ଭଦ୍ରକ କଲେଜ ଛାତ୍ରସଂସଦର ବାର୍ଷିକ ଉତ୍ସବ ଅବସରରେ ଅତିଥି ଭାବେ ଆସି ପ୍ରାକ୍ତନ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଖୁବ୍‌ଶୀଘ୍ର ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବ ବୋଲି ଘୋଷଣା କରିଥିଲେ। ଉକ୍ତ ସଭାରେ ବର୍ତ୍ତମାନର ଜିଲା ଯୋଜନା କମିଟି ଅଧ୍ୟକ୍ଷ ବ୍ୟୋମକେଶ ରାୟ ଉପସ୍ଥିତ ରହି ଏହାକୁ ସମର୍ଥନ କରିଥିଲେ। ଏପରି କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅନ୍ୟଏକ କାର୍ଯ୍ୟକ୍ରମରେ ଆସି ଏହାକୁ ବିଶ୍ୱବିଦ୍ୟାଳୟ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସଙ୍ଗେ ସଙ୍ଗେ କଲେଜ କ୍ୟାମ୍ପସ୍‌ରେ ଅଡିଟୋରିୟମ୍‌ ପ୍ରତିଷ୍ଠା ପାଇଁ ଏକକୋଟି ଟଙ୍କା ବ୍ୟୟବରାଦ କରିଥିଲେ ଓ ଏହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଏସବୁ ସତ୍ତ୍ୱେ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ‘ପଲ୍ଲୀଭାରତୀ’ ବିଶ୍ୱବିଦ୍ୟାଳୟ ହେବା ତ ଦୂରର କଥା, ବର୍ତ୍ତମାନ ମହାବିଦ୍ୟାଳୟକୁ ୟୁନିଟାରୀ ୟୁନିଭର୍ସିଟି କିମ୍ବା କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ମାନ୍ୟତାରୁ ମଧ୍ୟ ବଞ୍ଚତ୍ତ କରାଗଲା। ମହତାବଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ମହତାବଙ୍କ ସ୍ବପ୍ନର ଉଚ୍ଚଶିକ୍ଷା କେନ୍ଦ୍ର ଏହି ଭଦ୍ରକ ମହାବିଦ୍ୟାଳୟଟି ଆଜି ସୁଦ୍ଧା କେବଳ ସ୍ବୟଂଶାସିତ ମହାବିଦ୍ୟାଳୟ ହୋଇ ରହିଗଲା। ଏଥିଲାଗି ମନରେ ପ୍ରଶ୍ନ ଉଠୁଛି, ଆମେ ଆଜି ପୂର୍ବସୂରୀଙ୍କ ପ୍ରତିଶ୍ରୁତି ଓ ସ୍ବପ୍ନକୁ ସାକାର କରିବାରେ କେତେ ସମର୍ଥ ସତେ!

-ଅଜୟ ନାୟକ

ସମ୍ପାଦକ, ପୁରାତନ ଛାତ୍ରସଂସଦ
ଭଦ୍ରକ ମହାବିଦ୍ୟାଳୟ, ଭଦ୍ରକ
ମୋ: ୯୦୪୦୪୦୪୦୭୮


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri