ପୂର୍ବସୂରୀଙ୍କ ପ୍ରତିଶ୍ରୁତି ରକ୍ଷାରେ ଆମେ କେତେ ସମର୍ଥ?

ଆଜକୁ ଠିକ୍‌ ୭୩ ବର୍ଷ ପୂର୍ବେ ଅର୍ଥାତ୍‌ ୬, ଜୁଲାଇ ୧୯୪୮ ମସିହାରେ ଆମର ସର୍ବ ପୁରାତନ ପ୍ରିୟତମ ଉଚ୍ଚ ଶିକ୍ଷାନୁଷ୍ଠାନ ଭଦ୍ରକ କଲେଜ ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଇଣ୍ଟରମିଡିଏଟ୍‌ ଆଟର୍‌ସ କଲେଜ ଭାବେ ପରିଚାଳିତ ହେଉଥିଲା। ୧୯୫୪-୫୫ ମସିହାରେ ଏଠାରେ ସାଇନ୍ସ ଓ କମର୍ସ ଖୋଲିଥିଲା। ସେହିପରି ଏଠାରେ କଳାରେ ଡିଗ୍ରୀ ପାଠ୍ୟକ୍ରମ ୧୯୫୧ରେ ଆରମ୍ଭ ହୋଇଥିଲା ଓ ୧୯୬୧ରେ ଡିଗ୍ରୀରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲା ଯାଇଥିଲା। ଦୀର୍ଘ ୩୦ ବର୍ଷ ଧରି ବେସରକାରୀ ଭାବେ ପରିଚାଳିତ ହୋଇ ୧୯୭୧ ମସିହାରେ ଏହା ସରକାରୀ ମହାବିଦ୍ୟାଳୟ ରୂପେ ସ୍ବୀକୃତି ଲାଭ କରିଥିଲା। ୧୯୯୯ ମସିହାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବାପରେ ଏହାର ଡିଗ୍ରୀ କୋର୍ସ ସେହି ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ହୋଇଥିଲା। ଏହାପରେ ୨୦୦୨ରେ ଏହି ମହାବିଦ୍ୟାଳୟକୁ ସ୍ବୟଂଶାସିତ ପରିଧି ଭିତରକୁ ଅଣାଯାଇଥିଲା। ଅଧୁନା ଡିଗ୍ରୀରେ ମୋଟ ୨୨ଟି ସମ୍ମାନ ବିଭାଗ ଓ ୮ଟି ବିଷୟରେ ପି.ଜି. ଅଧ୍ୟୟନର ସୁବିଧା ରହିଛି। ସର୍ବମୋଟ ୭, ୮୦୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ କେବଳ ଛାତ୍ରୀମାନଙ୍କ ସଂଖ୍ୟା ହେଉଛି ୪, ୬୦୦।
ଏହି ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ। ସେ ସେତେବେଳେ ଭଦ୍ରକ କଲେଜକୁ ପଲ୍ଲୀଭାରତୀ ବିଶ୍ୱବିଦ୍ୟାଳୟରେ ପରିଣତ କରିବାର ସ୍ବପ୍ନ ଦେଖିଥିଲେ ଓ ସେଥିଲାଗି ମଧ୍ୟ ଆହ୍ବାନ ଦେଇଥିଲେ। ଛକଡ଼ି ମହାନ୍ତି ଓ ସ୍ବର୍ଗତ ନରେନ୍ଦ୍ର ପ୍ରସାଦ ଦାସଙ୍କ ପରି ଅନୁଷ୍ଠାନପ୍ରେମୀ ବ୍ୟକ୍ତିଙ୍କ ଅବଦାନ ମଧ୍ୟ ସେତେବେଳେ କିଛି କମ୍‌ ନ ଥିଲା। ମୋଟ ୨୭ ଏକର ବିଶିଷ୍ଟ ଏହାର କ୍ଷେତ୍ର ଭଦ୍ରକ ଜିଲାର ମୁଖ୍ୟାଳୟ ଓ ୪୨ ନମ୍ବର ଜାତୀୟ ରାଜପଥ ତଥା ସାଳନ୍ଦୀ ଅବବାହିକାରେ ଅବସ୍ଥିତ। ଭାରତୀୟ ରେଳ ପୂର୍ବତଟ ବିଭାଗ ଅଧୀନ ଭଦ୍ରକ ଷ୍ଟେଶନଠାରୁ ଏହା ଅନତି ଦୂରରେ। ଭଦ୍ରକ ହେଉଛି ଓଡ଼ିଶାର ଏକ ଉତ୍ତର-ପୂର୍ବ ଜିଲା; ଯାହା କି ପୂର୍ବରେ ବଙ୍ଗୋପସାଗର, ଦକ୍ଷିଣରେ କେନ୍ଦ୍ରାପଡ଼ା, ଯାଜପୁର ଜିଲା, ପଶ୍ଚିମରେ କେନ୍ଦୁଝର ଓ ଉତ୍ତରରେ ବାଲେଶ୍ୱର