୭୦ଲକ୍ଷ ଜୀବନ ନେଉଛି ବାୟୁ ପ୍ରଦୂଷଣ

ସୌର ଚନ୍ଦ୍ର ମହାପାତ୍ର

ବିଶ୍ୱରେ ବାୟୁ ପ୍ରଦୂଷଣ ଅଧିକ ଘାତକ ହେବାରେ ଲାଗିଛି। ପ୍ରତିବର୍ଷ ଏହା ଯୋଗୁ ପାଖାପାଖି ୭୦ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଆଗକୁ ମଧ୍ୟ ସ୍ଥିତି ସଙ୍ଗିନ ରହିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଡବ୍ଲ୍ୟୁଏଚ୍‌ଓ ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛି। ଛଅଟି ପ୍ରମୁଖ ପ୍ରଦୂଷଣ ସୃଷ୍ଟିକାରୀ କାରକ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେବ। ୨୦୦୫ରେ ଜାରି ହୋଇଥିବା ମାର୍ଗଦର୍ଶିକାଠାରୁ ଏହା କଠୋର ବୋଲି ଜଣାପଡ଼ିଛି। ଡବ୍ଲ୍ୟୁଏଚ୍‌ଓ ଦର୍ଶାଇଛି ଯେ, ବାୟୁ ପ୍ରଦୂଷଣ ଯେଉଁ ମାତ୍ରାରେ କ୍ଷତିକାରକ ବୋଲି ବିବେଚନା କରାଯାଉଛି, ତାହାଠାରୁ ଏହା ଅନେକ ଗୁଣା ଅଧିକ ହୋଇଯାଇଛି। ଏହା ଯୋଗୁ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବେ। କାରଣ ସେମାନଙ୍କୁ ଅର୍ଥନୈତିକ ବିକାଶ ପାଇଁ ଜୀବାଶ୍ମ ଇନ୍ଧନ ଉପରେ ଅଧିକ ନିର୍ଭରଶୀଳ ହେବାକୁ ପଡ଼ୁଛି। ଜୀବାଶ୍ମ ଇନ୍ଧନ ହିଁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ କରି ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ଏହି ପରିପ୍ରେକ୍ଷୀରେ ନଭେମ୍ବରରେ ହେବାକୁ ଥିବା ସିଓପି୨୬ ସମ୍ମିଳନୀ ପୂର୍ବରୁ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଅଙ୍ଗାରକ ନିର୍ଗମନ ମାତ୍ରା କମାଇବା ପାଇଁ ପଦକ୍ଷେପ ନେବାକୁ ୧୯୪ରାଷ୍ଟ୍ରଙ୍କୁ ଆହ୍ବାନ ଦେଇଛି ଡବ୍ଲ୍ୟୁଏଚ୍‌ଓ।
ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ ଆଢ଼ାନମ୍‌ କହିଛନ୍ତି, ବାୟୁ ପ୍ରଦୂଷଣ କମାଇବା ଲାଗି ଯେଉଁ ମାର୍ଗଦର୍ଶିକା ଜାରି କରାଯାଇଛି, ତାହାକୁ ଦେଶଗୁଡ଼ିକ ଠିକ୍‌ ଭାବେ ପାଳନ କରିବା ଜରୁରୀ। ଯଦି ଏଭଳି ନ ହୁଏ, ତେବେ ମାନବତା ପ୍ରତି ସାଙ୍ଘାତିକ ବିପଦ ସୃଷ୍ଟି ହେବ। ସଂଗଠନ ଦର୍ଶାଇଛି ଯେ, ୮୦% ବାୟୁ ପ୍ରଦୂଷଣଜନିତ ମୃତ୍ୟୁରେ ପିଏମ୍‌ ୨.୫ ଦାୟୀ। ତେଣୁ ଏହାକୁ ନେଇ ରହିଥିବା ନିୟମଗୁଡ଼ିକର ପାଳନକୁ ଦେଶଗୁଡ଼ିକ ସୁନିଶ୍ଚିତ କରିବା ଦରକାର। ପିଏମ୍‌ ୨.୫ ପାଇଁ ବାର୍ଷିକ ଏକ୍ୟୁଜି ସ୍ତର ବଜାୟ ରଖିବାରେ ଯଦି ରାଜ୍ୟଗୁଡ଼ିକ ସଫଳ ହୁଅନ୍ତି, ତା’ହେଲେ ପିଏମ୍‌ ୨.