ଭାରତ-ଚାଇନା ସୀମାରେ ବଫର ଶବ୍ଦର ଭୁଲ୍‌ ବ୍ୟବହାର

ସହଦେବ ସାହୁ

ପରସ୍ପର ସଂଘର୍ଷ ସମ୍ଭାବନା ଥିବା ଦୁଇଟି ବିରାଟ ଦେଶ ମଧ୍ୟବର୍ତ୍ତୀ ନିରପେକ୍ଷ ଦେଶକୁ ବଫର ଷ୍ଟେଟ୍‌ କୁହାଯାଏ, ଏହା ସାଧାରଣତଃ କ୍ଷୁଦ୍ରତର ଦେଶ ହୋଇଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଦୁଇପକ୍ଷ ଭିତରେ ସୁଇଜରଲାଣ୍ଡ ଏକ ବଫର ରାଷ୍ଟ୍ର ଥିଲା, ଚାଇନାରେ ମିଶିଯିବା ପୂର୍ବରୁ ତିବ୍ବତ୍‌ ଭାରତ ଓ ଚାଇନା ମଧ୍ୟରେ ବଫର ଥିଲା। ଯେଉଁଦିନୁ ଚାଇନା ତିବ୍ବତ୍‌କୁ ଗ୍ରାସ କରିନେଲା ସେହି ଦିନଠାରୁ ଚାଇନା ଓ ଭାରତ ମଧ୍ୟରେ ବଫର ରାଷ୍ଟ୍ର ନାହିଁ। ଏବେ ଭାରତ ଓ ଚାଇନା ମଧ୍ୟରେ ସଂଘର୍ଷ ହୋଇଗଲା ପରେ ଶାନ୍ତି ଲାଗି ଯେଉଁ ଆଲୋଚନା ହେଉଛି ତହିଁରେ ଦୁଇଦେଶର ସୀମାରେ ଏକ ବଫର ଜୋନ୍‌ ରହୁ ବୋଲି କେତେକ ଖବରକାଗଜ ମତ ଦେଉଛନ୍ତି।
ଚାଇନା ଓ ଭାରତ ଭିତରେ ବଫର ଜୋନ୍‌ କହିବା ମାନେ ଏକ ଭ୍ରାନ୍ତଧାରଣା ତିଆରି ହେଉଛି, ସତେ ଯେପରି ଚାଇନା ଓ ଭାରତ ସୀମାରେ ଏକ ନିରପେକ୍ଷ ଅଞ୍ଚଳ ଅଛି। ବଫର ଜୋନ୍‌ କହିଲା ବେଳେ ଆମେ ଭାବି ନେଉ ଯେପରି ସେ ଜୋନ୍‌ ବା ଇଲାକାରେ ଚାଇନା କିମ୍ବା ଭାରତର କାହାରି ଅଧିକାର ନାହିଁ, କେହି ଗୋଟିଏ ତୃତୀୟ ପକ୍ଷ ତାହାକୁ କଣ୍ଟ୍ରୋଲ କରୁଛି। ସତେ ଯେପରି ଚାଇନା ଓ ଭାରତର ସୀମା ଭିନ୍ନ ଭିନ୍ନ ହୋଇ ରହିଛି, ମଝିରେ କିଛି ଜାଗା ଏକ ତୃତୀୟ ରାଷ୍ଟ୍ରର ଅଧୀନରେ ଅଛି। ତେଣୁ ଚାଇନା ଓ ଭାରତ ଭିତରେ ସୀମା ସଂଘର୍ଷ ସମ୍ପର୍କରେ ବଫର ଶବ୍ଦ ପ୍ରୟୋଗ କରିବା ଭୁଲ୍‌।
ଦୁଇ ଦେଶର ସୀମା ଯେଉଁଠି କଳିର କାରଣ, ସେଠି ବଫର ବା ‘ଫାଙ୍କା ଜାଗା’ ଧାରଣା ତ ଭୁଲ୍‌।
ପ୍ରତି ଦେଶ ତାହାର ସୈନ୍ୟବାହିନୀକୁ ପଛକୁ ଘୁଞ୍ଚାଇ ନିଅନ୍ତି ତ ତାହା ଡିମିଲିଟାରାଇଜ୍‌ଡ ଜୋନ୍‌ (ସାମରିକବାହିନୀମୁକ୍ତ ଅଞ୍ଚଳ) ତିଆରି କରେ।
ଯୁକ୍ତିଟାକୁ ଦେଖନ୍ତୁ। ଶାନ୍ତି ପାଇଁ କ’ଣ ଦରକାର? ଦୁଇଟା ସାମରିକ ବାହିନୀ ବହୁଦିନ ଧରି ମୁହାଁମୁହିଁ ରହିଆସିଥିବା ବେଳେ ସାଧାରଣ କଥା ହେବ ଡିସ୍‌ଏନ୍‌ଗେଜ୍‌ମେଣ୍ଟ, ଅର୍ଥାତ୍‌ ଦୁଇପକ୍ଷ ପଛକୁ ଘୁଞ୍ଚିଯିବେ ଏବଂ କିଛି ସପ୍ତାହ ଲାଗି ପଇଁତରା ମାରିବେ ନାହିଁ। ଏଇ ସମୟରେ ପଇଁତରା କଲେ ଝଗଡା ଲାଗିପାରେ। କାରଣ ସଦ୍ୟ ବନ୍ଦ ହୋଇଥିବା ଝଗଡାର ସ୍ମୃତିଟି ମନେଥାଏ। ତେଣୁ ସୈନ୍ୟବାହିନୀ ଫେରୁଥିବା ସମୟରେ ପାଟ୍ରୋଲିଂ କରାଯାଏ ନାହିଁ। ଜୁନ୍‌ ୧୫ରେ ଗଲ୍‌ୱାନ୍‌ରେ ଯେଉଁ ଝଗଡା ହେଲା ସେହି ସମୟରେ ଉଭୟ ପକ୍ଷ ଯୁଦ୍ଧ ବିରତି ପ୍ରକ୍ରିୟା ଭିତରେ ଥିଲେ। ଚାଇନା ପକ୍ଷ ଫେରୁଛନ୍ତି କି ନାହିଁ ଜାଣିବାକୁ ଭାରତୀୟ ସୈନ୍ୟମାନେ ପଇଁତରା କଲେ ତ ଝଗଡା ଆରମ୍ଭ ହୋଇଗଲା, ଚାଇନାର ୪୫ ସୈନ୍ୟ ମଲେ ବୋଲି ଆମେ ଶୁଣୁଛୁ ସିନା ଚାଇନା କିଛି କହୁନାହିଁ, ଆମେ ୨୫ ସୈନ୍ୟ ହରାଇଛୁ ବୋଲି ଘୋଷଣା କରିଦେଲୁ।
ସୀମାର ଏ ପାଖ ଓ ସେ ପାଖ କିଛି ଦୂର ପଛକୁ ସାମରିକ ବାହିନୀ ଫେରିଯାଏ ସିନା, ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ଅର୍ଥାତ୍‌ ସୀମାରେ ପଇଁତରା ପାଇଁ ତ ପୋଲିସ୍‌ ରହିବେ।
ଉତ୍ତର ସୀମାନ୍ତରେ ଭାରତର ଇଣ୍ଡୋତିବ୍ବତାନ୍‌ ବର୍ଡର ପୋଲିସ (ଆଇଟିବିପି) ପାଟ୍ରୋଲିଂ କରିଥାଏ। ଦୁଇ ଦେଶର ସୀମାରେଖା ଗୋଟିଏ ରେଖା ହୋଇଥିବାରୁ ନିୟୁଟ୍ରାଲ ବା ନିରପେକ୍ଷ ଜାଗା ନାହିଁ, ବଫର ଜୋନ୍‌ କେଉଁଠୁ ଆସିବ? ଭାରତ ଜାଣିଛି ଏଲ୍‌ଏସି (ଲାଇନ୍‌ ଅଫ୍‌ ଆକ୍ଚୁଆଲ୍‌ କଣ୍ଟ୍ରୋଲ) କେଉଁଠି। କିନ୍ତୁ ତାହା ମାନଚିତ୍ରରେ ଚିହ୍ନିତ ସୀମାରେଖା (ଲାଇନ୍‌ ଅଫ୍‌ କଣ୍ଟ୍ରୋଲ) ନୁହେଁ, ମାନଚିତ୍ରରେ ରେଖାଟି କଳ୍ପନାରେ ରହିଛି, ବାସ୍ତବ ନୁହେଁ। ଦୁଇଟି ଲାଇନ୍‌ ଭିତରେ ତାଳମେଳ ନାହିଁ, କାରଣ ୨୦୧୩ର ଡେପ୍‌ସାଙ୍ଗ ଏବଂ ୨୦୧୪ର ଚୁମାର ଭଳି ବଡ ଧରଣର ସଂଘର୍ଷ ଭାରତର ହାତକୁ ବାନ୍ଧି ରଖିଛି। ମାଡି ବସିଥିବା ଅଞ୍ଚଳ ତାହାର ସୀମା ଭିତରେ ଅଛି ବୋଲି ଚାଇନା କହୁଛି।
