ଓଡ଼ିଶାରେ ୫-ଜି ସେବା ଆରମ୍ଭ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଆଜିଠୁ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌କୁ ଅନୁମତି ମିଳିଛି । ପ୍ରଥମେ ରାଜ୍ୟର ମୁଖ୍ୟ ସହରରେ ୫-ଜି ନେଟ୍‌ଓ୍ବାର୍କ ସୁବିଧା ଉପଲବ୍ଧ ହେବ। ପରେ ଏହା ଗ୍ରାମାଞ୍ଚଳରେ ମଧ୍ୟ ଉପଲବ୍ଧ ହେବ।

ପ୍ରଥମେ ଜିଓ ଏବଂ ଏୟାରଟେଲ ପକ୍ଷରୁ ଭୁବନେଶ୍ୱର ଓ କଟକରେ ଏହି ସେବା ଆରମ୍ଭ ହୋଇଛି। ଜିଓ କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ ୫-ଜି ଆରମ୍ଭ କରିବ । ୫-ଜି ସେବା ଯୋଗାଇଦେବାକୁ ରାଜ୍ୟରେ ୫୧୦ଟି ବିଟିଏସ୍‌ ଲଗାଯାଇଛି। ୪-ଜି ତୁଳନାରେ ଏହାର ଇଣ୍ଟରନେଟ୍‌ ସ୍ପିଡ୍‌ ୧୦ ଗୁଣ ଅଧିକ ରହିବ। ଡାଉନଲୋଡିଂ, ସର୍ଫିଂର ସ୍ପିଡ ଅଧିକ ରହିବ । ଶିକ୍ଷା, ସ୍ବାସ୍ଥ୍ୟ, ନିର୍ମାଣ ଓ ବ୍ୟାଙ୍କିଂ କ୍ଷେତ୍ରରେ ଏହା ଅନେକ ଲାଭପ୍ରଦ ହେବ।

କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଖୁବ୍‌ଶୀଘ୍ର ଓଡ଼ିଶାରେ ମୋଟ୍‌ ୫୦୦୦ ଟାଓ୍ବାର ସ୍ଥାପନ ହେବ। ଆଜି ୧୦୦ଟି ଟାଓ୍ବାର ଆରମ୍ଭ ହୋଇଛି। ସେଥିମଧ୍ୟରୁ କଳାହାଣ୍ଡିରେ ୧୯, କନ୍ଧମାଳରେ ୧୨, ମାଲକାନଗିରିରେ ୨୫, କୋରାପୁଟରେ ୮, ନବରଙ୍ଗପୁର, ନୂଆପଡ଼ା ଏବଂ ରାୟଗଡ଼ାକୁ ମିଶାଇ ମୋଟ୍‌ ୧୦୦ଟି ଟାଓ୍ବାର ଉଦ୍‌ଘାଟିତ ହୋଇଛି। ପ୍ରତିମାସରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।