ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ରାଜ୍ୟର ଏକ ପୁରାତନ ବନଖଣ୍ଡ । ଏହି ବନଖଣ୍ଡ ୧୮୩୦ ମସିହାରେ ବ୍ରିଟିଶ ଶାସକମାନେ ସ୍ଥାପନ କରିଥିଲେ। ରାଜ୍ୟରେ ଘଞ୍ଚ ଜଙ୍ଗଲ ପାଇଁ ଏହି ବନଖଣ୍ଡ ପରିଚିତ। ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ବିଭାଗୀୟ କର୍ମଚାରୀ ଏବଂ ବନ ସୁରକ୍ଷା ସମିତି କର୍ମକର୍ତ୍ତା ମଧ୍ୟରେ ଉତ୍ତମ ବୁଝାମଣା ପାଇଁ ଅନେକ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷିତ ଅଛନ୍ତି । ଆଉ କିଛି ସ୍ଥାନରେ ସମନୟ ଅଭାବ ପାଇଁ ବନ୍ୟପ୍ରାଣୀ ଶିକାର ଓ କାଠ ଚୋରୀ ମଧ୍ଯ ହେଉଛି। ତଥାପି ଏହା ବହୁପରିମାଣରେ ପୂର୍ବ ଅପେକ୍ଷା କମିଯାଇଛି।
ଯେଉଁଥି ପାଇଁ ଏହି ବନଖଣ୍ଡରେ ବିଗତ କିଛି ବର୍ଷ ହାତୀପଲ ପଡୋଶୀ ବନଖଣ୍ଡକୁ ପ୍ରାୟ ଯାଉନାହାନ୍ତି। ହରିଣ, ବାରହା ସଂଖ୍ୟା ବହୁପରିମାଣରେ ବଢ଼ିଯାଇଛି । ଏହିଭଳି ପରିସ୍ଥିତିରେ ଉକ୍ତ ବନ୍ୟପ୍ରାଣୀଙ୍କ ପାଇଁ ଆବଶ୍ୟକ ଖାଦ୍ୟ ସଂରକ୍ଷଣ କରି ରଖିବା ଏବଂ ପାଣି ସୁବିଧା
ପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଚଳିତ ବର୍ଷ ଏହି ବନଖଣ୍ଡ ପକ୍ଷରୁ ଲୋକଙ୍କୁ ମାଗଣାରେ ୧୮ ଲକ୍ଷ ଚାରା ବଣ୍ଟନ କରିବା ଲକ୍ଷ୍ୟ ରଖାଯାଇଛି। ଏଥିସହ ଵିଭାଗ ପକ୍ଷରୁ ପଥ ପାର୍ଶ୍ୱ ବନୀକରଣ ୩୮ କିମି ଲକ୍ଷ୍ୟ ରଖାଯାଇଛି । ୭୦ ହେକ୍ଟର ଜଙ୍ଗଲରେ କେବଳ ଫଳନ୍ତି ଗଛ ଲାଗିବ। ୯୭୦ ହେକ୍ଟର ଖୋଲା ଜଙ୍ଗଲରେ ଚାରା ରୋପଣ ହେବ। ସହରାଞ୍ଚଳ ବନୀକରଣ ଯୋଜନାରେ ୨୦ ହଜାର ଚାରା ଲାଗିବ।
ଵିଭାଗ ପକ୍ଷରୁ ଯେତିକି ଚାରା ଲାଗିବ ସେଥିରେ ୪୦ ପ୍ରତିଶତ ଚାରା କେବଳ ବନ୍ୟପ୍ରାଣୀଙ୍କ ଖାଦ୍ଯ ଲକ୍ଷ୍ୟରେ ରୋପଣ କରାଯିବ। ଔଷଧୀୟ ବୃକ୍ଷ, ଫଳନ୍ତି ଗଛ ଏବଂ ଏହି ଅଞ୍ଚଳର ଜଳଵାୟୁ ସହ ଖାପ ଖୁଆଇଲା ଭଳି ଚାରା ଲାଗିବ। ଜଙ୍ଗଲରେ ଫଳନ୍ତି ଗଛ ଏବଂ ପାଣି ଅଭାବ ଯୋଗୁଁ ଅନେକ ସମୟରେ ବନ୍ୟପ୍ରାଣୀ ଗ୍ରାମ ଅଭିମୁଖେ ଚାଲି ଆସି ବିପଦରେ ପଡୁଛନ୍ତି । ଭବିଷ୍ୟତରେ ଏହାର ପୁନରାବୃତ୍ତି ଯେଭଳି ନହେବ ସେଥିପାଇଁ ଵିଭାଗ ପକ୍ଷରୁ ଫଳନ୍ତି ଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିସହ ଜଙ୍ଗଲ ଭିତରେ ପର୍ଯ୍ୟାପ୍ତ ପାଣି ବ୍ୟବସ୍ଥା କରାଯାଉଛି । ତେଣୁ ଚଳିତ ବର୍ଷ ଜଙ୍ଗଲରେ ଅନେକ ପୋଖରୀ ଖୋଳା ଯାଇଛି । ଚେକ୍ ଡ୍ୟାମ ମଧ୍ଯ ନିର୍ମାଣ ହୋଇଛି।
