ଶରଧାବାଲିରେ ଲାଗିଲା ୩ ରଥ

ପୁରୀ ଅଫିସ,୧୨।୭: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ୩ ରଥ। ଅପରାହ୍ନ ୪.୩୦ରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚି ଥିବା ବେଳେ ୫ଟାରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିଥିଲା। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ୫ଟା ୩୦ରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି।

ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ଅନୁଯାୟୀ, ଭୋର ସାଢେ ୪ଟାରୁ ରଥଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା । ପହଣ୍ଡି ବିଜେ ୭ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟା ପୂର୍ବରୁ ଶେଷ ହୋଇଥିଲା। ଏହା ପରେ ରଥାରୁଢ ଶ୍ରୀଜିଉମାନଙ୍କୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଥିଲେ । ସେହିପରି ଗଜପତି ମହାରାଜ ୩ ରଥରେ ଛେରାପହଁରା ନୀତି ଶେଷ କରି ଶ୍ରୀନଅରକୁ ଫେରିଥିଲେ। ପରେ ବିନା ଭକ୍ତରେ ସେବାୟତମାନେ ରଥ ଟାଣି ଥିଲେ । ଆଧ୍ୟାତ୍ମିକ ପରିବେଶରେ ଆଗେ ଆଗେ ତାଳଧ୍ୱଜରେ ବଳଭଦ୍ର ବାହାରିଥିବା ବେଳେ ମଝିରେ ଦର୍ପଦଳନରେ ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ନନ୍ଦିଘୋଷରେ ବାହାରିଥିଲେ। କୋଭିଡ କଟକଣାରେ ରଥ ଟଣା କାର୍ଯ୍ୟ ଶେଷ ହୋଇଛି।