୫ ବିପଦକୁ ଏଡ଼ାଯାଇ ପାରନ୍ତା। ଏହି ପ୍ରଦୂଷଣ ସୃଷ୍ଟିକାରୀ କାରକ ଅତ୍ୟଧିକ କ୍ଷତିକାରକ, ଯାହା ଫୁସ୍‌ଫୁସ୍‌ରେ ଜମାହୋଇ ଶ୍ୱାସକ୍ରିୟାଜନିତ ସମସ୍ୟା ସୃଷ୍ଟି କରେ ଏବଂ ଲୋକଙ୍କୁ ମୃତ୍ୟୁ ଆଡ଼କୁ ଟାଣିନେଇଥାଏ। ଅନ୍ୟପକ୍ଷରେ ଭାରତ ଏହି ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବ ବୋଲି ଜଣାପଡ଼ିଛି। ଆଇଆଇଟି କାନପୁର ପ୍ରଫେସର ଏସ୍‌.ଏନ୍‌.ତ୍ରିପାଠୀ କହିଛନ୍ତି, ବାୟୁ ପ୍ରଦୂଷଣ ସାଙ୍ଘାତିକ ସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରୁଛି। ତେଣୁ ଡବ୍ଲ୍ୟୁଏଚ୍‌ଓର ସଦ୍ୟ ଗାଇଡ଼ ଲାଇନ ଏହା ଉପରେ ପୁଣି ଗୁରୁତ୍ୱ ଦେବା ପାଇଁ ବାଧ୍ୟ କରିଛି। ଭାରତର ବାୟୁ ମାନ ବଢ଼ାଇବା ନେଇ ଏବେ ସମୟ ଆସିଛି। ଏଥିପାଇଁ ଉପାୟ ବାହାର କରିବାକୁ ହେବ। ବାର୍ଷିକ ପିଏମ୍‌ ୨.୫ ପାଇଁ ଡବ୍ଲ୍ୟୁଏଚ୍‌ଓର ୨୦୦୫ ଗାଇଡ଼ଲାଇନରେ ୧୦ୟୁଜି/ଏମ୍‌୩ ମାନକ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଭାରତ ପାଇଁ ଏହାକୁ ୪୦ୟୁଜି/ଏମ୍‌୩ ମାନକ ଧାର୍ଯ୍ୟ ଲାଗି କୁହାଯାଇଥିଲା। ତଥାପି ଅଧିକାଂଶ ଭାରତୀୟ ସହର ଏହାକୁ ପାଳନ କରିବାରେ ବିଫଳ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୯ରୁ ଭାରତରେ ବାୟୁମାନ ସୂଚକାଙ୍କ ଉପରେ କାର୍ଯ୍ୟ କରାଯାଉଛି। ଏବେ ସଂଶୋଧିତ ଗାଇଡ଼ଲାଇନ ଉପରେ ଫୋକସ୍‌ କରାଯାଉଛି। ଆଗାମୀ ସାତ ବର୍ଷ ପାଇଁ ନୂଆ ନିୟମ ଜାରି କରାଯାଇପାରେ ବୋଲି ଆଶା। ଡବ୍ଲ୍ୟୁଏଚ୍‌ଓ କହିଛି ଯେ, ବାୟୁ ପ୍ରଦୂଷଣ ଯୋଗୁ ଲୋକଙ୍କଠାରେ ହୃଦ୍‌ରୋଗ ଓ ଫୁସ୍‌ଫୁସ୍‌ ଜନିତ ରୋଗ ବଢ଼ିବାରେ ଲାଗିଛି। ପିଏମ୍‌୨.୫ , ପିଏମ୍‌୧୦, ଓଜୋନ, ସଲଫର ଡାଇଅକ୍ସାଇଡ଼, ନାଇଟ୍ରୋଜେନ ଡାଇଅକ୍ସାଇଡ଼, କାର୍ବନ ମନୋକ୍ସାଇଡ଼ କବଳରେ ପଡ଼ି ଲୋକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି।
ବାୟୁ ପ୍ରଦୂଷଣ କାରଣରୁ କୋଭିଡ ଭୂତାଣୁ ଅନ୍ୟକୁ ସହଜରେ ସଂକ୍ରମିତ କରିପାରୁଛି। ବିଶେଷକରି ପାର୍ଟିକ୍ୟୁଲେଟ ମ୍ୟାଟର ବା ପିଏମ୍‌ ୨.୫ ସହିତ କରୋନା ଭୂତାଣୁ ଯୋଡ଼ି ହୋଇଯିବା କାରଣରୁ ଏହା ଦ୍ରୁତ ଗତିରେ ବାୟୁରେ ବ୍ୟାପୁଛି ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ତେଣୁ ଅଧିକ ପ୍ରଦୂଷଣ ଥିବା ସହରରେ ଅଧିକମାତ୍ରାରେ କୋଭିଡ଼ ବ୍ୟାପିଛି। ଏ ଦୃଷ୍ଟିରୁ ଦେଶର ଅନ୍ୟ ବଡ଼ ସହର ତୁଳନାରେ ଭୁବନେଶ୍ୱରରେ କମ୍‌ ପ୍ରଦୂଷଣ ପାଇଁ କୋଭିଡ ମୃତ୍ୟୁସଂଖ୍ୟା କମ୍‌ ରହିଥିବା ଅନୁମାନ କରାଯାଉଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ଆଇଆଇଟିଏମ୍‌ ପୁନେ, ଏନ୍‌ଆଇଟି ରାଉଲକେଲା ଓ ଆଇଆଇଟି ଭୁବନେଶ୍ୱରର ଛଅ ଜଣ ବୈଜ୍ଞାନିକ ଓ ଗବେଷକଙ୍କୁ ନେଇ ପ୍ରଦୂଷଣ ଓ କୋଭିଡ ସଂକ୍ରମଣ ସମ୍ପର୍କିତ ଏକ ଅଧ୍ୟୟନ କରାଯାଇଥିଲା। ଏହା ଏନ୍‌ସିଭିର ଜର୍ନାଲରେ ପ୍ରକାଶିତ ହୋଇଛି। ଧୂଳି, ଧୂଅଁା ଓ ଅନ୍ୟ ସାମଗ୍ରୀର ମିଶ୍ରଣ ହେଉଛି ପିଏମ୍‌। ଏହା ଭିନ୍ନ ଭିନ୍ନ ଆକୃତିର ହୋଇଥାଏ। ତେବେ ତହିଁରୁ ପିଏମ୍‌ ୨.୫ ସବୁଠାରୁ କ୍ଷୁଦ୍ର ହୋଇଥିବା ବେଳେ ଏହା ଶରୀରରେ ପ୍ରବେଶ କଲେ କର୍କଟ ରୋଗ ସୃଷ୍ଟି କରିପାରେ। ବାୟୁରେ ଏହା ଏକାଧିକ ଦିନ ରହିବା ସହିତ ସହଜରେ ଫୁସ୍‌ଫୁସ୍‌ରେ ମଧ୍ୟ ପ୍ରବେଶ କରିଥାଏ। ତେବେ ପିଏମ୍‌ ୨.୫ ସହିତ ଯୋଡ଼ିହୋଇ କରୋନା ଭୂତାଣୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଯାଇପାରୁଥିବାର ଏହି ଅଧ୍ୟୟନରୁ ପ୍ରମାଣ ମିଳିଛି। ଏ ଦୃଷ୍ଟିରୁ ମୁମ୍ବାଇ, ପୁଣେ, ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇରେ ଅଧିକ ସଂଖ୍ୟାରେ କୋଭଡ ମୃତ୍ୟୁ ହୋଇଥିବା କୁହାଯାଉଛି। ଗତବର୍ଷ ମାର୍ଚ୍ଚରୁ ନଭେମ୍ବର ମଧ୍ୟରେ ଏହି ଅଧ୍ୟୟନ କରାଯାଇଥିଲା। ଏପ୍ରିଲରେ ଭୁବନେଶ୍ୱରରେ ପ୍ରଦୂଷଣ ମାତ୍ରା ଅଧିକ ରହିଥିଲା। ଅନ୍ୟ ମାସଗୁଡ଼ିକରେ ଏହା ସନ୍ତୋଷଜନକ ରହିଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଅନ୍ୟ ସହରଗୁଡ଼ିକ ତୁଳନାରେ ଭୁବନେଶ୍ୱର ଅଧିକ ମାତ୍ରାରେ ପ୍ରଦୂଷିତ। ଏ ଦୃଷ୍ଟିରୁ ରାଜଧାନୀରେ କୋଭିଡ଼ ଅନ୍ୟ ସହର ତୁଳନାରେ ଅଧିକ ମାତ୍ରାରେ ବ୍ୟାପିଥିଲା। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ଗୋଷ୍ଠୀ ସଂକ୍ରମଣ କହୁଛନ୍ତି। ମାତ୍ର ଏହି ଅଧ୍ୟୟନରେ ଏହା ପ୍ରଦୂଷଣ ଯୋଗୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥିବା ନଜରକୁ ଆସିଛି। ରାଜ୍ୟର ଅନ୍ୟ ଜିଲାରେ ଲୋକଙ୍କ ଠାରୁ ଲୋକଙ୍କ ସଂକ୍ରମଣ ବ୍ୟାପିଥିବା ବେଳେ ରାଜଧାନୀରେ ପ୍ରଦୂଷଣ ପାଇଁ ଅଧିକ ସଂକ୍ରମଣ ବ୍ୟାପିଛି ବୋଲି ସନ୍ଦେହ କରାଯାଉଛି।
ବରିଷ୍ଠ ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ, ମୋ :୯୪୩୭୦୦୪୪୬୬


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri