ଯୁକ୍ତ୨ ନାମଲେଖା ଅବଧି ବଢ଼ିଲା

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ୨ ନାମଲେଖା ଅବଧିକୁ ରାଜ୍ୟ ସରକାର ୫ଦିନ ବୃଦ୍ଧି କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅନୁମୋଦନକ୍ରମେ ପରିବର୍ତ୍ତିତ ନାମଲେଖା କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ବର୍ତ୍ତମାନ ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିଛି। ଏହା ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବାବେଳେ ୨୫ ତାରିଖରେ ସରିବାର ଥିଲା। କିନ୍ତୁ ଏହାକୁ ପରିବର୍ତ୍ତନ କରାଯାଇଛି। ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ନାମଲେଖା ଅବଧିକୁ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ମନୋନୀତ ହୋଇଛନ୍ତି, ସେମାନଙ୍କ ନାମଲେଖା ପାଇଁ ଆଉ ୫ଦିନ ସୁଯୋଗ ମିଳିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅବଧି ସେପ୍ଟେମ୍ବର ୫ରୁ ୭ ତାରିଖ ରହିଥିଲା। ଏବେ ତାହାକୁ ସେପ୍ଟେମ୍ବର ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ସ୍ପଟ୍‌ ନାମଲେଖା ସେପ୍ଟେମ୍ବର ୧୫ରୁ ୧୬ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା। ତାହା ଏବେ ୧୭ ରୁ ୨୦ ତାରିଖ ମଧ୍ୟରେ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଚଳିତବର୍ଷ ଯୁକ୍ତ୨ ନାମଲେଖା ପାଇଁ ୪,୮୦,୭୦୪ ଛାତ୍ରୀଛାତ୍ର ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୪,୦୪,୪୦୦ ଛାତ୍ରୀଛାତ୍ର ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସାଧାରଣ ବର୍ଗରେ ୩,୨୫,୪୩୩ଜଣ ଥିବାବେଳେ ଏସ୍‌ସି ୩୮,୮୪ ଓ ଏସ୍‌ଟିରେ ୩୮,୬୨୩ଜଣ ରହିଛନ୍ତି। ବାକି ଛାତ୍ରୀଛାତ୍ର ଅନ୍ୟ ୪ ବର୍ଗରେ ରହିଛନ୍ତି। ପ୍ରଥମ ଦିନରେ ୫୦ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମ ଲେଖାଇଥିଲେ। କିନ୍ତୁ ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାରୁ ନାମଲେଖା ଅବଧି ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା। ଓଡ଼ିଶା ଅଭିଭାବକ ମହାସଂଘ ମଧ୍ୟ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଥିଲା। ଯୁକ୍ତ୨ ନାମଲେଖା ଅବଧି ବୃଦ୍ଧି କରାଯାଇପାରେ ବୋଲି ପୂର୍ବରୁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଏବେ ନାମଲେଖା ଅବଧି ବୃଦ୍ଧି କରାଯାଇଥିବାରୁ ଛାତ୍ରୀଛାତ୍ର ଖୁସିବ୍ୟକ୍ତ କରିବା ସହିତ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି।