ସମୁଦ୍ରତଳେ ୭୪ ଦିନ

ତାଲାହାସି, ୧୬ା୫: ଗ୍ରହ, ନକ୍ଷତ୍ର ଓ ତାରକାପୁଞ୍ଜ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଜ୍ୟୋତିର୍ବିଜ୍ଞାନିମାନଙ୍କୁ ଅନେକ ମାସ ମହାକାଶରେ ରହିବାକୁ ପଡ଼େ। ସେହିପରି ସମୁଦ୍ରର ଗଭୀର ଜଳରେ ବାସ କରୁଥିବା ପ୍ରାଣୀଙ୍କ ସମ୍ବନ୍ଧରେ ଜାଣିବାକୁ ହେଲେ ସମୁଦ୍ର ବୁଡ଼ାଳିମାନଙ୍କୁ ମଧ୍ୟ ଅନେକ ଦିନ ଗଭୀର ଜଳରେ ରହିବାକୁ ପଡ଼ିଥାଏ। କିନ୍ତୁ ଏବେ ସମୁଦ୍ରର ଗଭୀର ଜଳରାଶିତଳେ ଦୁଇମାସରୁ ଊର୍ଦ୍ଧ୍ୱ ଦିନ ରହି ଫ୍ଲୋରିଡା ୟୁନିଭର୍ସିଟି ପ୍ରଫେସର ଓ୍ବାଲର୍‌ଡ ରେକର୍ଡ କରିଛନ୍ତି। ୟ୍ୟୁନିକ୍‌ ବାୟୋଲଜି ଷ୍ଟଡି ପାଇଁ ‘ପ୍ରୋଜେକ୍ଟ ନେପ୍‌ଚୁନ୍‌ ୧୦୦’ ପ୍ରୋଜେକ୍ଟ ଜରିଆରେ ପ୍ରଫେସର ଜୋଶେଫ ଡିଟୁରି ସମୁଦ୍ର ମଧ୍ୟକୁ ଓହ୍ଲାଇଛନ୍ତି।
କି ଲାର୍ଗୋରସ୍ଥିତ ଜୁଲ୍ସ ଅଣ୍ଡରସି ଲଜ୍‌ରେ ରହି ଜୋଶେଫ୍‌ ଏହି ଅଭିଯାନ ଚଳାଇଛନ୍ତି। ସୂଚନାନୁସାରେ, ସ୍ଥଳ ଭାଗରୁ ୩୦ ଫୁଟ ଗଭୀର ତଳେ ଏହି ଲଜ୍‌ ଅବସ୍ଥିତ। ସମୁଦ୍ର ତଳେ ୭୪ ଦିନ ରହି ରେକର୍ଡ କରିବା ପରେ ଜୋଶେଫ ଟୁଇଟରରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ କହିଛନ୍ତି, ଅନୁସନ୍ଧାନ କରିବାର ଦୃଢ଼ ଇଚ୍ଛା ତାଙ୍କୁ ଏଠାକୁ ନେଇ ଆସିଛି। କେବଳ ଆଗାମୀ ପିଢ଼ିଙ୍କ ପାଇଁ ନୁହେଁ, ସାରା ବିଶ୍ୱର ବୈଜ୍ଞାନିକମାନଙ୍କୁ ଅଣ୍ଡରସି ସମ୍ପର୍କରେ ଅଧ୍ୟୟନ କରିବା ପାଇଁ ଏହା ପ୍ରେରଣା ଯୋଗାଇବ। ଅଭିଯାନ ଶେଷ ହେବା ଲାଗି ଆଉ ୨୩ ଦିନ ବାକି ଅଛି। ମାର୍ଚ୍ଚ ୧ରେ ଜୋଶେଫ ସମୁଦ୍ର ମଧ୍ୟକୁ ଯାଇଥିବାବେଳେ ଜୁନ୍‌ ୯ରେ ଏହି ଅଭିଯାନ ଶେଷ ହେବ। ଜାଶେଫଙ୍କ ପୂର୍ବରୁ ଅନ୍ୟ ଦୁଇଜଣ ପ୍ରଫେସର ସମୁଦ୍ର ଜଳରେ ୭୩ ଦିନ ରହି ବିଶ୍ୱ ରେକର୍ଡ କରିଥିଲେ। ଅନ୍ୟପକ୍ଷେ ଜୋଶେଫଙ୍କ ଉପରେ ଏକ ଡାକ୍ତରି ଟିମ୍‌ ନଜର ରଖିଛି। ପ୍ରତ୍ୟେକ ଦିନ ସେ ରକ୍ତ ଓ ପରିସ୍ରା ନମୁନା ଉକ୍ତ ଟିମ୍‌କୁ ପଠାଉଛନ୍ତି। ସାଧାରଣ ବ୍ୟକ୍ତି ପାଣି ଭିତରେ ଏତେଦିନ ରହୁ ନ ଥିବାବେଳେ ଶରୀରିକ ଯାଞ୍ଚର ଆବଶ୍ୟକତା ଥିବା ଜୋଶେଫ କହିଛନ୍ତି। ଗଭୀର ସମୁଦ୍ରତଳେ ରହିବା ତାଙ୍କୁ ପସନ୍ଦ ଏବଂ ଏହା ତାଙ୍କୁ ଭଲ ଅନୁଭୂତି ଦେଇଥିବାବେଳେ ସେଠାରେ ରହି ଜୋଶେଫ୍‌ ସକଳ ଶକ୍ତିର ଆଧାର ସୂର୍ଯ୍ୟକୁ ଦେଖିପାରୁ ନ ଥିବା କହିଛନ୍ତି।

Share