Categories: ଖେଳ

ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସିର ୯ମ ମ୍ୟାଚ; କେରଳ ବିପକ୍ଷରେ ବିଜୟ ଆଶା

ଭୁବନେଶ୍ୱର, ୭।୧(କ୍ରୀଡ଼ା ପ୍ରତିନିଧି)- ଗୋଆରେ ଚାଲିଥିବା ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଗୁରୁବାର ଏହାର ୯ମ ମ୍ୟାଚ ଖେଳିବ। ଭୁବନେଶ୍ୱରଭିତ୍ତିକ ଦଳର ପରବର୍ତ୍ତୀ ପ୍ରତିଦ୍ୱନ୍ଦ୍ୱୀ ହେଉଛି କେରଳ ବ୍ଲାଷ୍ଟର୍ସ। ଷ୍ଟୁଆର୍ଟ ବକ୍ସଟରଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ ଖେଳିସାରିଥିଲେ ହେଁ ବିଜୟ ସ୍ବାଦ ଚାଖିନାହିଁ। କିବୁ ଭିକୁନାଙ୍କ କେରଳ ମଧ୍ୟ ସେପରି ପ୍ରଭାବୀ ପ୍ରଦର୍ଶନ କରି ପାରିନାହିଁ। ତେଣୁ ଏହି ଦଳ ବିପକ୍ଷରେ ବିଜୟ ହାସଲ ଆଶାରେ ରହିଛି ଓଡ଼ିଶା। କେରଳ ବ୍ଲାଷ୍ଟର୍ସ ଏପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳି ୧ ବିଜୟ, ୩ ଡ୍ର ଓ ୪ ପରାଜୟ ସହ ୬ ପଏଣ୍ଟ ପାଇଛି। ୨ ପଏଣ୍ଟ ପାଇଥିବା ଓଡ଼ିଶା ଟେବୁଲର ସର୍ବନିମ୍ନ ସ୍ଥାନରେ ପଡ଼ି ରହିଥିବାବେଳେ କେରଳ ୯ମ ସ୍ଥାନ ଅଧିକାର କରିଛି। ଓଡ଼ିଶା ଏଫ୍‌ସି ଏପର୍ଯ୍ୟନ୍ତ ୬ଟି ଗୋଲ ଦେଇଥିବାବେଳେ ୧୪ଟି ବରଣ କରିଛି। ଗୋଲ ବ୍ୟବଧାନ ରହିଛି -୮। ସେହିପରି କେରଳ ଦଳ ୮ ଗୋଲ ଦେଇ ୧୩ଟି ବରଣ କରିଛି। ଏହାର ଗୋଲ ବ୍ୟବଧାନ -୫ ରହିଛି। ବାମ୍ବୋଲିମ୍‌ର ଜିଏମ୍‌ସି ଷ୍ଟାଡିୟମରେ ଓଡ଼ିଶା-କେରଳ ମ୍ୟାଚ ଅନୁଷ୍ଠିତ ହେବ।
”ଆମେ ଅନେକ ସୁଯୋଗ ସୃଷ୍ଟି କରିଛୁ, ମାତ୍ର ତାହାକୁ ଗୋଲରେ ପରିଣତ କରି ପାରିନାହୁଁ। ପ୍ରତ୍ୟେକ ଗେମ୍‌ ଭିନ୍ନ। ଆମେ ଓଡ଼ିଶା ଦଳକୁ ସମ୍ମାନ ଜଣାଉଛୁ। ଏହି ଦଳରେ ବହୁ ଭଲ ଖେଳାଳି ଅଛନ୍ତି। ଆମେ ସୁଯୋଗର ସଦ୍‌ବ୍ୟବହାର କରିବା ଲକ୍ଷ୍ୟରେ ଅଛୁ“ ବୋଲି ଭିକୁନା କହିଛନ୍ତି। ଅନ୍ୟପକ୍ଷରେ ବକ୍ସଟର କହିଛନ୍ତି ଯେ, ”ଅଧିକାଂଶ ଗେମ୍‌ରେ ଆମେ ଭଲ ଖେଳିଥିଲେ ହେଁ ତାହାକୁ ଫଳାଫଳରେ ରୂପାନ୍ତରିତ କରି ପାରିନାହୁଁ। ତେବେ ଖେଳାଳିମାନେ ଆତ୍ମବିଶ୍ୱାସ ହରାଇ ନାହାନ୍ତି। ଆମେ ଏହା ହିଁ ଚାହୁଁ। ପ୍ରଦର୍ଶନରେ ନିଶ୍ଚିତ ଉନ୍ନତି ଘଟୁଛି। ପ୍ରତିପକ୍ଷ ଦଳ ବିପକ୍ଷରେ ଅଧିକ ଗୋଲ କରିବା ସହ ନିଜେ ଯେପରି ଗୋଲ ବରଣ ନ କରିବୁ ତା’ ଉପରେ ଧ୍ୟାନ ଦେବୁ“।

Share