ଜୁଲାଇ ପହିଲାରୁ ବନମହୋତ୍ସବ ସପ୍ତାହ ପାଳନ ହେବ। ସେହି ସମୟରେ ଲୋକଙ୍କୁ ଚାରା ବଣ୍ଟନ ସହ ବିଭାଗ ପକ୍ଷରୁ ଜଙ୍ଗଲ ମଧ୍ୟରେ ଚାରା ରୋପଣ କରାଯିବ। ଏଥିପାଇଁ ମୁଜାଗଡ, କେନ୍ଦ୍ରୀୟ ବନାଞ୍ଚଳ, ତାରସିଂ, ଗାଲେରି ଓ ଜଗନ୍ନାଥପ୍ରସାଦ ରେଞ୍ଜର ବିଭିନ୍ନ ନର୍ସରୀରେ ଚାରା ମହଜୁଦ୍ କରି ରଖାଯାଇଛି। ଡିଏଫ୍ ଓ ହିମାଂଶୁ ଶେଖର ମହାନ୍ତି, ଏ ସି ଏଫ୍ ବିବେକ ଦାସ, ବିମଳ କୁମାର ପ୍ରଧାନ, ରେଞ୍ଜର ବିମ୍ବାଧର ସାହୁ, ପୃଥିବୀ ରାଜ ପ୍ରଧାନ, ପ୍ରଶାନ୍ତ କୁମାର ବେହେରା, ସୁଜାତା ରାଣୀ ପଣ୍ଡା ନିୟମିତ ବିଭିନ୍ନ ନର୍ସରି ପରିଦର୍ଶନ କରି ଚାରାର ସ୍ଥିତି ସମୀକ୍ଷା କରୁଛନ୍ତି। ଘୁମୁସର ଉତ୍ତର ବନଖଣ୍ଡର ଭୌଗଳିକ ପରିସୀମା ୨୩୬୦.୨୧୭ ବର୍ଗ କିଲୋମିଟର । ସେଥିମଧ୍ୟରେ ୯୪୮ ବର୍ଗ କିଲୋମିଟର ଅଞ୍ଚଳରେ ବିଭିନ୍ନ ପ୍ରକାର ଜଙ୍ଗଲ ଅଛି।
୨୦୨୫-୨୬ ଆର୍ଥିକ ବର୍ଷରେ ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ୨୨ ବର୍ଗ କିଲୋମିଟର ଜଙ୍ଗଲ ବଢ଼ିଛି । ଯାହାକି ଅଞ୍ଚଳବାସୀଙ୍କ ଖୁସିର ଖବର। ସେହିଭଳି ଘୁମୁସର ଦକ୍ଷିଣ ବନଖଣ୍ଡରେ ମଧ୍ଯ ୧୬ ଲକ୍ଷ ୬୦ ହଜାର ଚାରା ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୫୫୦ ହେକ୍ଟର ଜଙ୍ଗଲରେ ବିଭିନ୍ନ ଚାରା ରୋପଣ କରାଯିବ। ଡିଏଫଓ ଭିପାଶା ପାରୁଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସିଏଫ୍ ପ୍ରଦୀପ କୁମାର ବେହେରା ସମେତ ବୁଗୁଡ଼ା ରେଞ୍ଜର ମାନସ ସାହୁ, ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ତା, ସୋରଡ଼ା ରେଞ୍ଜର ନିହାର ରଞ୍ଜନ ମଲ୍ଲିକ, ବଡ଼ଗଡ଼ ରେଞ୍ଜର ଅଞ୍ଜନ କୁମାର ନାୟକ, ପୋଲସରା ରେଞ୍ଜର ଅନୀଲ କୁମାର ପଣ୍ତା ନିୟମିତ ବିଭିନ୍ନ ନର୍ସରି ପରିଦର୍ଶନ କରି ଚାରାର ସ୍ଥିତି ସମୀକ୍ଷା କରୁଛନ୍ତି ।