୫ ହାଇସ୍କୁଲ କର୍ମଚାରୀଙ୍କ ଦରମା ବନ୍ଦ

ପାଟଣା/କେନ୍ଦୁଝର,୯ା୧(ସ୍ବ. ପ୍ର): ଦୀର୍ଘ ମାସ ପରେ ଶୁକ୍ରବାର ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ହାଇସ୍କୁଲ ଖୋଲିଛି। ମାତ୍ର ବିଦ୍ୟାଳୟ ଆରମ୍ଭରୁ କୋଭିଡ୍‌ ଗାଇଡ୍‌ଲାଇନ ଉଲ୍ଲଂଘନ କାରଣରୁ କେନ୍ଦୁଝର ଜିଲା ଶିକ୍ଷାଅଧିକାରୀ ସଂଗ୍ରାମ ସାହୁ ୫ ହାଇସ୍କୁଲ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାର ପାଟଣା ବ୍ଲକ ଅଧୀନ ୪ ଓ ସଦର ବ୍ଲକ ଅଧୀନ ଗୋଟିଏ ହାଇସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଶିକ୍ଷାଧିକାରୀ ସାହୁ କହିଛନ୍ତି। କଟକଣା ଉଲ୍ଲଂଘନ କରିଥିବା ହାଇସ୍କୁଲଗୁଡ଼ିକ ହେଲା ଖିରେଇଟାଙ୍ଗିରି ଉଚ୍ଚ ବିଦ୍ୟାଳୟ, ଯମୁନା ପଶିର ବିଶୋଇପାଟ ଉଚ୍ଚ ବିଦ୍ୟାଳୟ, ଡେଣୁଆର ଝାଲମଣି ହାଇସ୍କୁଲ, ବଲାଣିପଶିର ପି.ଏମ୍‌.ବି ହାଇସ୍କୁଲ ଓ ସଦର ବ୍ଲକ ଅଧୀନ ଝାଡ଼ବେଲଦା ହାଇସ୍କୁଲ। ଜିଲା ଶିକ୍ଷାଅଧିକାରୀ ସାହୁ ଓ ଡିପିସି ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଜିଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ବେଳେ ଉକ୍ତ ବିଦ୍ୟାଳୟଗୁଡ଼ିକର ପରିବେଶ ସଫାସୁତରା ନ ଥିବା, ଅଭିବାବକଙ୍କ ଅଣ୍ଡର ଟେକିଙ୍ଗ ସଂଗ୍ରହ କରାଯାଇ ନ ଥିବା ଓ ସାନିଟାଇଜର ବ୍ୟବହାର କରାଯାଉ ନ ଥିତ୍ବା ଦେଖିବାକୁ ପାଇଥିଲେ ବୋଲି ସୂଚନା ଦେଇଛନ୍ତି।