ଭିତ୍ତିଭୂମି ଖୋଜୁଛି ୧୬୩ ବର୍ଷର ଶିକ୍ଷାନୁଷ୍ଠାନ

କେନ୍ଦ୍ରାପଡ଼ା, ୧୧।୧୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ାରେ ୧୮୬୩ରେ ମିଡିଲ ଭର୍ନାକୁଲାର ସ୍କୁଲ ଆରମ୍ଭ ହୋଇଥିଲା। ୧୮୮୩ରେ ଏହା ଜିଲାର ପ୍ରଥମ ଇଂଲିଶ ହାଇ ସ୍କୁଲରେ ପରିଣତ ହେଲାା ଆଳି ରାଜା ବ୍ରଜସୁନ୍ଦର ଦେବଙ୍କ ଉଆସରେ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଏବେ କେନ୍ଦ୍ରାପଡ଼ା ଟାଉନ ହାଇସ୍କୁଲ ଭାବେ ପରିଚିତି ପାଇଛି। ଦୀର୍ଘ ୧୬୩ ବର୍ଷର ଏହି ସ୍କୁଲରେ ପଲ୍ଲୀକବି ନନ୍ଦକିଶୋର ବଳ, ପ୍ରଥମ ପୋଷ୍ଟମାଷ୍ଟର ଜେନେରାଲ ଚରଣ ଦାସ, ପ୍ରଥମ ଓଡ଼ିଆ ଜିଲା ମାଜିଷ୍ଟ୍ରେଟ ଦୟାନିଧି ଦାସ, ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରଓ୍ବାଲ, ପୂର୍ବତନ ବିଧାୟକ ଇନ୍ଦ୍ରମଣି ରାଉତଙ୍କଠାରୁ ଆରମ୍ଭକରି ଅନେକେ ଶିକ୍ଷାଲାଭ ଥିଲେ ମଧ୍ୟ ଶୈକ୍ଷିକ ପରିବେଶ ଏବେ ବି ଅଧୁରା ରହିଛି।
ଜିଲାର ଅନ୍ୟତମ ପୁରାତନ ଏହି ସ୍କୁଲରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ମୋଟ ୫ଟି ଶ୍ରେଣୀରେ ପ୍ରାୟ ୫୦୦ ଛାତ୍ରୀଛାତ୍ର ଅଧ୍ୟୟନରତ ଅଛନ୍ତି। ଏଠାରେ ୮ଟି କୋଠରି ରହିଥିବାବେଳେ ସେଥିରୁ ୩ଟି ଭଙ୍ଗାଦଦରା ଅବସ୍ଥାରେ ରହିଛି। ସ୍କୁଲର ମୁଖ୍ୟ କାର୍ଯ୍ୟାଳୟ ଉପରେ ଥିବା ୫ଟି ଶ୍ରେଣୀଗୃହ ୩ ବର୍ଷ ହେବ ଅସୁରକ୍ଷିତ ଘୋଷଣା ସତ୍ତ୍ୱେ ବିଭାଗ ପକ୍ଷରୁ ଭଙ୍ଗାଯାଉନାହିଁ। ବର୍ଷା ହେଲେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ସେହିପରି ପାଚେରି ଛୋଟ ହେତୁ ଅନାୟାସରେ ଗୋରୁ ସ୍କୁଲ ହତାକୁ ପଶି ଆସୁଛନ୍ତି। ଏଠାରେ ଶିକ୍ଷକ ଓ କର୍ମଚାରୀ ଅଭାବ ସମସ୍ୟା ଦୀର୍ଘବର୍ଷ ଧରି ରହି ଆସିଛି। ୩୨ଶିକ୍ଷକ ପଦବୀ ଥିବାବେଳେ ମାତ୍ର ୧୬ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ନିୟମିତ ପ୍ରଧାନଶିକ୍ଷକ ବଦଳରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ କାର୍ଯ୍ୟ କରୁଛନ୍ତି। ବିଜ୍ଞାନ ଶିକ୍ଷକ ଓ ବରିଷ୍ଠ କିରାଣି ପଦ ଖାଲି ପଡ଼ିଛି।
ଅସୁରକ୍ଷିତ ଶ୍ରେଣୀଗୃହ, ଶିକ୍ଷକ ଓ କର୍ମଚାରୀଙ୍କ ଅଭାବ, ଖେଳ ପଡ଼ିଆର ଉନ୍ନତୀକରଣ, ସ୍କୁଲର ସୁରକ୍ଷା ପ୍ରାଚୀର ନିର୍ମାଣ ଆଦି ସମସ୍ୟାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରାକ୍ତନ ଛାତ୍ର ତାରିକ ଅହେମଦ କହିଛନ୍ତି, ଶିକ୍ଷକ ପଦ ପୂରଣ ହୋଇପାରୁ ନ ଥିବାରୁ ପାଠପଢ଼ା ବ୍ୟାହତ ହେଉଛି। ସେହିପରି ସ୍କୁଲରେ ଥିବା ପାଇଖାନାଗୁଡ଼ିକ ମଧ୍ୟରୁ ଗୋଟିଏରେ ତାଲାପଡ଼ି ବନ୍ଦ ରହୁଛି। ସ୍କୁଲ ନିକଟରେ ଥିବା ବାତ୍ୟା ଆଶ୍ରୟସ୍ଥଳ ସଫା ହେଉ ନ ଥିବାରୁ ସେଠାରେ ବିଭିନ୍ନ ସମୟରେ ସାପ ଦେଖା ଦେଇ ଛାତ୍ରୀଛାତ୍ରଙ୍କ ପାଇଁ ବିପଦର କାରଣ ହେଉଛନ୍ତି। ପୁରାତନ ଛାତ୍ର ପ୍ରଫୁଲ୍ଲ କୁମାର ସାହୁ, ପୂର୍ବତନ ପୌରାଧ୍ୟକ୍ଷ ଧୀରେନ ସାହୁ, କାଉନସିଲର ପୁଷ୍ପାଞ୍ଜଳି ବସ୍ତିଆ ପ୍ରମୁଖ କହିଛନ୍ତି, ଏହି ହାଇସ୍କୁଲ ସହ ପିଏମ୍‌ଶ୍ରୀ ଯୋଡ଼ି ହୋଇଛି। ଏଥିସହ ଐତିହ୍ୟ ବିଦ୍ୟାଳୟ ତାଲିକାରେ ସାମିଲ ହୋଇଛି। ଏହା ନୋଡାଲ ହାଇସ୍କୁଲ ଓ ଜିଲାର ପ୍ରମୁଖ ସ୍କୁଲ ହୋଇଥିବାରୁ ପରୀକ୍ଷା ପ୍ରଶ୍ନପତ୍ର ପରିଚାଳନା, ବିଭିନ୍ନ କର୍ମଶାଳା, ତାଲିମ ଶିବିର, ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର, ପ୍ରତିଯୋଗିତାମୂଳକ ପରୀକ୍ଷା ସହ ସରକାରୀ କାର୍ଯ୍ୟକ୍ରମ ହେଉଛି। ଏହାସତ୍ତ୍ୱେ ସ୍କୁଲ ଭିତ୍ତିଭୂମିକୁ ସୁଦୃଢ଼ କରା ନ ଯିବା ଦୁଃଖଦାୟକ ବୋଲି ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି।
ଏନେଇ ସ୍କୁଲ ପରିଚାଳନା କମିଟି ସଭାପତି ସେକ୍‌ ମୁସ୍ତାକ କହିଛନ୍ତି, କେନ୍ଦ୍ର ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ନେଇ କହୁଥିବାବେଳେ ରାଜ୍ୟ ସରକାର ଏବେ କେଜିରୁ ପିଜି ପର୍ଯ୍ୟନ୍ତ ପାଠପଢ଼ା ଦେୟମୁକ୍ତ ଘୋଷଣା କରିଛନ୍ତି। ତେବେ ଏହି ପୁରାତନ ସ୍କୁଲରେ ଶ୍ରେଣୀ ଅନୁସାରେ କୋଠରି ନାହିଁ। ଦୀର୍ଘଦିନ ଧରି ଅସୁରକ୍ଷିତ ଅବସ୍ଥାରେ ଥିବା କୋଠରିକୁ ଭଙ୍ଗା ନ ଯିବାରୁ ଏହା ଯେକୌଣସି ସମୟରେ ବିପଦର କାରଣ ହୋଇପାରେ। ପୁନଶ୍ଚ ସ୍କୁୁଲ ପରିସରରୁ ବର୍ଷାପାଣି ନିଷ୍କାସନ ହୋଇ ପାରୁନାହିଁ। ବିଶେଷ କରି ବର୍ଷାଦିନେ ପିଲାମାନେ ପାଠପଢାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଦୁର୍ବଳ ଥିବାବେଳେ ଶିକ୍ଷାର୍ଥୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନରେ ସମସ୍ୟା ହେଉଛି ବୋଲି କହିଛନ୍ତି। ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଆର୍‌ଟିଆଇ ତଥ୍ୟ ଅନୁଯାୟୀ ୨୦୨୧ରୁ ୨୦୨୬ ମଧ୍ୟରେ ସ୍କୁଲ ଉନ୍ନୟନ ପାଇଁ ମୋଟ ୩୦ ଲକ୍ଷ ୩୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଐତିହ୍ୟ ସ୍କୁଲ ଘୋଷଣା ହୋଇଛି। ମାତ୍ର ଏହାର ନବୀକରଣ ପାଇଁ ଅର୍ଥ ଆସିନାହଁି। ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁକେଶିନୀ ପ୍ରଧାନ କହିଛନ୍ତି, ଶିକ୍ଷକ ଅଭାବ, ଖେଳ ପଡ଼ିଆର ଉନ୍ନତୀକରଣ, ଅସୁରକ୍ଷିତ ଗୃହକୁ ଭଙ୍ଗାଯିବା ଆଦି ସମସ୍ୟାର ସମାଧାନ ପାଇଁ ଜିଲା ଶିକ୍ଷାଧିକାରୀ ଓ ଜିଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି। ଅସଜଡ଼ା ଥିବା ଗୋଟିଏ ପାଇଖାନା ଗୃହ ବନ୍ଦ ରହିଥିବାବେଳେ ଅନ୍ୟ ପାଇଖାନା ଗୃହ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share