ତେଣୁ ବଫର ଜୋନ୍‌ ପ୍ରସ୍ତାବ ଆସିବା କଥା ନୁହେଁ।
କେଉଁ ଅଞ୍ଚଳଗୁଡ଼ିକରେ ସୀମାରେଖା କେଉଁଠି ଯାଇଛି ତାହା ଏବେ କଳ୍ପନାରେ ରହିଯାଇଛି। ଚାଇନାର କଳ୍ପନା ଓ ଭାରତର କଳ୍ପନା ଭିତରେ ପ୍ରଭେଦ ବହୁତ। ତେଣୁ ଜଗିବା ବା ପାଟ୍ରୋଲିଂ କରୁଥିବା ଜାଗାଗୁଡିକୁ ସୀମା ଧରାଯାଉଛି। ୧୯୬୨ ଯୁୁଦ୍ଧରେ ଚାଇନା ଯେତେ ଅଞ୍ଚଳ ମାଡି ଆସିଲା ତାକୁ ନିଜର ବୋଲି କହୁଛି, ତାହା ଲାଇନ୍‌ ଅଫ୍‌ ଆକ୍ଚୁଆଲ କଣ୍ଟ୍ର୍ରୋଲ୍‌, କିନ୍ତୁ ସେତିକିରେ ଚାଇନା ଚୁପ୍‌ ରହିନାହିଁ। ମେନ୍‌ ହେଉଛି, ଭବିଷ୍ୟତରେ ବି ଚାଇନା ଯେତେ ବାଟ ମାଡିଆସିଯିବ ତାହା ନିୟନ୍ତ୍ରଣ ରେଖା ବୋଲି କହିବ।
୧୯୬୨ ପୂର୍ବରୁ ବା ବ୍ରିଟିଶ୍‌ ଅମଳରେ କ’ଣ ଥିଲା ତାହା ମାନୁନାହିଁ। ୧୯୬୨ର ଏକତରଫା ଆକ୍ରମଣ କରି ଚାଇନା ତାହାର ସୀମା ଟାଣିଦେଲା ଏବଂ ସେହି ଦିନଠାରୁ ଭାରତୀୟ ସୈନ୍ୟମାନେ କୌଣସି ଇଲାକା ଫେରାଇ ଆଣିବାକୁ ଚେଷ୍ଟା କରିନାହାନ୍ତି। ତେଣୁ ୧୯୬୨ ଯୁଦ୍ଧରେ ଚାଇନା ଯାହା ଦଖଲ କରିନେଲା ତାହା ଏଲ୍‌ଏସି ହୋଇଗଲା। ଏ ପରିସ୍ଥିତିରେ ବଫର ଜୋନ୍‌ ଧାରଣା ଭୁଲ୍‌। ଭାରତୀୟମାନେ ବଫର ଜୋନ୍‌ କରିବେ ତ ତାହା କେବଳ ଭାରତୀୟ ଅଞ୍ଚଳ ଭିତରେ ହେବ। ଅର୍ଥାତ୍‌ ଭାରତୀୟ ଅଞ୍ଚଳ ଭିତରେ ଭାରତୀୟ ସୈନ୍ୟ ପାଟ୍ରୋଲିଂ କରିବେ, ପଇଁତରା ମାରିବେ।
ଭାରତ ଏଲ୍‌ଓସି ଚାହୁଁଛି, ଚାଇନା ଏଲ୍‌ଏସି। ଆଗରୁ ପାଙ୍ଗୋଙ୍ଗ୍‌ ସୋ ନିକଟ ଫିଙ୍ଗର ଇଲାକାକୁ ନିଜର ବୋଲି କହୁଥିଲା, ଏବେ ଗଲ୍‌ୱାନ୍‌ ଅଞ୍ଚଳକୁ ନିଜର ବୋଲି କହୁଛି। ଏ ଦୁଇଟି ଜାଗାରୁ ଚାଇନା ତା’ର ସୈନ୍ୟବାହିନୀକୁ ଚାଇନା ଭିତରକୁ ଫେରାଇ ନେଉନାହିଁ। ଆସ୍ତେ ଆସ୍ତେ ନିଜର ଦାବିକୁ ବଢାଉଛି।
ଏପରି ପରିସ୍ଥିତିରେ ଆଜିକାଲିକାର ଘଟଣାବଳୀ ଟିକେ ବେଶି ସଙ୍ଗିନ ହୋଇଯାଉଛି। କାରଣ ଉଭୟ ପକ୍ଷର ସୈନ୍ୟବାହିନୀ ଫେରୁଥିବା ବେଳେ ମୁହଁାମୁହିଁ ହେବା ଉଚିତ ନୁହେଁ। ରକ୍ତ ଟିକେ ଶିଥିଳ ହେବା ପାଇଁ ସମୟ ଦିଆଯାଏ। ଏ ପ୍ରକାର କାରଣରୁ ଫେରିବାର ଯାହା ବ୍ୟବସ୍ଥା ଥାଏ ତାହା କ୍ଷଣସ୍ଥାୟୀ। ଯଥା ସମୟରେ ପାଟ୍ରୋଲିଂ ବା ପଇଁତରା ହେବ। କେଉଁଠି ତ ନିରପେକ୍ଷ ଜାଗା ବା ଡିମିଲିଟାରାଇଜ୍‌ଡ ବଫର ଜୋନ୍‌ ନାହିଁ କି ତିଆରି ହେଉ ନାହିଁ କି ହୋଇପାରିବ ନାହିଁ। ବସ୍ତୁତଃ ଆଗରେ ମୁତୟନ କରାଯାଉଥିବା ଭାରତୀୟ ସେନା ତା’ କ୍ୟାମ୍ପକୁ ଫେରିବ ଓ ପରିସ୍ଥିତିକୁ ମନିଟର କରିବ। ମନେରଖିବା କଥା ଯେ ଗଲୱାନ୍‌ରେ ସଂଘର୍ଷ ହେବା ପୂର୍ବରୁ ଭାରତୀୟ ସୈନ୍ୟମାନେ ଯେଉଁଠି ଥିଲେ, ସେ ଜାଗା ଆଗକୁ ଅଛି। କିନ୍ତୁ ଫେରିଆସିଲେ ସେ ଜାଗାକୁ ପାଟ୍ରୋଲିଂ ବା ପଇଁତରା ମାରିବାକୁ ଯାଇପାରିବେ ନାହିଁ ବୋଲି ଆଲୋଚନାରେ ରହୁଛି। ଏଇ ସବୁ ଅଞ୍ଚଳରେ ପଇଁତରା ମାରିବ ସାମରିକ ବାହିନୀ, ଯଦି ଆଇଟିବିପି (ଇଣ୍ଡୋତିବ୍ବତାନ୍‌ ବର୍ଡର ପୋଲିସ୍‌) ପଇଁତରା କରେ ତା’ ଉପରେ ପୂର୍ଣ୍ଣ କର୍ତ୍ତୃତ୍ୱ ରଖିବ, ଏବେ ଯେମିତି ଆର୍ମି ଅଧୀନରେ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) ଏଲ୍‌ଓସିରେ କାମ କରୁଛି। ଦୁଃଖର କଥା, ଭାରତରେ ଏ ଗଣ୍ଡଗୋଳର ସମାଧାନ ଏଯାବତ୍‌ ହୋଇନାହିଁ, କାରଣ ମନ୍ତ୍ରୀମାନଙ୍କ ଭିତରେ ବିଭାଗୀୟ ଗଣ୍ଡଗୋଳ ରହିଛି, ଆଇଟିବିପି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ କରିବ ତ ବିଏସ୍‌ଏଫ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟକୁ। ତେଣୁ ପଇଁତରା