ଭୁବନେଶ୍ୱର,୩୧।୧୨ (ଅଭୟ ଦାଶ): ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସବୁ ବର୍ଗର ଗ୍ରାହକ ଅନ୍ଲାଇନ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭକରି ଖାଦ୍ୟ ପଦାର୍ଥ ପର୍ଯ୍ୟନ୍ତ ଅର୍ଡର କରୁଛନ୍ତି। ଏପରିକି ଭୁବନେଶ୍ୱରବାସୀ ୨୦୨୪ରେ ୪,୪୯,୦୨୨ ଚିକେନ ବିରିୟାନି ଅର୍ଡର କରିଥିଲାବେଳେ ଅନ୍ଲାଇନ ମାଧ୍ୟମରେ ଅନ୍ୟାନ୍ୟ ଖାଦ୍ୟ ତୁଳନାରେ ସର୍ବାଧିକ ଗ୍ରାହକ ବିରିୟାନି ଅର୍ଡର କରିଛନ୍ତି। ସେହିଭଳି ଏହି ସମୟ ମଧ୍ୟରେ ଡିନର ପାଇଁ ୧୪ ଲକ୍ଷ ଅର୍ଡର ହୋଇଥିଲାବେଳେ ଚୋକୋଲାଭା କେକ୍ ପାଇଁ ୨୨,୭୪୩ ଅର୍ଡର ହୋଇଛି। ଏପରିକି ୮,୨୫୫ରୁ ଅଧିକ ଏଗ୍ଲେସ୍ ଚକୋଲେଟ୍ କେକ୍ ଅର୍ଡର ହୋଇଥିବାବେଳେ ୧୯,୫୬୦ ଟଙ୍କା ମୂଲ୍ୟର ସର୍ବବୃହତ୍ ସିଙ୍ଗଲ ଅର୍ଡର କରାଯାଇଛି। ଯେଉଁଥିରେ ହୁନାନ ଚିଙ୍ଗୁଡ଼ି, ପାନ୍ ଫ୍ରାଏଡ୍ ଚିଲି ଫିସ, ହାକ୍କା ନୁଡଲ୍ସ ସମେତ ୩୭ ପ୍ରକାରର ବିଦେଶୀ ଚାଇନିଜ୍ ବ୍ୟଞ୍ଜନ ସାମିଲ ରହିଛି। ଏ ସମ୍ପର୍କରେ ସ୍ବିଗି ଫୁଡ୍ ମାର୍କେଟପ୍ଲେସ୍ର ମୁଖ୍ୟ ବ୍ୟବସାୟ ଅଧିକାରୀ ସିଦ୍ଧାର୍ଥ ଭାକୁ କହିଛନ୍ତି, ଭୁବନେଶ୍ୱରବାସୀ ସ୍ବିଗିର ସୁବିଧାକୁ ଗ୍ରହଣକରି ଆମକୁ ସେମାନଙ୍କର ପ୍ରତ୍ୟେକ ଉତ୍ସବରେ ସାମିଲ କରିଛନ୍ତି। ଏପରିକି ଆମେ ଏହି ଯାତ୍ରାର କେନ୍ଦ୍ରରେ ରହି ଗର୍ବ ଅନୁଭବ କରୁଛୁ। ଏହା ସହ ସମଗ୍ର ଭାରତରେ ଅନେକ ଲକ୍ଷ ଲୋକଙ୍କୁ ସେମାନଙ୍କର ପ୍ରିୟ ରୋଷେଇର ଆନନ୍ଦ ନେବାରେ ସାହାଯ୍ୟ ମଧ୍ୟ କରୁଛୁ। ସୁବିଧା ପ୍ରଦାନ କରିବାର ପ୍ରତିଶ୍ରୁତି ସହ ଆମେ ଦେଶର କୋଣ ଅନୁକୋଣରେ ଅସାଧାରଣ ଖାଦ୍ୟ ଅନୁଭୂତି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ। ସେହିପରି ଫୁଡ୍ ଡେଲିଭରି ପ୍ଲାଟ୍ଫର୍ମ ସ୍ବିଗି ପକ୍ଷରୁ ନିକଟରେ ପ୍ରକାଶିତ ଏକ ସର୍ଭେ ରିପୋର୍ଟରୁ ଉପରୋକ୍ତ ସମସ୍ତ ତଥ୍ୟ ଜଣାପଡ଼ିଛି। ବିଶେଷକରି ସ୍ବାଦିଷ୍ଟ ଚିକେନ୍ ବିରିୟାନି ଏବଂ ଚିକେନ୍ ଗ୍ରେଭିଠାରୁ ଆରମ୍ଭକରି ଚିକେନ୍ ରୋଲ୍ସ ଏବଂ ଚିକେନ୍ ମୋମୋସ୍ ଭଳି ସ୍ଥାନୀୟ ପସନ୍ଦଗୁଡ଼ିକ ସହରବାସୀଙ୍କ ଖାଦ୍ୟ ତାଲିକାର ଶୀର୍ଷରେ ରହିଛି।

