୩୫କେଜି ଚାଉଳ ହିଁ ସାହା ଭରସା

କୋକସରା, ୨।୮(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବାରିଆ ଗାଁର ଅସହାୟ ଦମ୍ପତି ଧନେଶ୍ୱର ରାଉତ ଓ ସପୁର ରାଉତ। ସେମାନଙ୍କ ଝିଅ ପୁଅ କିମ୍ବା ଆତ୍ମୀୟ କେହି ନାହାନ୍ତି । ବଳ ବୟସ ଥିବାବେଳେ କୁଲି ମଜୁରୀ କରି ଚଳି ଯାଉଥିଲେ । ଏବେ ରୋଗାକ୍ରାନ୍ତ ହେବା ପରେ ଦୁହେଁ ଅସହାୟ ଅବସ୍ଥାରେ ବଞ୍ଚୁଛନ୍ତି। ଆଜିକୁ ପ୍ରାୟ ୧ ବର୍ଷ ହେବ ଧନେଶ୍ୱରଙ୍କ ଶରୀର ଦୁର୍ବଳ ହେବା ସହ ଦୃଷ୍ଟି ଶକ୍ତି କମି ଯାଇଛି। ସ୍ତ୍ରୀ ସପୁରଙ୍କ ଗୋଡ ଫୁଲିଛି। ଠିକ୍‌ ଭାବେ ସେ ଚଲାବୁଲା କରି ପାରୁ ନାହାନ୍ତି। ପାଖ ଡାକ୍ତରଖାନାରୁ ଔଷଧ ଆଣି ଖାଇବା ପରେ ବି ଦୁହେଁ ସୁସ୍ଥ ହୋଇନାହାନ୍ତି। ଅନ୍ୟ ଡାକ୍ତରଖାନା ଯିବାକୁ ସେମାନଙ୍କ ପାଖରେ ଟଙ୍କା ନାହିଁ । ତେଣୁ ଭାଗ୍ୟକୁ ଆଦରି ଦୁହେଁ ଘରେ ପଡି ରହିିଛନ୍ତି ।
ଖାଦ୍ୟ ସୁରକ୍ଷା ଯୋଜନାର ମିଳୁଥିବା ମାସିକ ୩୫ କେଜି ଚାଉଳରେ ସେମାନେ ଚଳୁଛନ୍ତି। ଧନେଶ୍ୱରଙ୍କୁ ୬୦ ବୟସ ହୋଇଥିଲେ ବି ଆଧାର ଓ ଭୋଟ୍‌ର କାର୍ଡରେ ବୟସ ତ୍ରୁଟି ରହିଛି। ସେଥିପାଇଁ ସେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚତ୍ତ ହୋଇଥିବା କହିଛନ୍ତି । ୨ ବର୍ଷ ତଳେ ଧନେଶ୍ୱରଙ୍କ ନାମରେ ଆବାସ ଘର କାର୍ଯ୍ୟାଦେଶ ମିଳିଥିଲା। ହେଲେ ଯେଉଁ ଠିକାଦାର କାମ ନେଇଥିଲେ ସେ ଅଧ ପନ୍ତରିଆ କରି ଛାଡି ଚାଲିଯାଇଛନ୍ତି। ଫଳରେ ଏହି ଦମ୍ପତି ମାଟି କୁଡ଼ିଆରେ ରହୁଛନ୍ତି । ରାଜ୍ୟ ସରକାର ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ପ୍ରଚଳନ କରିଛନ୍ତି। ହେଲେ ଏହି ଦମ୍ପତିଙ୍କୁ ସେହି ସୁବିଧା ମିଳିନାହିଁ। ଅବଶ୍ୟ ତାଙ୍କୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା କାର୍ଡ ମିଳିଛି । ହେଲେ ସେହି ଯୋଜନା କାମ କରୁ ନ ଥିବାରୁ ଏହି ଦମ୍ପତି ଆବଶ୍ୟକ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ନିମନ୍ତେ ସରକାର ସହାୟତା ଓ ଚଳିବା ପାଇଁ ଭତ୍ତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଟେମରା ସରପଞ୍ଚ ଗୌରୀ ଦଳପତିଙ୍କୁ ପଚାରିବାରୁ ଭତ୍ତା ପାଇଁ ଆବେଦନ କରାଯାଇଛି, ସେମାନଙ୍କ ଚିକିତ୍ସା ପାଇଁ ବିଡିଓଙ୍କ ସହିତ ଆଲୋଚନା କରି ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।