Categories: ଖେଳ

ସାବାଲେଙ୍କାଙ୍କୁ କ୍ରମାଗତ ୩ ଟାଇଟଲ

ଆବୁଧାବି, ୧୪।୧(ଏପି)- ଆବୁଧାବି ଓପନ ଫାଇନାଲରେ ଭେରୋନିକା କୁଦର୍ମେଟୋଭାଙ୍କୁ ୬-୨, ୬-୨ ସେଟ୍‌ରେ ହରାଇ ଆର୍ୟନା ସାବାଲେଙ୍କା ଟାଇଟଲ ହାସଲ କରିଛନ୍ତି। ଆବୁଧାବି ଟୁର୍‌ରେ କ୍ରମାଗତ ୩ ଟାଇଟଲ ଜିତି ହ୍ୟାଟ୍ରିକ ଅର୍ଜନ କରିଛନ୍ତି ଏହି ବେଲାରୁଷ ମହିଳା ଖେଳାଳି। ଏଥିସହ ସେ କ୍ରମାଗତ ୧୫ ମ୍ୟାଚ ଜିତିବାର ମଧ୍ୟ ସୌଭାଗ୍ୟ ପାଇଛନ୍ତି। ଗତ ସିଜନ ଶେଷରେ ୪ର୍ଥ ସିଡ୍‌ ସାବାଲେଙ୍କା ପୂର୍ବରୁ ଓଷ୍ଟ୍ରାଭା ଓ ଲିଞ୍ଜ୍‌ରେ ଇନ୍‌ଡୋର ଟୁର୍ନାମେଣ୍ଟ ଜିତିଥିଲେ। ଶେଷଥରପାଇଁ ସେ ଗତ ଅକ୍ଟୋବରରେ ଫ୍ରେଞ୍ଚ୍‌ ଓପନ ୪ର୍ଥ ରାଉଣ୍ଡରେ ପରାଜିତ ହୋଇଥିଲେ। ନିକଟରେ ପ୍ରକାଶିତ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୭ମ ସ୍ଥାନକୁ ଉନ୍ନୀତ ହୋଇଥିବା ସାବାଲେଙ୍କାଙ୍କ କ୍ୟାରିୟର ଫାଇନାଲ ରେକର୍ଡ ୯-୪ରେ ପହଞ୍ଚତ୍ଛି। ଗତ ୧୬ ମାସରେ ତାଙ୍କର ଫାଇନାଲ ରେକର୍ଡ ୬-୦ ରହିଛି। କୁଦର୍ମେଟୋଭା କ୍ୟାରିୟରର ପ୍ରଥମ ଟୁର୍‌ ଫାଇନାଲ ଖେଳିଥିଲେ। ଆସନ୍ତା ଫେବୃୟାରୀରେ ହେବାକୁଥିବା ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ପୂର୍ବରୁ ଅଧିକରୁ ଅଧିକ ମ୍ୟାଚ ପ୍ରାକ୍ଟିସ ପାଇଁ ଡବ୍ଲ୍ୟୁଟିଏ ପକ୍ଷରୁ ଆବୁଧାବିରେ ଟୁର୍ନାମେଣ୍ଟମାନ ଆୟୋଜନ କରାଯାଉଛି। ଉଭୟଳ ସାବାଲେଙ୍କା ଓ କୁଦର୍ମେଟୋଭା ଏବେ ଅଷ୍ଟ୍ରେଲିଆ ଯିବେ। ସେଠାରେ କ୍ୱାରାଣ୍ଟାଇନରେ ରହିବାପରେ ଅଷ୍ଟ୍ରେଲିଆନ ଓପନ ଏବଂ ଓ୍ବାର୍ମଅପ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିବେ।

Share