କେନ୍ଦୁଝର,୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ପିପିଳିଆଠାରେ ସୋମବାର ୨୪ ଟିକିଆ ହାତୀପଲ ରାସ୍ତା ପାର ହେଉ ଥିବାରୁ କିଛି ସମୟ ଧରି ଏନ୍ଏଚ ୨୦ରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ଏହି ଦଳରେ ଛୁଆ ହାତୀ ମଧ୍ୟ ଥିଲେ। ଗାଡି ଚାଳକ ତଥା ସ୍ଥାନୀୟ ଲୋକେ ରାସ୍ତାରେ ଠିଆ ହୋଇ ହାତୀ ପଲଙ୍କୁ ଦେଖିଥିଲେ। ବିଶେଷ କରି ବାହାର ଅଞ୍ଚଳର ଲୋକେ ଏଭଳି ହାତୀମାନଙ୍କୁ ଦେଖି ଖୁସି ହୋଇଥିଲେ। ପ୍ରକାଶ ଯେ, ଘଟଗାଁ ରେଞ୍ଜର ବାରବାଙ୍କ, ଅଟେଇ ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ଜାତୀୟ ରାଜପଥ ଯାଇଛି। ଅନେକ ସମୟରେ ହାତୀମାନେ ରାସ୍ତା ପାର ହୋଉଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସେହିପରି ବହୁ ସଂଖ୍ୟାରେ ଗାଡ଼ି ଚଳାଚଳ ଯୋଗୁଁ ହାତୀମାନେ ରାସ୍ତା ପାର ହୋଇପାରନ୍ତି ନାହିଁ। କିଛି ବର୍ଷ ତଳେ ଏହି ରେଞ୍ଜର ଏନ୍ଏଚ ୨୦ ରେ ବସ୍ ଧକ୍କରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଉଦ୍ବେଗ ପ୍ରକାଶ କରିଥିଲେ। ଏପରିକି ହାତୀମାନଙ୍କ ଯାତାୟାତ ପାଇଁ ଅଣ୍ଡର ପାସ ନିର୍ମାଣ ହୋଇଥିଲେ ହେଁ ତ୍ରୁଟି ପୂର୍ଣ୍ଣ ଓ ସଠିକ୍ ସ୍ଥାନରେ ନିର୍ମାଣ ହୋଇ ନ ଥିବାରୁ ହାତୀମାନେ ଯାତାୟାତ କରୁନାହାନ୍ତି ବୋଲି ପରିବେଶବିତ୍ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି।