ଆଜିଠୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୧।୩(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ପୂର୍ବାହ୍ନ ୯ଟା ୩୦ ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ବ। ୧୦ଟାରେ ପରୀକ୍ଷା ଆରମ୍ଭ ହେବ। ୩୦ମିନିଟ ପୂର୍ବରୁ ଛାତ୍ରୀଛାତ୍ରମାନେ ହଲ୍‌ରେ ବସିବେ। ପୂର୍ବାହ୍ନ ୧୦ଟାରେ ପ୍ରଶ୍ନପତ୍ର ବଣ୍ଟାଯିବ। ୧୫ ମିନିଟ୍‌ ମଧ୍ୟରେ ବଳକା ପ୍ରଶ୍ନପତ୍ର ସିଲ୍‌ କରାଯିବ। ୧୦ଟା ୩୦ ପରେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ଅନୁମତି ମିଳିବ ନାହିଁ। ଉତ୍ତରଖାତାର ବଳକା ଫର୍ଦ୍ଦରେ କ୍ରସ୍‌ ମାର୍କ କରିବାକୁ ନିର୍ଦ୍ଦେଶ ରହିଛି। ସୂଚନାଯୋଗ୍ୟ, ଏଥର ୧,୧୪୫ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୪୪୫ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ ଟ୍ୟାଗ୍‌ କରାଯାଇଛି। ୬ଟି ସବ୍‌-ସେଣ୍ଟର କରାଯାଇଛି। ଚଳିତବର୍ଷ ମୋଟ ୧,୫୯୦ଟି ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ରୀଛାତ୍ର ଯୁକ୍ତ୨ ପରୀକ୍ଷା ଦେବେ। ସେହିପରି ପରୀକ୍ଷାରେ ସ୍ବଚ୍ଛତା ଆଣିବା ଲାଗି ପ୍ରଶ୍ନପତ୍ର ସୁରକ୍ଷାକୁ ଗୁରୁତ୍ୱ ଦେଇ ୨୦୨ଟି ହବ୍‌ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍‌ ୩,୫୭,୯୪୨ ଛାତ୍ରୀଛାତ୍ର ଯୁକ୍ତ୨ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରେ ୩,୩୮,୨୨୧ଜଣ ରେଗୁଲାର, ୧୭,୬୯୬ଜଣ ଏକ୍ସରେଗୁଲାର ଏବଂ ୨,୦୨୫ଜଣ ଡିଷ୍ଟାନ୍ସ ଛାତ୍ରୀଛାତ୍ର ରହିଛନ୍ତି। ଏମାନଙ୍କ ମଧ୍ୟରେ ୧,୮୪,୪୦୮ ଛାତ୍ରୀ ଥିବାବେଳେ ୧,୭୩,୫୩୪ଜଣ ଛାତ୍ର ରହିଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଯୁକ୍ତ୨ ପରୀକ୍ଷାକୁ ସୁପରିଚାଳନା କରିବା ପାଇଁ ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପରୀକ୍ଷା ଦାୟିତ୍ୱରେ ଥିବା ଅଧ୍ୟାପକମାନେ ମଧ୍ୟ ମୋବାଇଲ ବ୍ୟବହାର କରିପାରିବେ ନାହିଁ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ସମସ୍ତ ଅଧିକାରୀ, ଅବଜର୍ଭର, ସ୍କ୍ବାଡ୍‌ ମେମ୍ବର, ଜିଲା ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ମୋବାଇଲ ଫୋନ ଦାଖଲ କରିବେ।