ଭୁବନେଶ୍ୱର, ୩।୪(ସୁନିତ୍ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ ସଭା ନିର୍ବାଚନରେ ୩ ଜଣ କଂଗ୍ରେସ ବିଧାୟକ କ୍ରସ୍ ଭୋଟିଂ କରିବା ଯୋଗୁ ଦଳରୁ ନିଲମ୍ବନ ହୋଇଛନ୍ତି। ସେମାନଙ୍କ ସଭ୍ୟପଦ ରଦ୍ଦକରିବା ଲାଗି ମଧ୍ୟ ଦଳ ତରଫରୁ ବାଚସ୍ପତିଙ୍କୁ ଲିଖିତ ଭାବେ ଦିଆଯାଇସାରିଛି। ଏବେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୧ରେ ପହଞ୍ଚିସାରିଛି ବୋଲି କୁହାଯାଇପାରେ। ଏହି ୧୧ ଜଣ ବିଧାୟକଙ୍କ ନେତୃତ୍ୱ କୋରାପୁଟ ଜିଲା ଅନ୍ତର୍ଗତ ପଟ୍ଟାଙ୍ଗୀ ବିଧାନସଭା କ୍ଷେତ୍ରରୁ ବିଜୟୀ ହୋଇ ଆସିଥିବା ରାମଚନ୍ଦ୍ର କାଡାମଙ୍କ ହାତରେ ନ୍ୟସ୍ତ କରାଯାଇଛି। କାଡାମ ବର୍ତ୍ତମାନ କଂଗ୍ରେସ ବିଧାୟକ ଦଳ ନେତା ଦାୟିତ୍ୱରେ ଅଛନ୍ତି। ଏତେସବୁ ଘଟଣା ଭିତରେ କଂଗ୍ରେସର ପ୍ରାୟ ୮ ଜଣ ବିଧାୟକ କୁଆଡ଼େ ବିଧାୟକ ଦଳ ନେତାଙ୍କୁ ପରିବର୍ତ୍ତନ କରାଇବା ଲାଗି ମଙ୍ଗଳବାରଠାରୁ ନୂଆଦିଲ୍ଲୀ ଗସ୍ତରେ ରହିଥିବା ଜଣାପଡ଼ିଛି। ମାତ୍ର ରାମଚନ୍ଦ୍ର କାଡାମ ଏବଂ ବାସୁଦେବପୁର ବିଧାୟକ ଅଶୋକ ଦାସ ଏହି ଗସ୍ତରେ ନିଜକୁ ସାମିଲକରି ନ ଥିବା ଜଣାପଡ଼ିଛି। ରାଜନୈତିକ ମହଲରୁ ଯାହା ଶୁଣିବାକୁ ମିଳୁଛି, ତାରାପ୍ରସାଦ ବାହିନୀପତି କଂଗ୍ରେସ ବିଧାୟକ ଦଳ ନେତା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କର ଏହି ଇଚ୍ଛା ସମ୍ପର୍କରେ ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କିଛି ଆଲୋଚନା ହୋଇଥିଲା। ତାଙ୍କୁ ଏନେଇ ରାଜ୍ୟ ନେତୃତ୍ୱଙ୍କ ତରଫରୁ ପ୍ରତିଶ୍ରୁତି ମିଳିଥିଲା ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଅପରପକ୍ଷରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ପୁତ୍ର ତଥା ଭବାନିପାଟଣା ବିଧାୟକ ସାଗର ଚରଣ ଦାସ ମଧ୍ୟ ଏହି ଗସ୍ତରେ ସାମିଲ ହୋଇଛନ୍ତି। ଭକ୍ତଙ୍କ ବିନା ଇଙ୍ଗିତ ବା ପରାମର୍ଶରେ ସାଗର ହାଇକମାଣ୍ଡଙ୍କୁ ଭେଟିବା ଲାଗି ସ୍ଥିର ହୋଇଥିବା କାର୍ଯ୍ୟକ୍ରମରେ ସାମିଲ ହୋଇଥିବେ ସେକଥାକୁ ତାଙ୍କ ଦଳ ଭିତରେ କେହି ବିଶ୍ୱାସ କରୁନାହାନ୍ତି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି, ବିଧାୟକମାନେ ନୂଆଦିଲ୍ଲୀ ଗସ୍ତ କରୁଛନ୍ତି କି ହାଇକମାଣ୍ଡଙ୍କୁ ଭେଟିବେ ସେ ବିଷୟରେ କାଡାମଙ୍କୁ କିଛି ଜଣାଯାଇ ନାହିଁ। କଂଗ୍ରେସ ବିଧାୟକମାନଙ୍କ ନୂଆଦିଲ୍ଲୀ ଗସ୍ତ ନେଇ କାଡାମଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ହାଇକମାଣ୍ଡଙ୍କୁ ଭେଟିବା ଲାଗି ବିଧାୟକମାନେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ବିଭିନ୍ନ ରାଜ୍ୟର ବିଧାୟକମାନେ ଅନେକ ସମୟରେ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟନ୍ତି। ବିଧାୟକ ଦଳ ନେତା ପଦରେ ପରିବର୍ତ୍ତନ ହେବା କଥା କେବଳ ଗଣମାଧ୍ୟମର ଏକ ଆକଳନ। ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେ, ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଏମ୍ପି ପ୍ରିୟଙ୍କା ଗାନ୍ଧୀ ସମସ୍ତେ ସବୁ ସମୟରେ ଦେଶରେ ଏସ୍ସି,ଏସ୍ଟି ଏବଂ ଓବିସି, ସଂଖ୍ୟାଲଘୁ ବର୍ଗର ଲୋକମାନେ କିପରି ଆଗକୁ ବଢ଼ିବେ ସେକଥା ଚେଷ୍ଟା କରୁଛନ୍ତି। ଓଡ଼ିଶାର ମୋଟ୍ ଜନସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ଏସ୍ସି, ଏସ୍ଟି ବର୍ଗ। ସେମାନଙ୍କ ଭିତରୁ କିପରି ନେତୃତ୍ୱ ସୃଷ୍ଟି କରାଯାଇପାରିବ ସେଥିଲାଗି ହାଇକମାଣ୍ଡ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ତେଣୁ ଏହି ଦୃଷ୍ଟିକୋଣରୁ ଗଣମାଧ୍ୟମ ପକ୍ଷରୁ ବିଧାୟକ ଦଳ ନେତା ପରିବର୍ତ୍ତନ ନେଇ କରାଯାଉଥିବା ଆକଳନକୁ ବିଶ୍ୱାସ କରିପାରୁନାହାନ୍ତି ବୋଲି କାଡାମ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, କାଡାମଙ୍କୁ ତାଙ୍କ ପଦରୁ ହଟାଇବା ସକାଶେ ବିଧାୟକମାନଙ୍କ ଦସ୍ତଖତ ନିଆଯାଇଥିଲା। ସେଥିରେ ୯ ଜଣ ବିଧାୟକ ଦସ୍ତଖତ ଦେଇଥିଲେ। ସେମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା ମଧ୍ୟ ରହିଥିଲେ। ମାତ୍ର ସାଉଁନ୍ତା ଦିଲ୍ଲୀ ଗସ୍ତରେ ସାମିଲ ହୋଇନାହାନ୍ତି। ଦିଲ୍ଲୀ ଗସ୍ତରେ ଥିବା ୮ ବିଧାୟକ ଗୁରୁବାର ମଲିକାର୍ଜୁନ ଖାର୍ଗେଙ୍କୁ ଭେଟିଥିବା ବେଳେ ଅନ୍ୟ କାହାକୁ ଭେଟି ନ ଥିବା ଜଣାପଡ଼ିଛି। ବର୍ତ୍ତମାନ ଆସାମ, ପଶ୍ଚିମବଙ୍ଗ ଆଦି ବିଭିନ୍ନ ରାଜ୍ୟରେ ଚାଲିଥିବା ନିର୍ବାଚନ ପ୍ରଚାର ଲାଗି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱମାନେ ଚାଲିଯାଇଥିବା କାରଣରୁ ଅନ୍ୟ କେନ୍ଦ୍ର ନେତୃତ୍ୱଙ୍କୁ ଓଡ଼ିଶାର ୮ ବିଧାୟକ ଭେଟିବାର ସୁଯୋଗ ପାଇ ନ ଥିବା ଯାହା ଶୁଣାଯାଉଛି। ନୂଆଦିଲ୍ଲୀ ଗସ୍ତ କରିଥିବା ବିଧାୟକମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।
Dharitri – Odisha’s No.1 Odia Daily