ଜିଲା ଅବସ୍ଥିତ। ଏହାର ଶାନ୍ତିପୂର୍ଣ୍ଣ ପରିବେଶ ଓ ବର୍ଷସାରା ମଧ୍ୟମ ଜଳବାୟୁ ହେତୁ ଅନେକେ ଭଦ୍ରକ କଲେଜକୁ ଦ୍ୱିତୀୟ ଶାନ୍ତିନିକେତନର ଆଖ୍ୟା ଦେଇଥାନ୍ତି। ଅତୀତରେ ଏହାର ଶୈକ୍ଷିକ ବାତାବରଣ ଏତେ ଉନ୍ନତ ଥିଲା ଯେ ଜିଲା ବାହାରୁ ଏପରି କି କଟକ, ଭୁବନେଶ୍ୱର, କେନ୍ଦୁଝର ଓ ବାଲେଶ୍ୱର ଇତ୍ୟାଦିରୁ ମେଧାବୀ ଛାତ୍ରମାନେ ଭଦ୍ରକ କଲେଜରେ ପାଠପଢ଼ି ନିଜକୁ ଗର୍ବ ଅନୁଭବ କରୁଥିଲେ। ଏମିତି କି ସେତେବେଳେ କୁହାଯାଉଥିବା ରେଭେନ୍ସା ପରର ମହାବିଦ୍ୟାଳୟ ହେଉଛି ଭଦ୍ରକ କଲେଜ।
ଭଦ୍ରକ କଲେଜର ବଡ଼ ବଡ଼ କୋଠାଘର, ଛାତ୍ର୍ରାବାସ, ଏହାର ସୁଦୀର୍ଘ ଖେଳପଡ଼ିଆ ଓ ଆମ୍ରବିଥିକାର ଛାୟାସ୍ନିଗ୍ଧ ପରିବେଶ ଜିଲା ପ୍ରଶାସନ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ପରିଚାଳନା କରିବାର ଏକ ପ୍ରକୃଷ୍ଟ କ୍ଷେତ୍ର ହୋଇଛି। ବର୍ଷା ଯୋଗୁ ନେହେରୁ ଷ୍ଟାଡିୟମ୍‌ ପଡ଼ିଆରେ ପାଣି ଜମିଯାଇଛି ତ ପ୍ରଶାସନ ଭଦ୍ରକ କଲେଜ ପଡ଼ିଆରେ ବିଭିନ୍ନ ଜାତୀୟ ଦିବସରେ ପତାକା ଉତ୍ତୋଳନ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଜିଲାର ବିଭିନ୍ନ ନିର୍ବାଚନ ପରିଚାଳନାଠାରୁ ଆରମ୍ଭ କରି ପ୍ରଶିକ୍ଷଣ କେନ୍ଦ୍ର ଭାବେ ଭଦ୍ରକ କଲେଜକୁ ମାସ ମାସ ଧରି ବ୍ୟବହାର କରାଯାଉଛି। ଅଧୁନା କରୋନା ମହାମାରୀ କାଳରେ ଭଦ୍ରକ କଲେଜ ହୋଇଛି କୋଭିଡ୍‌ ହସ୍ପିଟାଲ। ଯେତେବେଳେ କୌଣସି ସରକାରୀ ଦାୟିତ୍ୱ ମେଣ୍ଟାଇବା କଥା ଆସୁଛି, ସେତେବେଳେ ମନେପଡ଼ୁଛି ଭଦ୍ରକ କଲେଜ ଓ ଏହାର ଉପଯୋଗୀ ପରିବେଶ। କିନ୍ତୁ ଏହାର ଆଶାନୁରୂପ ଉନ୍ନତି କେମିତି ହେବ ଓ ଏହାର ଶୈକ୍ଷିକ ବାତାବରଣରେ କିପରି ଅଭିବୃଦ୍ଧି ଘଟିବ, ସେଥିପାଇଁ କାହାରି ଚିନ୍ତା ନାହିଁ।
ଆଜି କହିବାର କଥା ହେଉଛି, ଭଦ୍ରକ କଲେଜର ବହୁ ପଛରେ ରାଜ୍ୟରେ ଗଢ଼ିଉଠିଥିବା ମହାବିଦ୍ୟାଳୟଗୁଡ଼ିକ ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଥିଲା ବେଳେ ଭଦ୍ରକ ମହାବିଦ୍ୟାଳୟ ସେଥିରୁ ବଞ୍ଚତ୍ତ ହୋଇଛି। ପୁରାତନ ଛାତ୍ରସଂସଦ ପକ୍ଷରୁ ଏଥିପାଇଁ ହୋଇଥିବା ଅନେକ ସଂଗ୍ରାମ ଓ ଉଦ୍ୟମ ଫସର ଫାଟିଯାଇଛି। ନିକଟ ଅତୀତରେ ଶିକ୍ଷାବିତ୍‌ ଡ. ଶୈଳେନ୍ଦ୍ର ମହାପାତ୍ର, ଡ. ବ୍ରଜମୋହନ ମିଶ୍ର, ପ୍ରଫେସର ଡ. ସ୍ବର୍ଗତ ସନାତନ ମହାନ୍ତି ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ନେଇ ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ସଭାସମିତି ସାଙ୍ଗକୁ ରାଜଧାନୀ ଭୁବନେଶ୍ୱରରେ ରହୁଥିବା ଭଦ୍ରକ ଲୋକମାନଙ୍କୁ ନେଇ ରେଡକ୍ରସ୍‌ ଭବନରେ ଏକ ସଭାର ଆୟୋଜନ ହୋଇଥିଲା; ଯେଉଁଥିରେ ତତ୍କାଳୀନ ଭଦ୍ରକ ବିଧାୟକ ଯୁଗଳକିଶୋର ପଟ୍ଟନାୟକ ଓ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଓ ଏହା ଭୁବନେଶ୍ୱରର ସମସ୍ତ ଗଣମାଧ୍ୟମରେ ସ୍ଥାନ ପାଇଥିଲା। ଏପରି କି ଭଦ୍ରକ କଲେଜ ଛାତ୍ରସଂସଦର ବାର୍ଷିକ ଉତ୍ସବ ଅବସରରେ ଅତିଥି ଭାବେ ଆସି ପ୍ରାକ୍ତନ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଖୁବ୍‌ଶୀଘ୍ର ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବ ବୋଲି ଘୋଷଣା କରିଥିଲେ। ଉକ୍ତ ସଭାରେ ବର୍ତ୍ତମାନର ଜିଲା ଯୋଜନା କମିଟି ଅଧ୍ୟକ୍ଷ ବ୍ୟୋମକେଶ ରାୟ ଉପସ୍ଥିତ ରହି ଏହାକୁ ସମର୍ଥନ କରିଥିଲେ। ଏପରି କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅନ୍ୟଏକ କାର୍ଯ୍ୟକ୍ରମରେ ଆସି ଏହାକୁ ବିଶ୍ୱବିଦ୍ୟାଳୟ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସଙ୍ଗେ ସଙ୍ଗେ କଲେଜ କ୍ୟାମ୍ପସ୍‌ରେ ଅଡିଟୋରିୟମ୍‌ ପ୍ରତିଷ୍ଠା ପାଇଁ ଏକକୋଟି ଟଙ୍କା ବ୍ୟୟବରାଦ କରିଥିଲେ ଓ ଏହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଏସବୁ ସତ୍ତ୍ୱେ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ‘ପଲ୍ଲୀଭାରତୀ’ ବିଶ୍ୱବିଦ୍ୟାଳୟ ହେବା ତ ଦୂରର କଥା, ବର୍ତ୍ତମାନ ମହାବିଦ୍ୟାଳୟକୁ ୟୁନିଟାରୀ ୟୁନିଭର୍ସିଟି କିମ୍ବା କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ମାନ୍ୟତାରୁ ମଧ୍ୟ ବଞ୍ଚତ୍ତ କରାଗଲା। ମହତାବଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ମହତାବଙ୍କ ସ୍ବପ୍ନର ଉଚ୍ଚଶିକ୍ଷା କେନ୍ଦ୍ର ଏହି ଭଦ୍ରକ ମହାବିଦ୍ୟାଳୟଟି ଆଜି ସୁଦ୍ଧା କେବଳ ସ୍ବୟଂଶାସିତ ମହାବିଦ୍ୟାଳୟ ହୋଇ ରହିଗଲା। ଏଥିଲାଗି ମନରେ ପ୍ରଶ୍ନ ଉଠୁଛି, ଆମେ ଆଜି ପୂର୍ବସୂରୀଙ୍କ ପ୍ରତିଶ୍ରୁତି ଓ ସ୍ବପ୍ନକୁ ସାକାର କରିବାରେ କେତେ ସମର୍ଥ ସତେ!

-ଅଜୟ ନାୟକ

ସମ୍ପାଦକ, ପୁରାତନ ଛାତ୍ରସଂସଦ
ଭଦ୍ରକ ମହାବିଦ୍ୟାଳୟ, ଭଦ୍ରକ
ମୋ: ୯୦୪୦୪୦୪୦୭୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?