ଭୁବନେଶ୍ୱର,୮ା୪(ବ୍ୟୁରୋ):ରାଜ୍ୟର ୧୦୫ ପୌର ପରିଷଦ/ଏନ୍ଏସି ଉପାଧ୍ୟକ୍ଷ ପଦବୀ ନିର୍ବାଚନ ଗୁରୁବାର ଶେଷ ହୋଇଛି। ଏହି ନିର୍ବାଚନରେ ମଧ୍ୟ ବିଜେଡିକୁ ବିପୁଳ ସଫଳତା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ବିଜେଡି ୯୧ଟି ଉପାଧ୍ୟକ୍ଷ ପଦ ହାତେଇଛି। ଭାଜପାକୁ ମାତ୍ର ୬ଟି ଉପାଧ୍ୟକ୍ଷ ପଦବୀରେ ସନ୍ତୁଷ୍ଟ ହେବାକୁ ପଡିଛି। ତେବେ ଅନ୍ୟ ୮ଟି ପୌର ପରିଷଦ ଓ ଏନ୍ଏସିରେ କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ତେବେ ଉପାଧ୍ୟକ୍ଷ ପାଇଁ ଆବଶ୍ୟକ ସଂଖ୍ୟା ଥିଲେ ମଧ୍ୟ ଅନେକ ପୌରାଞ୍ଚଳରେ ବିଜେଡିକୁ ନିରାଶ ହେବାକୁ ପଡିଛି। ବିରୋଧୀ ବିଜେଡିକୁ ଚକମା ଦେଇଛନ୍ତି।
କେଉଁଠି ଭାଜପା, କଂଗ୍ରେସ ତ କେଉଁଠି ସ୍ବାଧୀନ ପ୍ରାର୍ଥୀମାନେ ବାଜି ମାରିଛନ୍ତି। କ୍ରସ ଭୋଟିଂ ଯୋଗୁ ଏଭଳି ହୋଇଥିବା ଜଣାପଡ଼ିଛି। କାଉସିଲରମାନେ କାହାକୁ ଭୋଟ ଦେଉଛନ୍ତି ତାହା ଦଳୀୟ ଏଜେଣ୍ଟଙ୍କୁ ଦେଖାଇବାକୁ ହେବ। ତେବେ ଏହା ସତ୍ତ୍ୱେ କେତେକ ସ୍ଥାନରେ ବିଜେଡିର କ୍ରସ ଭୋଟିଂ ହୋଇଥିବା ସୂଚନା ମିଳିଛି। ଜଗତସିଂହପୁର, ପାରାଦୀପ, ରେଢାଖୋଲ, ଖରିଆର ପୌର ପରିଷଦ ଅଧ୍ୟକ୍ଷ ପଦବୀ ବିଜେଡି ହାତରୁ ଖସି ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଜଗତସିଂହପୁରରେ ୧୦ଟି କାଉନସିଲର ଥିଲେ ବି ଉପାଧ୍ୟକ୍ଷ ପଦବୀ ଭାଜପା ହାତକୁ ଯାଇଛି। ସ୍ବାଧୀନ ଓ କଂଗ୍ରେସ ସହଯୋଗରେ ଭାଜପା ଏହି ଆସନ ହାତେଇବାରେ ସଫଳ ହୋଇଛି। ସେହିପରି ପାରାଦୀପ ମ୍ୟୁନିସିପାଲିଟିରେ ବିଜେଡିର ୭ଟି କାଉନସିଲର ଥିବାବେଳେ ବିଜେଡି ପ୍ରାର୍ଥୀଙ୍କୁ ୬ଟି ଭୋଟ ମିଳିଛି। ଏଠାରେ ଜଣେ ବିଜେଡି କାଉନସିଲର କ୍ରସ ଭୋଟିଂ କରିଥିବାବେଳେ ସେ କିଏ ତାହା ସ୍ପଷ୍ଟ ହୋଇନାହିଁ। ଏହି ପୌରାଞ୍ଚଳରେ କଂଗ୍ରେସ ନେତା ବାପି ସର୍କେଲଙ୍କ ସମର୍ଥତ୍ତ ପ୍ରାର୍ଥୀ ଛବିଲତା ରାଉତଙ୍କୁ ୧୦ଟି ଭୋଟ ମିଳିଛି। ସେହିପରି ରେଢାଖୋଲ ଏନଏସିରେ ବିଜେଡିର ୬, ଭାଜପାର ୬ ଓ କଂଗ୍ରେସର ଜଣେ କାଉନସିଲର ଥିବା ବେଳେ ଭାଜପା ବାଜି ମାରି ନେଇଛି। ସେହିପରି ଉଦଳାରେ ଭାଜପାର ଅଧ୍ୟକ୍ଷ ଥିବା ବେଳେ ବିଜେଡି ଉପାଧ୍ୟକ୍ଷ ପଦବୀ ହାତେଇବାରେ ସଫଳ ହେଇଛି। ଦଶପଲ୍ଲାରେ ସ୍ବାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ଥିବା ବେଳେ ବିଜେଡି ପ୍ରାର୍ଥୀ ଉପାଧ୍ୟକ୍ଷ ହୋଇଛନ୍ତି।

