Categories: ଖେଳ

ପାଗ ବଦଳିଲା, ମ୍ୟାଚର ମଜାନେଲେ ଦର୍ଶକ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଶନିବାର ଭାରତ-ବେଲଜିୟମ ପ୍ରଥମ ମ୍ୟାଚ ଅବସରରେ ବର୍ଷା ଓ କୋହଲା ପାଗ ଯୋଗୁ ଅଳ୍ପ ଦର୍ଶକ ବର୍ଷାରେ ଭିଜି ମ୍ୟାଚ ଉପଭୋଗ କରିଥିଲେ। ମାତ୍ର ରବିବାର ଦ୍ୱିତୀୟ ମ୍ୟାଚ ବେଳକୁ ପାଗ ବଦଳି ଯାଇଥିଲା। ଉତ୍ତମ ପରିବେଶରେ ମ୍ୟାଚ ଦେଖିବା ପାଇଁ ହକିପ୍ରେମୀମାନେ ଷ୍ଟାଡିୟମରେ ଉପସ୍ଥିତ ରହି ପ୍ରିୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏକାଧିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟ ମ୍ୟାଚ ଦେଖିବାର ବ୍ୟବସ୍ଥା କରାଯାଇଥିଲା। ଫଳରେ ଷ୍ଟାଡିୟମ ଦର୍ଶକରେ ପାଖାପାଖି ଭରି ଯାଇଥିଲା।

ଓଲି ସହିତ ସେଲ୍‌ଫି
ପ୍ରତି ମ୍ୟାଚ ଭଳି ରବିବାର ମ୍ୟାଚ ଅବସରରେ ମଧ୍ୟ ମାସ୍କଟ ଓଲି ଦର୍ଶକଙ୍କ ଆକର୍ଷଣରେ ରହିଥିଲା। ପ୍ରଥମାର୍ଦ୍ଧରେ ଓଲି ଷ୍ଟାଡିୟମ ପଡ଼ିଆର ଚତୁର୍ଦ୍ଦିଗ ପରିକ୍ରମା କରି ଦର୍ଶକଙ୍କୁ ଉତ୍ସାହିତ କରିଥିବାବେଳେ ମ୍ୟାଚ ସରିବାପରେ ଗ୍ୟାଲେରୀକୁ ଆସି ଦର୍ଶକଙ୍କ ଗହଣରେ ସମୟ ବିତାଇଥିଲା। ଏହି ସୁଯୋଗର ସଦ୍‌ବ୍ୟବହାର କରିବାକୁ କଳିଙ୍ଗ ଦର୍ଶକ ଭୁଲି ନ ଥିଲେ। ଅନେକ ଦର୍ଶକ ଓଲି ସହିତ ସେଲ୍‌ଫି ନେଇ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Share