ମାରିବାରେ ଭାରତରେ ସ୍ପଷ୍ଟତା ନାହିଁ। ଏ ସମସ୍ୟା ଚାଇନାରେ ନାହିଁ। ଗତ ଦୁଇ ତିନି ଦଶନ୍ଧି ଧରି ଭାରତ ଚାଇନାର ସୀମା ଚିହ୍ନିତ ହୋଇନାହିଁ ବୋଲି ଜବରଦଖଲ କରି ଅର୍ଥାତ୍‌ ଯୋଜନାବଦ୍ଧ ଆକ୍ରମଣ କରି ଭାରତ ଭିତରକୁ ପଶି ଆସୁଛି ଏବଂ ତାହା ହିଁ ନିଜର ସୀମା ବୋଲି କହୁଛି। ପ୍ରସ୍ତୁତ ହୋଇ ନ ରହିଲେ ଚାଇନା ଏମିତି ଭାରତର ଅଜାଣତରେ ଧସେଇ ପଶୁଥିବ ଏବଂ ଜବରଦଖଲ ଜାଗାକୁ ନିଜର ବୋଲି କହୁଥିବ।
ଆମ ଦେଶର ନେତାମାନେ ଚାଇନାକୁ ପ୍ରତିଯୋଗୀ ଭାବିବେ କି ଶତ୍ରୁ ଭାବିବେ ଠିକ୍‌ କରିପାରୁନାହାନ୍ତି। କଂଗ୍ରେସ ଦଳ ନେହେରୁ ସମୟର ହିନ୍ଦୀ-ଚୀନୀ ଭାଇଭାଇ ବୋଲିର ପରିଣାମ ବୁଝିଲା ନାହିଁ ତ ଭାଜପା ମୋଦି-ଜିନ୍‌ପିଙ୍ଗଙ୍କ କୋଳାକୋଳି ଭିତରେ ଜିନ୍‌ପିଙ୍ଗଙ୍କ ବିସ୍ତାରବାଦ ଧରିପାରିଲା ନାହିଁ। ଭାରତ-ଭୁଟାନ୍‌-ଚାଇନା ସୀମାରେ ଡୋକ୍‌ଲାମ୍‌ଠାରେ ମୁହାଁମୁହିଁ ସଂଘର୍ଷର ୩ ବର୍ଷ ନ ପୂରୁଣୁ ଗଲ୍‌ୱାନ୍‌ ଉପତ୍ୟକାରେ ୨୦ଜଣ ଭାରତୀୟ ସୈନ୍ୟ ନିହତ ହେଲେ। ନେଡି-ଗୁଡ (ଲଦାଖ୍‌ ଅଞ୍ଚଳରେ ଏଲ୍‌ଏସିକୁ ସୈନ୍ୟ ଅପସାରଣ) କହୁଣିକୁ ବୋହିଯିବାରେ ଆମ ଦେଶର ସବୁ ରାଜନୈତିକ ଦଳ ଦାୟୀ, କାରଣ ସେମାନେ ଭାବୁନାହାନ୍ତି ଯେ ସାର୍ବଭୌମତ୍ୱ ଓ ଆଞ୍ଚଳିକ ସଂହତି (ଟେରିଟୋରିଆଲ ଇଣ୍ଟିଗ୍ରିଟି) ରକ୍ଷା କରିବା ପାଇଁ ଚାଇନାକୁ ଶତ୍ରୁ ଭଳି ଦେଖିବାକୁ ପଡିବ। ବିରୋଧୀ ଦଳମାନେ ବିଶେଷତଃ କଂଗ୍ରେସ ଚାଇନା-ବନାମ-ଭାରତ ନ ଦେଖି ନରେନ୍ଦ୍ର ମୋଦି-ବନାମ-କଂଗ୍ରେସ ଦେଖୁଛି। ଆଉ କେତେକ ଦଳ ଖୁସି ହେଉଛନ୍ତି ଯେ ଚାଇନା ୟୁଏସ୍‌ଏକୁ ଟପି ବିଶ୍ୱରେ ୧ ନମ୍ବର ହେବାକୁ ଚାହୁଁଛି। ଏପରି ସ୍ଥଳେ ସୀମାଟା କଳହରେଖା ହୋଇରହିବ, ବଫର ଜୋନ୍‌ର ମଧ୍ୟରେଖା ହେବନାହିଁ।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri