Categories: ଖେଳ

୩ ଦିନିଆ ଅଭ୍ୟାସ ମ୍ୟାଚ୍‌: ଭାରତ ବିପକ୍ଷରେ ଖେଳିଲେ ଆଭେସ, ଓ୍ବାଶିଂଟନ

ଡରହାମ,୨୧।୭: ଚେଷ୍ଟର-ଲି- ଷ୍ଟ୍ରିଟ୍‌ସ୍ଥିତ ରିଭରସାଇଡ ଗ୍ରାଉଣ୍ଡରେ ଭାରତ ଓ ଫାଷ୍ଟକ୍ଲାସ କାଉଣ୍ଟି ଏକାଦଶ ଟିମ୍‌ ମଧ୍ୟରେ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆଶ୍ଚର୍ଯ୍ୟଜନକ ଭାବେ ଦୁଇ ଭାରତୀୟ ଖେଳାଳି ଆଭେସ ଖାଁ ଓ ଓ୍ବାଶିଂଟନ ସୁନ୍ଦର ଭାରତ ବିପକ୍ଷରେ ଘରୋଇ ଦଳ ତରଫରୁ ଖେଳିବା ପାଇଁ ପଡିଆକୁ ଓହ୍ଲାଇଛନ୍ତି। ତେବେ ୯.୫ ଓଭର ବୋଲିଂ କରିବା ପରେ ଆଭେସ ବୁଢା ଆଙ୍ଗୁଠିରେ ଆଘାତ ପାଇଥିଲେ ଓ ସେ ଏହି ମ୍ୟାଚ୍‌ରେ ଆଉ ନ ଖେଳିବା ଆଶା କରାଯାଉଛି। ଘରୋଇ ଦଳରେ କେତେଜଣ ଖେଳାଳି କୋଭିଡ୍‌-୧୯ କାରଣରୁ ଆଇସୋଲେଶନରେ ରହିଛନ୍ତି। ଫଳରେ ଆଭେସ ଓ ସୁନ୍ଦରଙ୍କୁ ଭାରତ ବିପକ୍ଷରେ ଖେଳିବାର ସୁଯୋଗ ମିଳିଥିଲା। ଦୁଇଜଣ ଖେଳାଳିଙ୍କୁ ଛାଡିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଅନୁରୋଧ କରିଥିଲା। ଫଳରେ ଏହି ଦୁଇଜଣ କାଉଣ୍ଟି ଦଳରେ ସାମିଲ ହୋଇଥିଲେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି।
ଅଭ୍ୟାସ ମ୍ୟାଚ୍‌ରେ ନିଜ ଦଳ ବିପକ୍ଷରେ ଖେଳିବା ଘଟଣା ଆଦୌ ନୂଆ ନୁହେଁ। ପୂର୍ବରୁ ୧୯୮୭ରେ ବ୍ରାବୋର୍ନ ଷ୍ଟାଡିୟମରେ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ୧୪ ବର୍ଷୀୟ ସଚିନ ତେନ୍ଦୁଲକର ଇମ୍ରାନ ଖାଁଙ୍କ ପାକିସ୍ତାନ ତରଫରୁ ଭାରତ ବିପକ୍ଷରେ ଫିଲ୍ଡିଂ କରିଥିଲେ। ବଲ ବୟ ଭାବେ ସଚିନ ବାଉଣ୍ଡାରିରେ ଥିଲେ। ଅବଦୁଲ କାଦିର ନ ଥିବାରୁ ସଚିନ ପାକିସ୍ତାନ ପାଇଁ ଫିଲ୍ଡିଂ କରିଥିଲେ। ସଚିନ କପିଳ ଦେବଙ୍କ କ୍ୟାଚ୍‌ ଧରିବାକୁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ।

Share