Categories: ଖେଳ

ଲକ୍‌ଡାଉନ୍‌ରେ ପୋଲିସ ୟୁନିଫର୍ମରେ ଇନ୍ଦୁମତୀ

ନୂଆଦିଲ୍ଲୀ, ୨୭ା୫ (ପି.ଟି.)-ଲକ୍‌ଡାଉନ୍‌ ଯୋଗୁ ଭାରତର ଜାତୀୟ ସିନିୟର ମହିଳା ଫୁଟ୍‌ବଲ ଦଳର ଖେଳାଳିମାନେ ଏବେ ଘରେ ସେମାନଙ୍କ ପରିବାର ସହିତ ଦିନ ବିତାଉଛନ୍ତି। ହେଲେ ସେମାନଙ୍କର ଜଣେ ସାଥୀ ଖେଳାଳି ମିଡ୍‌ଫିଲ୍ଡର ଇନ୍ଦୁମତୀ କାଥିରେସାନ୍‌ ଏବେ ପୋଲିସ ୟୁନିଫର୍ମରେ ଡ୍ୟୁଟି କରୁଛନ୍ତି। କରୋନା ମହାମାରୀ ବିରୋଧରେ ଲଢେଇ ପାଇଁ ସରକାର ଯେଉଁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛନ୍ତି ତାହାକୁ ମାନି ଚଳିବା ଲାଗି ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରୁଛନ୍ତି। ସେ ତାମିଲନାଡୁ ପୋଲିସ୍‌ର ପାରମ୍ପରିକ ‘ଖାକି’ ୟୁନିଫର୍ମ ପରିଧାନ କରିଛନ୍ତି। ସୁରକ୍ଷା ପାଇଁ ମୁହଁରେ ସର୍ଜିକାଲ ମାସ୍କ ଓ ଦୁଇ ହାତରେ ଲଗାଇଛନ୍ତି ଗ୍ଲୋବ୍ସ। ୨୫ ବର୍ଷୀୟା ଇନ୍ଦୁମତୀ ଜଣେ ତାମିଲନାଡୁ ପୋଲିସ ସବ୍‌ ଇନ୍ସପେକ୍ଟର। ଚେନ୍ନାଇର ଆନ୍ନା ନଗର ଅଞ୍ଚଳରେ ସେ ଡ୍ୟୁଟି କରୁଛନ୍ତି। ବେଳେ ବେଳେ ତାଙ୍କୁ ନାଇଟ୍‌ ଡ୍ୟୁଟି କରିବାକୁ ହେଉଛି। ତାଙ୍କୁ ଯାନବାହନ ଯାଞ୍ଚ କାର୍ଯ୍ୟ ମଧ୍ୟ ତୁଲାଇବାକୁ ପଡ଼ୁଛି। ସମଗ୍ର ଦେଶ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି। ପ୍ରତ୍ୟେକ ନିଜକୁ ସୁରକ୍ଷିତ ରଖିବା ଲାଗି ଆବଶ୍ୟକ ପ୍ରତିଷେଧକମୂଳକ ନିୟମ ମାନି ଚଳିବାକୁ ହେବ। କଠିନ ପରିସ୍ଥିତିରେ ସାଧାରଣତଃ ଜଣେ ନିଜ ପରିବାର ସହିତ କଟାଇବାକୁ ଚାହିଁଥାଏ। ମୋ ପାଇଁ ଅବଶ୍ୟ ଏହି ସୁଯୋଗ ନାହିଁ। କରୋନା ଭାଇରସ ବିରୋଧରେ ମୁକାବିଲା ସମଗ୍ର ଦେଶ ପାଇଁ ଏକ ଆହ୍ବାନ। କୋଭିଡ୍‌-୧୯ ମହାମାରୀ ବେଳେ ମୋତେ ଦେଶ ପାଇଁ ସବୁଦିନ ଖେଳିବାକୁ ପଡ଼ିବ। ଏହି କ୍ରିଏଟିଭ୍‌ ମିଡ୍‌ଫିଲ୍ଡର କହିଛନ୍ତି ବିଶେଷ କରି ଲକ୍‌ଡାଉନ୍‌ ସମୟରେ ଜଣେ ପୋଲିସ ଅଫିସର ଭାବେ ଦାୟିତ୍ୱ ତୁଲାଇବା କଷ୍ଟକର। କାରଣ ଦିନକୁ ଦିନ ଡ୍ୟୁଟିରେ ପରିବର୍ତ୍ତନ ଘଟିଥାଏ। ହେଲେ ବର୍ତ୍ତମାନ ପରିସ୍ଥିତିରେ ଦେଶ ସେବାରେ ନିଜକୁ ନିୟୋଜିତ କରିଥିବାରୁ ମୋ ପାଇଁ ଏକ ସୌଭାଗ୍ୟ। ଜାତୀୟ ଫୁଟ୍‌ବଲ ଦଳରେ ଥାଇ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ରାଉଣ୍ଡ-୨କୁ ଯୋଗ୍ୟତା ଅର୍ଜନ କରିବା ଗତବର୍ଷ ସାଫ୍‌ ଚାମ୍ପିୟନଶିପ୍‌ ଜିତିବାର ଖୁସି ମୁହୂର୍ତ୍ତକୁ ମୁଁ ଆଦୌ ଭୁଲିପାରିବି ନାହିଁ ବୋଲି ଇନ୍ଦୁମତୀ କହିଛନ୍ତି।

Share