କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଅଞ୍ଚଳରେ ଏକ ବିଶାଳ ଅଜଗର ସାପ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମର ବାଲରାଜୁ ନାମକ ଜଣେ ବ୍ୟକ୍ତିଙ୍କ ଘର ବାରିପଟେ ରଖାଯାଇଥିବା ଏକ ପାଣି ଡ୍ରମ ଭିତରୁ ପ୍ରାୟ ୮ ଫୁଟ ଲମ୍ବର ଏହି ବିରାଟକାୟ ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳେ ପରିବାର ଲୋକେ ପାଣି ପାଇଁ ଘର ପଛପଟ ବାରିକୁ ଯାଇଥିବା ବେଳେ ଡ୍ରମ ଭିତରେ ଅଜଗରଟି କୁଣ୍ଡଳୀ ମାରି ବସିଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ପରିବାର ଲୋକଙ୍କ ସମେତ ପଡ଼ୋଶୀମାନେ ଆତଙ୍କିତ ହୋଇପଡ଼ିଥିଲେ।
ଖବର ପାଇ ସ୍ଥାନୀୟ ସାହସୀ ଯୁବକ ସତ୍ୟ ନାଚିକା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଅତ୍ୟନ୍ତ ସତର୍କତା ଓ କୌଶଳର ସହ ଡ୍ରମ ମଧ୍ୟରୁ ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ସାପଟିକୁ ଜନବସତିଠାରୁ ଦୂରରେ ଥିବା ନିରାପଦ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଅଜଗରଟି ଉଦ୍ଧାର ହେବା ପରେ ଗ୍ରାମବାସୀ ଓ ପରିବାରବର୍ଗ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।