ଭୁବନେଶ୍ୱର,୨୮।୯(ଅନୁରାଧା ମହାରଣା): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପ୍ରଶାସନିକ ସେବା ପରୀକ୍ଷାରେ କିସ୍ର ୨ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ହେଲେ ପ୍ରଦୀପ କୁମାର ଭତ୍ରା ଓ ପୁଷ୍ପରାଣୀ କୁଜୁର। ସମ୍ବଲପୁର ଜିଲା ରେଢ଼ାଖୋଲ ଅନ୍ତର୍ଗତ ପଞ୍ଚଖଣ୍ଡ ସାହି ଗ୍ରାମର ପୁଷ୍ପରାଣୀ ଚତୁର୍ଥ ଶ୍ରେଣୀରୁ କିସ୍ରେ ପଢ଼ିଆସୁଥିଲେ। ସଲେଷ୍ଟିନ କୁଜୁର ଓ କିର୍ପା କୁଜୁରଙ୍କ ଝିଅ ହେଉଛନ୍ତି ପୁଷ୍ପରାଣୀ। ଓରାମ ସମ୍ପ୍ରଦାୟରୁ ଆସିଥିବା ପୁଷ୍ପରାଣୀ କିସ୍ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।
ସେହିପରି କୋରାପୁଟ ଜିଲା ବଣିଆଗଁାର ସ୍ବର୍ଗତ ଗିରିଧାରୀ ଭତ୍ରା ଓ ବନବାସୀ ଭତ୍ରାଙ୍କ ପୁଅ ହେଉଛନ୍ତି ପ୍ରଦୀପ। ସେ ଭତ୍ରା ସମ୍ପ୍ରଦାୟର ହୋଇଥିବା ବେଳେ ୬ଷ୍ଠ ଶ୍ରେଣୀରୁ କିସରେ ପାଠ ପଢ଼ିଆସୁଥିଲେ। ଶିକ୍ଷା ସମାପ୍ତ କରିବା ପରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଅତି ଗରିବ ପରିବାରରୁ ଆସିଥିବା ଏହି ଦୁଇ ମେଧାବୀଙ୍କ ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ଗରିବ ପିଲାଙ୍କ ପାଇଁ ଶିକ୍ଷା ଲାଭ ନିମନ୍ତେ ଅର୍ଥ ଯେପରି ବାଧକ ନ ହୁଏ ସେଥିପ୍ରତି କିସ୍ ସର୍ବଦା ଯତ୍ନଶୀଳ ରହିଆସିଛି। ଏଠାରେ ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ବିଭିନ୍ନ ପ୍ରବେଶିକା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ସ୍ବତନ୍ତ୍ର କୋଚିଂ ପ୍ରଦାନ କରାଯାଇଥାଏ।


