ଟିକା ନେଇନାହାନ୍ତି ୧,୯୭,୨୧୭ କୋଭିଡ୍‌ ଯୋଦ୍ଧା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଟିକା ନେଇନାହାନ୍ତି ପାଖାପାଖି ୨ ଲକ୍ଷ କୋଭିଡ୍‌ ଯୋଦ୍ଧା। ନାମ ପଞ୍ଜୀକରଣ କରି ମଧ୍ୟ ୧,୯୭,୨୧୭ ଜଣ କୋଭିଡ୍‌ ଯୋଦ୍ଧା ଟିକା ନେଇନାହାନ୍ତି। ସେମାନଙ୍କ ମଧ୍ୟରେ ୧,୩୬,୧୭୦ ଜଣ ସ୍ବାସ୍ଥ୍ୟକର୍ମୀ ଥିବାବେଳେ ୬୧,୦୪୭ ଜଣ ସମ୍ମୁଖ ଯୋଦ୍ଧା ଅଛନ୍ତି। ଭୁବନେଶ୍ୱରରେ ସର୍ବାଧିକ ୧୭,୪୦୭ଜଣ କୋଭିଡ୍‌ ଯୋଦ୍ଧା ଟିକା ନେଇ ନ ଥିବା ବେଳେ ସୁନ୍ଦରଗଡ଼ରେ ୧୪,୮୫୬, ଗଞ୍ଜାମରେ ୧୩,୬୧୩, ଭଦ୍ରକ ୧୧,୮୯୨, ଖୋର୍ଦ୍ଧାରେ ୧୧,୮୫୮, ମୟୂରଭଞ୍ଜରେ ୧୦,୫୧୯, କଟକରେ ୧୦,୩୪୭, ବାଲେଶ୍ୱରରେ ୧୦,୩୧୬ଜଣ କୋଭିଡ୍‌ ଯୋଦ୍ଧା ଟିକା ନେଇନାହାନ୍ତି। ତେବେ ଗଞ୍ଜାମରେ ସର୍ବାଧିକ ୧୧,୭୭୪ ଏବଂ ଭୁବନେଶ୍ୱରରେ ୯,୯୩୨ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇନାହାନ୍ତି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।