ବାଳିଆ ମାଛ ଧରିବାକୁ ପକାଇଥିଲେ ବନିସୀ, ଲାଗିଲା ସାଢ଼େ ଚାରି ଫୁଟିଆ କୁମ୍ଭୀର: ଚିକିତ୍ସା ପରେ ଉଦ୍ଧାର କଲା…

ଆଳି,୨୧।୧୧(ବନମାଳୀ ସେନାପତି ): ନଦୀରେ ମାଛ ଧରିବା ପାଇଁ ପକାଯାଇଥିବା ବନିସୀ କଣ୍ଟାରେ ମାଛ ବଦଳରେ ଲାଗିଛି ଏକ ସାଢ଼େ ଚାରି ଫୁଟିଆ କୁମ୍ଭୀର। କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ପାଞ୍ଚଣପଡ଼ା ନିକଟରେ ପ୍ରବାହିତ କାଣୀ ନଦୀର ଗଜିଆଗଣ୍ଡ ତୁଠରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖବର ପାଇ ବନବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗର ମିଳିତ ଉଦ୍ୟମରେ କୁମ୍ଭୀରଟିକୁ ଉଦ୍ଧାର କରାଯାଇ ଚିକିତ୍ସା ପରେ ରାଜନଗର ନିଆଯାଇଛି।

ସୂଚନା ଅନୁଯାୟୀ, ପାଞ୍ଚଣପଡ଼ା ଗ୍ରାମର ଜଣେ ବ୍ୟକ୍ତି ବାଳିଆ ମାଛ ଧରିବା ଉଦ୍ଦେଶ୍ୟରେ କାଣୀ ନଦୀର ଗଜିଆଗଣ୍ଡ ତୁଠରେ ବନିସୀ କଣ୍ଟା ପକାଇଥିଲେ। ତେବେ କଣ୍ଟାରେ ମାଛ ବଦଳରେ ଏକ ସାଢ଼େ ଚାରି ଫୁଟ ଲମ୍ବର କୁମ୍ଭୀର ଲାଗିଥିବା ଦେଖି ସେ ଭୟଭୀତ ହୋଇ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ।

ଖବର ପାଇ ଆଳି ବନବିଭାଗର ବନରକ୍ଷୀ ଲକ୍ଷ୍ମୀପ୍ରିୟା ଖଟୁଆ ଏବଂ ନିହାର ସାମଲ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆଳି ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ଏହାପରେ ରାଜନଗର ବନବିଭାଗର ବନପାଳ ବିଭୂତି ଭୂଷଣ ତରାଇ ଆଳିରେ ପହଞ୍ଚିଥିଲେ।

ଆଳି ପ୍ରାଣୀ ଚିକିତ୍ସା ବିଭାଗର ଡାକ୍ତର ସତ୍ୟବ୍ରତ ଦାସ ଏବଂ ରଞ୍ଜନ ସ୍ୱାଇଁଙ୍କ ସହାୟତାରେ କୁମ୍ଭୀରଟିର ଆବଶ୍ୟକୀୟ ଚିକିତ୍ସା କରାଯାଇଥିଲା। ପ୍ରାଣୀ ଚିକିତ୍ସକମାନେ ସାବଧାନତାର ସହ କୁମ୍ଭୀର ପାଟିରୁ ବନିସୀ କଣ୍ଟା ବାହାର କରିବା ପରେ ରାଜନଗର ବନବିଭାଗ ଟିମ୍ କୁମ୍ଭୀରଟିକୁ ନିଜ ହେପାଜତକୁ ନେଇ ରାଜନଗର ଅଭିମୁଖେ ଯାଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share