Categories: ଖେଳ

୨୦୧୧ ବିଶ୍ୱକପ୍‌ ଫାଇନାଲ ଫିକ୍ସିଂ ଅଭିଯୋଗ: ଆପରାଧିକ ତଦନ୍ତ ନିର୍ଦ୍ଦେଶ

କଲମ୍ବୋ, ୧ା୭: ଆଇସିସି ବିଶ୍ୱକପ୍‌ ୨୦୧୧ ଫାଇନାଲ ଫିକ୍ସିଂ ହୋଇଥିବା ଯେଉଁ ଅଭିଯୋଗ ହୋଇଛି ତାହାର ଆପରାଧିକ ଯାଞ୍ଚ ପାଇଁ ଶ୍ରୀଲଙ୍କା ସରକାର ନିର୍ଦ୍ଦେଶ ଦେଇଛନ୍ତି। ମ୍ୟାଚରେ କୁମାର ସଙ୍ଗକାରାଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ଭାରତ ନିକଟରୁ ହାରିଯାଇଥିଲା। ଶ୍ରୀଲଙ୍କା କ୍ରିକେଟ କିମ୍ବଦନ୍ତୀ ଅର୍ଜୁନ ରଣତୁଙ୍ଗା ମଧ୍ୟ ଫଳାଫଳ ଉପରେ ସନ୍ଦେହ ପ୍ରକଟ କରିଥିଲେ। ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା କ୍ରୀଡ଼ା ମନ୍ତ୍ରଣାଳୟ ସଚିବ କେ.ଡି.ଏସ୍‌ ରୁଓ୍ବାନଚନ୍ଦ୍ରା ସୋମବାର ପ୍ରକାଶ କରିଛନ୍ତି। କ୍ରୀଡ଼ା ସମ୍ପର୍କିତ ଅପରାଧର ବୁଝାଶୁଝା ପୋଲିସ ବିଭାଗର ସ୍ବତନ୍ତ୍ର ସ୍ବାଧୀନ ତଦନ୍ତ ୟୁନିଟ ଦ୍ୱାରା ଏହା କରାଯାଉଛି। ଚଳିତମାସ ପ୍ରଥମଭାଗରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ମହିନ୍ଦାନନ୍ଦ ଆଲୁଥ୍‌ଗାମେଜ୍‌ ଅଭିଯୋଗକରି କହିଥିଲେ ଶ୍ରୀଲଙ୍କା ଏହି ମ୍ୟାଚକୁ ବିକ୍ରି କରି ଦେଇଥିଲା, ଯାହା ଫଳରେ ଭାରତ ବିଜୟ ଲାଭ କରିଥିଲା। ସେ ଏକଥା ମଧ୍ୟ କହିଛନ୍ତି ଏହି କାର୍ଯ୍ୟପାଇଁ ମୁଁ କୌଣସି ଖେଳାଳିଙ୍କୁ ଦୋଷାରୋପ କରିବାକୁ ଚାହୁ ନାହିଁ। କିନ୍ତୁ କେତେକଙ୍କର ଏହା ପଛରେ ହାତ ରହିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତଦନ୍ତକାରୀମାନେ ମଙ୍ଗଳବାର ପୂର୍ବତନ ଅଧିନାୟକ ତଥା ୨୦୧୧ ଫାଇନାଲ ପାଇଁ ମୁଖ୍ୟ ଚୟନକର୍ତ୍ତା ଥିବା ଅରବିନ୍ଦ ଡି’ସିଲ୍‌ଭାଙ୍କୁ ଜେରା କରିଛନ୍ତି। ସୂଚନାଯୋଗ୍ୟ, ଫାଇନାଲ ମ୍ୟାଚ୍‌ଟି ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଏଥିରେ ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲେ ମଧ୍ୟ ୬ ଉଇକେଟରେ ପରାସ୍ତ ହୋଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ଓଭରରେ ଦଳ ୨୭୪/୬ ସ୍କୋର କରିଥିଲା। ଭାରତୀୟ ସୁପରଷ୍ଟାର ସଚିନ ତେନ୍ଦୁଲକର ମାତ୍ର ୧୮ରନ କରି ଆଉଟ ହୋଇଯିବା ପରେ ଶ୍ରୀଲଙ୍କା ଭଲ ସ୍ଥିତିରେ ଥିଲା। କୁମାର ସଙ୍ଗକାରାଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କାର ଦୁର୍ବଳ ବୋଲିଂ ଓ ଫିଲ୍ଡିଂ ଯୋଗୁ ଭାରତ ମ୍ୟାଚରେ ନାଟକୀୟ ପ୍ରତ୍ୟାବର୍ତ୍ତନ ସହ ବିଜୟ ଲାଭ କରିଥିଲା। ଅନ୍ୟପକ୍ଷରେ ସଙ୍ଗକାରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଆଲୁଥ୍‌ଗାମେଜ ତାଙ୍କ ଅଭିଯୋଗକୁ ଗ୍ଲୋବାଲ ଗଭର୍ନିଂବଡି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିକଟରେ ଉପସ୍ଥାପନ କରିବା ଉଚିତ୍‌।

Share